Chief Minister: ଆବୁଧାବିରେ ମୋହନ ମାଝୀ, ନିବେଶ ଆଣିବାକୁ ଶିଳ୍ପପତିଙ୍କ ସହ ଆଲୋଚନା
ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିବେଶ ଆଣିବାକୁ ୟୁଏଇରେ ହାଇଲେଭଲ୍ ଇନଭେଷ୍ଟମେଣ୍ଟ ଅଭିଯାନ।
ଭୁବନେଶ୍ୱର: ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଚାଲିବ ଓଡ଼ିଶାର ନିବେଶକ ସମ୍ମିଳନୀ। ୟୁଏଇରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ ହୋଇଛି। ୟୁଏଇ ସହ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ନିବେଶ, ମାନୁଫ୍ୟାକଚରିଂ, ଭିତ୍ତିଭୂମି, ଶକ୍ତି ଏବଂ ଏମର୍ଜିଂ ଇଣ୍ଡଷ୍ଟ୍ରିଆଲ୍ ହବ୍ ଭାବେ ଗଢ଼ିତୋଳିବା ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସମେତ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଆବୁଧାବିରେ ପହଞ୍ଚିବା ପରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ୟୁଏଇରେ ଥିବା ଅଧିକାରୀ ଓ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରିଥିଲେ।

ୟୁଏଇସ୍ଥିତ ଭାରତୀୟ ଦୂତାବାସର ପ୍ରତିନିଧିମାନେ ମଧ୍ୟ ଏହି ଦଳକୁ ସ୍ୱାଗତ ଜଣାଇଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଆବୁଧାବି ଗସ୍ତ ସମୟରେ ହେବାକୁ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଓ ନିବେଶକ ଆଲୋଚନାର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ମାଧ୍ୟମରେ ଓଡ଼ିଶାକୁ ରୂପାନ୍ତରକାରୀ ନିବେଶ ଆସିବା ସହ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ଏହା ସହିତ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ଖୋଲିବାର ସମ୍ଭାବନା ରହିଛି।
