Municipal Elections: ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା, ୩୧ ଅକ୍ଟୋବର ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି
ପୌର ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ସମୟସୂଚୀ ବଦଳିଲା। ଜାରି ହେଲା ସଂଶୋଧିତ କାର୍ଯ୍ୟସୂଚୀ।
ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC)ଗୁଡ଼ିକରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟାର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି। ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି। ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ତେବେ ବୌଦ୍ଧ ଜିଲ୍ଲାକୁ ଏହି ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି।

ସଂଶୋଧିତ ସମୟସୂଚୀ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୬ ସୁଦ୍ଧା ପୌରସଂସ୍ଥା ଓ ଏନ୍ଏସିଗୁଡ଼ିକର ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହାପରେ ସାଧାରଣ ଲୋକଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ। ୩ ଅକ୍ଟୋବର ରହିଛି ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ। ଆପତ୍ତି ଓ ପ୍ରସ୍ତାବ ଉପରେ ବିଚାର ପରେ ୭ ଅକ୍ଟୋବର ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ପ୍ରୋଭିଜନାଲ୍ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରୋଭିଜନାଲ୍ ବିଜ୍ଞପ୍ତି ପ୍ରକାଶ ପରେ ୭ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ୍ ଦାଖଲ କରାଯାଇପାରିବ। ଦାଖଲ ହୋଇଥିବା ଅପିଲ୍ଗୁଡ଼ିକର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ୨୬ରୁ ୨୮ ଅକ୍ଟୋବର ମଧ୍ୟରେ ଶେଷ କରାଯିବ। ଅପିଲ୍ର ନିଷ୍ପତ୍ତି ପରେ ଆବଶ୍ୟକ ସଂଶୋଧନ କରାଯାଇ ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବେ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍।
