Low Pressure Alert : ଓଡ଼ିଶା ଆଡ଼କୁ ଆଉ ଏକ ଲଘୁଚାପ: ବୁଧବାରଠାରୁ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଓଡ଼ିଶାରେ ପୁଣି ବର୍ଷାର ପରିମାଣ ବଢ଼ିବ। ସେପ୍ଟେମ୍ବର ୯ରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ପୁଣି ଏକ ଲଘୁଚାପ। ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସେପ୍ଟେମ୍ବର ୯ ତାରିଖ ବୁଧବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉପକୂଳ ଆନ୍ଧ୍ରପ୍ରଦେଶ ନିକଟରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୧ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ। ଲଘୁଚାପର ପ୍ରଭାବରେ ସେପ୍ଟେମ୍ବର ୯ରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପ୍ରଥମେ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବା ପରେ ଧୀରେ ଧୀରେ ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାକୁ ବର୍ଷା ବ୍ୟାପିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୪ ସୁଦ୍ଧା ଲଘୁଚାପ ସ୍ଥଳଭାଗ ଅତିକ୍ରମ କରିବା ପରେ ବର୍ଷାର ପ୍ରକୋପ କମିପାରେ। ଏହା ସହିତ ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନରେ ବଜ୍ରପାତ, ବିଜୁଳି ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ପବନ ବହିବାର ଆଶଙ୍କା ରହିଛି।
ଅରେଞ୍ଜ ଆଲର୍ଟ: ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ଝଡ଼ପବନ ଓ ବଜ୍ରପାତର ଆଶଙ୍କା ରହିଛି।
ୟେଲୋ ଆଲର୍ଟ: ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ରହିଛି। ପ୍ରବଳ ବର୍ଷା ଓ ବଜ୍ରପାତ ସମୟରେ ଅନାବଶ୍ୟକ ଭାବେ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ସତର୍କ ରହିବା ସହ ଚାଷୀମାନେ ଜମିରୁ ଅତିରିକ୍ତ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।
