Maternal Mortality Odisha:ମାତୃ ମୃତ୍ୟୁହାର କମାଅ- ମୁଖ୍ୟମନ୍ତ୍ରୀ
ଗର୍ଭାବସ୍ଥା, ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ସମୟରେ ଅନେକ ଜଟିଳତା ମାଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ପ୍ରି-ଏକ୍ଲାମ୍ପସିଆ ଏବଂ ରକ୍ତହୀନତା ଚିହ୍ନଟ ନହେଲେ ଗୁରୁତର ଜଟିଳତା ହୋଇପାରେ।ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ହସ୍ପିଟାଲରେ ପହଞ୍ଚିବାରେ ବିଳମ୍ବ, ଯାତାୟାତ ସମସ୍ୟା ଓ ଜରୁରୀ ପ୍ରସୂତି ସେବାର ଅଭାବ ଚିକିତ୍ସାକୁ ବିଳମ୍ବିତ କରୁଛି।

ମାତୃ ମୃତ୍ୟୁହାରକୁ କମାଅ। ଏହାକୁ ସର୍ବନିମ୍ନ ସ୍ତରକୁ ଆଣ। ସ୍ୱାସ୍ଥ୍ୟ ବିଭାଗକୁ ଏଭଳି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ପ୍ରସୂତି ଓ ନବଜାତ ଶିଶୁଙ୍କୁ ଗ୍ରାମାଞ୍ଚଳ ଓ ଦୂରଦୂରାନ୍ତ ଅଞ୍ଚଳରେ ସର୍ବୋତ୍ତମ ଚିକିତ୍ସା ଯେମିତି ଉପଲବ୍ଧ କରିହେବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ୱବୋଧକୁ ବୃଦ୍ଧି କରି ମେଡିକାଲ ଗୁଡ଼ିକରେ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବାକୁ ଜୋର୍ ଦିଆଯାଇଛି। ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ଗୁଣାତ୍ମକ ଶିକ୍ଷା ହିଁ ମଝଭୁତ ସମାଜ ଗଠନର ମୁଖ୍ୟ ଆଧାର କହି ରାଜ୍ୟରେ ସାମାଜିକ କ୍ଷେତ୍ରର ସମସ୍ୟା ସମାଧାନ ଓ ବିକାଶ ଲାଗି ନେଇଥିବା ଉଚ୍ଚସ୍ତରୀୟ ପ୍ରୟାସ ବୈଠକରେ ସମୀକ୍ଷା କରିଛନ୍ତି। ଶିଶୁଙ୍କ ଭିତରେ ପୁଷ୍ଟିହୀନତା ଲାଗି ଷ୍ଟଣ୍ଟିଂ ଓ ଓ୍ୱେଷ୍ଟିଂ ଭଳି ଉପୁଜୁଥିବା ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର ଲାଗି ସୁପୋଷିତ ଓଡ଼ିଶା ଅଭିଯାନକୁ ଜୋରଜାର କରିବାକୁ ଦେଇଛନ୍ତି ନିର୍ଦେଶ। ସର୍ବୋପରି ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ୨୦୨୧–୨୩ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରତି ୧ ଲକ୍ଷ ଜୀବିତ ଜନ୍ମ ପାଇଁ ୧୫୩ ଜଣ ମାଆଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଜାତୀୟ ହାର ଥିଲା ୮୮। ଅର୍ଥାତ୍ ଓଡ଼ିଶାର ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ ଥିଲା।
୨୦୨୬ରେ ମାତୃ ମୃତ୍ୟୁ ହାରରେ ସୁଧାର, ତଥାପି ଚିନ୍ତା ଜାରି
ଜୁନ୍ ୭, ୨୦୨୬ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ୨୦୨୨–୨୪ ସମୟରେ ଓଡ଼ିଶାର ମାତୃ ମୃତ୍ୟୁ ହାର ୧୨୪କୁ ହ୍ରାସ ପାଇଥିଲା। ୨୦୨୧–୨୩ରେ ଏହା ୧୫୩ ଥିଲା। ଅର୍ଥାତ୍ ପ୍ରତି ଲକ୍ଷ ଜୀବିତ ଜନ୍ମ ପାଇଁ ମାତୃ ମୃତ୍ୟୁ ହାର ୨୯ ପଏଣ୍ଟ ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ତେବେ ଏହି ହାର ଜାତୀୟ ହାରଠାରୁ ଅଧିକ ରହିଛି। ବୁର୍ଲା VIMSARରେ ଗୋଟିଏ ସପ୍ତାହରେ ୭ ମାତୃ ମୃତ୍ୟୁ
୨୦୨୬ ମେ’ ମାସରେ ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (VIMSAR)ରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା।
ମୃତ୍ୟୁଗୁଡ଼ିକ ମେ’ ୧ରୁ ୬ ମଧ୍ୟରେ ଘଟିଥିଲା।
