ନେପାଳ ପ୍ରଳୟକୁ ୮ ଦିନ: ମୃତ୍ୟୁସଂଖ୍ୟା ୧୧ଶହ ପାର, ଏବେ ବି ନିଖୋଜ ୪୮୫୮
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୧ଶହ ଟପିଲାଣି, ସାଢ଼େ ୪ହଜାରରୁ ଅଧିକ ନିଖୋଜ ଥିବା ବେଳେ ୬୫୪୧ ଜଣଙ୍କୁ କରାଯାଇଛି ଉଦ୍ଧାର ।
ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନକୁ ୮ ଦିନ ବିତିଲାଣି। ସମୟ ଯେତିକି ଗଡୁଛି, ଆଶଙ୍କା ସେତିକି ବଢ଼ୁଛି। ମୃତ୍ୟୁସଂଖ୍ୟା ୧୧୨୭ରେ ପହଞ୍ଚିଥିବା ବେଳେ ଏବେ ବି ୪୮୫୮ ଜଣଙ୍କ ପତ୍ତା ମିଳୁନାହିଁ। ଧ୍ୱଂସାବଶେଷ ତଳେ ଜୀବନର ସନ୍ଧାନରେ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି। ନେପାଳ ପୋଲିସର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧୧୧୩ ମୃତଦେହର ପୋଷ୍ଟମର୍ଟମ ଓ ଆଇନଗତ ପରିଚୟ ପ୍ରକ୍ରିୟା ଶେଷ ହୋଇଛି। ଏଥିରୁ ୯୫ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପରିଚୟ ହୋଇନଥିବା ୯୧୧ ମୃତଦେହର ବିବରଣୀ ପରିବାରଲୋକଙ୍କ ସହାୟତା ପାଇଁ ନେପାଳ ପୋଲିସ ୱେବସାଇଟ୍ରେ ଅପଲୋଡ୍ କରାଯାଇଛି। ଅନ୍ୟପକ୍ଷରେ, ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରୁ ୬୫୪୧ ଜଣଙ୍କୁ ଉଦ୍ଧାର କରିଛି। ନିଖୋଜ ୪୮୫୮ ଜଣଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି। ଉଦ୍ଧାର, ରିଲିଫ ବଣ୍ଟନ ଓ ମୃତଦେହ ପରିଚାଳନା ପାଇଁ ୭୯୧୨ ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମା ନିକଟରେ ବରଫ ଓ ପଥର ଧସିବା କିମ୍ବା ହିମସ୍ଖଳନ ଯୋଗୁଁ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଉତ୍ତର ଓ କେନ୍ଦ୍ରୀୟ ନେପାଳର ଅନେକ ସହର ଓ ଗାଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରାସ୍ତାରୁ ଧ୍ୱଂସାବଶେଷ ହଟାଇବା, ନିଖୋଜଙ୍କୁ ଖୋଜିବା ଏବଂ ଉଚ୍ଚ ବିପଦପୂର୍ଣ୍ଣ ଅଞ୍ଚଳରୁ ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନେବା କାର୍ଯ୍ୟ ମଧ୍ୟ ଜାରି ରହିଛି।
