Puja Preparation: ଚଳଚଞ୍ଚଳ ଶିଳ୍ପନଗରୀ ନାଲକୋ: ୧୯ ମଣ୍ଡପରେ ପୂଜା ପାଇବେ ବିଶ୍ୱକର୍ମା
ନାଲକୋରେ ବିଶ୍ୱକର୍ମା ପୂଜା ପାଇଁ ଜୋରଦାର ପ୍ରସ୍ତୁତି। ୧୯ଟି ମଣ୍ଡପରେ ପୂଜା ପାଇବେ ଦେବଶିଳ୍ପୀ ବିଶ୍ବକର୍ମା। ସାତ ଦିନ ଧରି ଚାଲିବ ପୂଜା, ତୋରଣ ଓ ମଣ୍ଡପ ସାଜସଜ୍ଜାରେ ବ୍ୟସ୍ତ କାରିଗର। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି।
ଅନୁଗୋଳ: ଶିଳ୍ପନଗରୀ ଅନୁଗୋଳ ଜିଲ୍ଲାର ନାଲକୋ ଏବେ ଚଳଚଞ୍ଚଳ। ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଧୁମ୍ଧାମରେ ପାଳିତ ହେବ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଦୀର୍ଘ ସାତ ଦିନ ଧରି ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଇବେ ଦେବଶିଳ୍ପୀ। ପୂଜାକୁ ନେଇ ନାଲକୋ ଅଞ୍ଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ପୂଜାମଣ୍ଡପର ତୋରଣଠାରୁ ଆରମ୍ଭ କରି ଭିତର ସାଜସଜ୍ଜା ଓ ମୂର୍ତ୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ବିଶେଷ ଆକର୍ଷଣ ପାଲଟିଛନ୍ତି ବାହାର ରାଜ୍ୟରୁ ଆସିଥିବା କିଛି କାରିଗର। ଭିନ୍ନ ଭିନ୍ନ ଶୈଳୀରେ ମଣ୍ଡପ ଓ ସାଜସଜ୍ଜା ପ୍ରସ୍ତୁତ କରାଯାଉଥିବାରୁ ଏଥରର ବିଶ୍ୱକର୍ମା ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ଚଳିତ ବର୍ଷ ନାଲକୋରେ ୧୯ଟି ପୂଜାମଣ୍ଡପରେ ମହାପ୍ରଭୁ ବିଶ୍ୱକର୍ମା ପୂଜା ପାଇବେ। ତେଣୁ ପୂଜା ପୂର୍ବରୁ ମଣ୍ଡପଗୁଡ଼ିକର ଶେଷ ପ୍ରସ୍ତୁତିକୁ ନେଇ କମିଟି ଓ କାରିଗରମାନେ ଜୋରଦାର ଭାବେ ଲାଗିପଡ଼ିଛନ୍ତି। ପୂଜା ସମୟରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