ମୃତ ମହିଳାମାନେ ସମ୍ୱଲପୁର, ବରଗଡ଼, ସୋନପୁର, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର ବାସିନ୍ଦା ଥିଲେ।
ହସ୍ପିଟାଲ ରେକର୍ଡ ଅନୁସାରେ, କେତେକ ମାମଲାରେ ଉଚ୍ଚ ରକ୍ତଚାପ, ପ୍ରସବ ପରବର୍ତ୍ତୀ ଅତ୍ୟଧିକ ରକ୍ତସ୍ରାବ, ପଲ୍ମୋନାରୀ ଏମ୍ବୋଲିଜମ୍ ଏବଂ ଅନ୍ୟାନ୍ୟ ଜଟିଳତା ଚିହ୍ନଟ ହୋଇଥିଲା।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘଟଣାଗୁଡ଼ିକର ତଦନ୍ତ ପାଇଁ ହସ୍ପିଟାଲକୁ ରିପୋର୍ଟ ମାଗିଥିଲା।
ପରବର୍ତ୍ତୀ ସମୟରେ ଜୁଲାଇ ୨୦୨୬ରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ VIMSARର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ ମାତୃ ମୃତ୍ୟୁ ସମ୍ପର୍କିତ ରେକର୍ଡ, ଚିକିତ୍ସା ପଦ୍ଧତି, ପ୍ରସବ ସମୟର ସୁରକ୍ଷା ଏବଂ ପ୍ରସବ ପରବର୍ତ୍ତୀ ଚିକିତ୍ସାର ସମୀକ୍ଷା କରିଥିଲା। ମୃତ୍ୟୁ ରୋକିବା ପାଇଁ ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।
ମାତୃ ମୃତ୍ୟୁର ପ୍ରମୁଖ କାରଣ କ’ଣ?
ଗର୍ଭାବସ୍ଥା, ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ସମୟରେ ଅନେକ ଜଟିଳତା ମାଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ପ୍ରି-ଏକ୍ଲାମ୍ପସିଆ ଏବଂ ରକ୍ତହୀନତା ଚିହ୍ନଟ ନହେଲେ ଗୁରୁତର ଜଟିଳତା ହୋଇପାରେ।
ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେଲେ ତୁରନ୍ତ ଚିକିତ୍ସା, ରକ୍ତ ଏବଂ ଆବଶ୍ୟକ ସମୟରେ ଅସ୍ତ୍ରୋପଚାର ଦରକାର ହୋଇପାରେ। ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଅଭାବ ରହିଛି। ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ହସ୍ପିଟାଲରେ ପହଞ୍ଚିବାରେ ବିଳମ୍ବ, ଯାତାୟାତ ସମସ୍ୟା ଓ ଜରୁରୀ ପ୍ରସୂତି ସେବାର ଅଭାବ ଚିକିତ୍ସାକୁ ବିଳମ୍ବିତ କରୁଛି।
ମାତୃ ମୃତ୍ୟୁ କମାଇବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି?
କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ ମାତୃ ମୃତ୍ୟୁ ହ୍ରାସ ପାଇଁ ବିଭିନ୍ନ ଯୋଜନା ରହିଛି।
ଜନନୀ ସୁରକ୍ଷା ଯୋଜନା (JSY): ହସ୍ପିଟାଲରେ ପ୍ରସବ ପାଇଁ ଯୋଗ୍ୟ ମହିଳାଙ୍କୁ ଆର୍ଥିକ ସହାୟତା।
ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ (JSSK): ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ, ଆବଶ୍ୟକ ଔଷଧ, ପରୀକ୍ଷା, ପରିବହନ ଓ ରକ୍ତ ସଂଚାର ଭଳି ସେବା ନିଃଶୁଳ୍କ ଯୋଗାଇବା।
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (PMSMA): ଗର୍ଭବତୀ ମହିଳାଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଜଟିଳ ଗର୍ଭାବସ୍ଥାର ଚିହ୍ନଟ।
SUMAN ଓ LaQshya: ମାଆ ଓ ନବଜାତ ଶିଶୁଙ୍କୁ ଗୁଣାତ୍ମକ, ସମ୍ମାନଜନକ ଏବଂ ନିରାପଦ ସ୍ୱାସ୍ଥ୍ୟସେବା ଯୋଗାଇବା।
ଏହା ସହ ଗର୍ଭାବସ୍ଥାର ଆରମ୍ଭରୁ ପଞ୍ଜୀକରଣ, ନିୟମିତ ପରୀକ୍ଷା, ରକ୍ତହୀନତାର ଚିକିତ୍ସା ଏବଂ ପ୍ରସବ ପରେ ମାଆଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଜରୁରୀ।
ଆଗାମୀ ଦିନରେ କ’ଣ ଆବଶ୍ୟକ?
