Low Pressure: ପୁଣି ଆସୁଛି ଲଘୁଚାପ, ପ୍ରଵଳ ବର୍ଷା ଆଶଙ୍କା
ବଙ୍ଗୋପସାଗରରେ ସେପ୍ଟେମ୍ବର ୧୯ରେ ନୂଆ ଲଘୁଚାପ ସମ୍ଭାବନା। ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିବ ଲଘୁଚାପ। ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ଭାରୀ ବର୍ଷା ଆଶଙ୍କା।
ଭୁବନେଶ୍ୱର: ଓଡ଼ିଶାରେ ପୁଣି ବଢ଼ିପାରେ ବର୍ଷାର ପ୍ରକୋପ। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖରେ ଏକ ନୂଆ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପରିବାୟୁ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରିବା ପରେ ଏହାର ପ୍ରଭାବରେ ଲଘୁଚାପ ଗଠନ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଲଘୁଚାପ ସୃଷ୍ଟି ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଶନିବାର ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ। ରବିବାର କଳାହାଣ୍ଡି ସମେତ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମର କିଛି ସ୍ଥାନରେ ଭାରୀ ବର୍ଷାର ଆକଳନ କରାଯାଇଛି। ବର୍ତ୍ତମାନ ବର୍ଷାରେ ସାମୟିକ ବିରତି ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଗରମ ଓ ଗୁଳୁଗୁଳି ବଢ଼ିଛି। ତେବେ ନୂଆ ଲଘୁଚାପ ପ୍ରଭାବରେ ପୁଣି ବର୍ଷା ବଢ଼ିବା ସମ୍ଭାବନା ରହିଛି। ୧୮, ୧୯ ଓ ୨୦ ସେପ୍ଟେମ୍ବରରେ ଓଡ଼ିଶା ପାଇଁ ଭାରୀ ବର୍ଷାର ସତର୍କତା ରହିଛି। ଚଳିତ ମୌସୁମୀ ଋତୁରେ ବଙ୍ଗୋପସାଗରରେ ଏହା ୧୨ତମ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ଦକ୍ଷିଣ ଓଡ଼ିଶାର ପାଣିପାଗ ଉପରେ ନଜର ରଖିଛି ପାଣିପାଗ ବିଭାଗ।
