Father Son Death: ଗୋଟିଏ ଜୁଇରେ ଜଳିଲା ବାପା-ପୁଅଙ୍କ ଚିତା
ଗୋଟିଏ ଦୁର୍ଘଟଣା ଛଡ଼ାଇଦେଲା ପୂରା ପରିବାରର ଦୁଃଖ। ଯେଉଁ ବାପା ପୁଅକୁ ନେଇ ବାହାରିଥିଲେ, ଶେଷରେ ସେହି ପୁଅ ସହ ଗୋଟିଏ ଜୁଇରେ ଜଳିଲା ତାଙ୍କ ଚିତା।

ଯାଜପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା-ପୁଅଙ୍କ ମୃତ୍ୟୁ ପରେ ପାଣିକୋଇଲି ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। ଶିକ୍ଷକ ଅଶୋକ ଓ ତାଙ୍କ ପୁଅଙ୍କ ଅନ୍ତିମ ସଂସ୍କାର ଆଜି ଅଶ୍ରୁଳ ପରିବେଶରେ ସମ୍ପନ୍ନ ହୋଇଛି। ଗୋଟିଏ ଜୁଇରେ ବାପା-ପୁଅଙ୍କ ଚିତା ଜଳିବାର ହୃଦୟବିଦାରକ ଦୃଶ୍ୟ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ଅଶୋକଙ୍କ ଶେଷଯାତ୍ରାରେ ବିପୁଳ ଜନସମାଗମ ଯୋଗୁଁ କିଛି ସମୟ ପାଇଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା। ସୂଚନା ଅନୁସାରେ, ଗତକାଲି ଅଶୋକ ନିଜ ପୁଅ ଓ ଝିଅଙ୍କୁ ଧରି ଲିଙ୍ଗେଶ୍ୱର ଶିଶୁ ମନ୍ଦିର ଯାଉଥିବା ସମୟରେ ଏକ ଦ୍ରୁତଗାମୀ କାର୍ ସେମାନଙ୍କ ଗାଡ଼ିକୁ ସମ୍ମୁଖରୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଶୋକ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବା ବେଳେ ଝିଅ ଅଳ୍ପକେ ବର୍ତ୍ତିଯାଇଥିଲେ। ଗୁରୁତର ଆହତ ଅଶୋକ ଓ ତାଙ୍କ ପୁଅଙ୍କୁ ପ୍ରଥମେ ଯାଜପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ବାପା ଓ ପୁଅ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନରେ ଉଭୟଙ୍କ ମରଶରୀର ପାଣିକୋଇଲିରେ ପହଞ୍ଚିବା ମାତ୍ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପେଶାରେ ଶିକ୍ଷକ ଥିବା ଅଶୋକ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ସରଳ, ଅମାୟିକ ବ୍ୟବହାର ଓ ପରୋପକାରୀ ଗୁଣ ପାଇଁ ସେ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ। ପାଣିକୋଇଲିରୁ ନିଜ ଗାଁ କରଦା ଅଭିମୁଖେ ବାହାରିଥିଲା ଶେଷଯାତ୍ରା। ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଏବଂ ଶୋକାକୁଳ ପରିବେଶ ମଧ୍ୟରେ ଶେଷରେ ମୂଳପାଳ ଲିଙ୍ଗେଶ୍ୱର ଶ୍ମଶାନରେ ପାରମ୍ପରିକ ରୀତିନୀତି ଅନୁସାରେ ଉଭୟ ବାପା-ପୁଅଙ୍କୁ ଗୋଟିଏ ଚିତାରେ ମୁଖାଗ୍ନି ଦିଆଯାଇଥିଲା। ଗୋଟିଏ ଦୁର୍ଘଟଣା ଛଡ଼ାଇଦେଲା ପୂରା ପରିବାରର ଦୁଃଖ। ଯେଉଁ ବାପା ପୁଅକୁ ନେଇ ବାହାରିଥିଲେ, ଶେଷରେ ସେହି ପୁଅ ସହ ଗୋଟିଏ ଜୁଇରେ ଜଳିଲା ତାଙ୍କ ଚିତା।