ଓଡ଼ିଶାରେ ମାତୃ ମୃତ୍ୟୁ ହାରକୁ ଆହୁରି କମାଇବା ପାଇଁ କେବଳ ଯୋଜନା ଘୋଷଣା ନୁହେଁ, ବରଂ ତାହାର ସଠିକ୍ କାର୍ଯ୍ୟକାରିତା ଆବଶ୍ୟକ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା, ଜରୁରୀ ପ୍ରସବ ଚିକିତ୍ସା, ରକ୍ତ ଉପଲବ୍ଧତା ଏବଂ ଦକ୍ଷ ଡାକ୍ତରୀ କର୍ମଚାରୀଙ୍କ ସୁବିଧା ସୁଦୃଢ଼ କରିବା ଦରକାର। ମାତୃ ମୃତ୍ୟୁର ପ୍ରତ୍ୟେକ ଘଟଣାର ସଠିକ୍ ସମୀକ୍ଷା, କେଉଁଠି ଚିକିତ୍ସାରେ ବିଳମ୍ବ ହେଲା ତାହାର ଚିହ୍ନଟ ଏବଂ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ମାତୃ ମୃତ୍ୟୁ ସମ୍ପର୍କରେ ଉପଲବ୍ଧ ତଥ୍ୟ ଅନୁସାରେ, ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ବଲାଙ୍ଗୀର, ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ାରେ ମାତୃ ମୃତ୍ୟୁହାର ଅଧିକ। ଏହା ସହ ଗଞ୍ଜାମ, ମୟୂରଭଞ୍ଜ, ପୁରୀ, ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ବି ଏହାକୁ ନେଇ ଚିନ୍ତାପ୍ରକଟ ହୋଇଛି।
· ୨୦୧୪–୧୬ରୁ ୨୦୧୮–୨୦: ହାର ୧୮୦ରୁ ୧୧୯କୁ ହ୍ରାସ ପାଇଥିଲା।
୨୦୧୯–୨୧ରୁ ୨୦୨୧–୨୩: ହାର ୧୩୫ରୁ ୧୫୩କୁ ବୃଦ୍ଧି ପାଇଥିଲା।
୨୦୨୨–୨୪: ହାର ୧୨୪କୁ ହ୍ରାସ ପାଇଥିଲା। ଏହା ୨୦୨୧–୨୩ ତୁଳନାରେ ୨୯ ପଏଣ୍ଟ କମ୍।
ଓଡ଼ିଶାର ସ୍ଥିତି କାହିଁକି ଗୁରୁତ୍ୱପୂର୍ଣ୍ଣ?
୨୦୨୧–୨୩ରେ ଓଡ଼ିଶାର MMR ୧୫୩ ଥିଲା, ଯାହା ଦେଶର ସର୍ବାଧିକ ହାର ଥିଲା। ୨୦୨୨–୨୪ରେ ଏହା ୧୨୪କୁ ଖସିଥିଲେ ମଧ୍ୟ ଜାତୀୟ ହାର ୮୭ରୁ ଅଧିକ ରହିଛି। ସଦ୍ୟତମ ରିପୋର୍ଟରେ ଓଡ଼ିଶା ଉଚ୍ଚ MMR ଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି।
ଓଡ଼ିଶାରେ ଗତ ୧୦ ବର୍ଷର ମାତୃ ମୃତ୍ୟୁ ହାର: ସମ୍ପୂର୍ଣ୍ଣ ତଥ୍ୟ
ଓଡ଼ିଶାରେ ମାତୃ ମୃତ୍ୟୁ ହାର (Maternal Mortality Ratio—MMR) ଗତ ଦଶନ୍ଧିରେ ଉଲ୍ଲେଖନୀୟ ଭାବେ କମିଥିଲା, କିନ୍ତୁ ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ପୁଣି ବଢ଼ିଥିଲା। ୨୦୨୬ରେ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ, ୨୦୨୨–୨୪ରେ ହାର ପୁଣି କମିଛି।
