Police nab interstate thief:ଅନ୍ତରାଜ୍ୟ ଚୋରକୁ କାବୁ କଲା ପଡିଆ ପୁଲିସ
ଘରେ ସମସ୍ତେ ଡାକ୍ତରଖାନା ଯାଇଥିବାବେଳେ ତାଲା ଭାଙ୍ଗି ଚୋରି କରୁଥିଲେ ଅନ୍ତରାଜ୍ୟ ଚୋର | ହେଲେ ବଞ୍ଚିପାରିଲେନି ପୋଲିସ ପଞ୍ଝାରୁ |
ମାଲକାନଗିରି:ଘରେ କେହି ନଥିବାର ସୁଯୋଗ ନେଇ ଚୋରି କରୁଥିବା ଜଣେ ଅନ୍ତରାଜ୍ୟ ଚୋରକୁ କାବୁ କରିଛି ପଡିଆ ପୁଲିସ। ମାଲକାନଗିରି ଜିଲ୍ଲାର ସୀମାବର୍ତ୍ତୀ ପଡିଆ ଥାନା ଅଞ୍ଚଳରେ ଚୋରି ଘଟଣାର ତଦନ୍ତ କରି ପୁଲିସ ଭଦ୍ରାଚଳମ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଙ୍କ ନାମ କାନିଥି ଭେଙ୍କେଟେଶ୍ୱରାଲୁ ବୋଲି ଜଣାପଡିଛି । ପୁଲିସ ସୂଚନା ଅନୁଯାୟୀ, ଏମଭି-୧୧୭ ଗ୍ରାମର ପୂର୍ଣ୍ଣିମା ସାନା ଅସୁସ୍ଥତା କାରଣରୁ ଗତ ୨୦ ସେପ୍ଟେମ୍ବର ଦିନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ରାତିରେ ଘରର ତାଲା ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଥିଲା। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ନଗଦ ପ୍ରାୟ ୧୦ ହଜାର ଟଙ୍କା, ସୁନା ମୁଦି, ସୁନା ଚେନ୍ ସହ ଏକ ମାଟି କୁଣ୍ଡିରେ ରହିଥିବା ପ୍ରାୟ ୬ରୁ ୮ ହଜାର ଟଙ୍କା ଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ପୂର୍ଣ୍ଣିମା ପଡିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତରୁ ଅଭିଯୁକ୍ତ ପୂର୍ବରୁ ୨୦୧୦ରୁ ୨୦୨୬ ମଧ୍ୟରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରାୟ ୨୫ଟି ଡକାୟତି ମାମଲାରେ ଜଡ଼ିତ ଥିବା ସୂଚନା ମିଳିଛି l
