Odisha Travel Bazaar : ଓଡ଼ିଶା ଟ୍ରାଭେଲ ବଜାରର ସପ୍ତମ ସଂସ୍କରଣ ଉଦଘାଟିତ, ପର୍ଯ୍ୟଟନ ବିକାଶକୁ ନୂଆ ଗତି
ଓଡ଼ିଶାକୁ ପର୍ଯ୍ୟଟକଙ୍କ ସ୍ୱର୍ଗ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ଅତିଥି ଦେବୋ ଭବଃ ମୂଳମନ୍ତ୍ରକୁ ଆପଣାଇ ଓଡ଼ିଶା ଆସୁଥିବା ପର୍ଯ୍ୟଟକଙ୍କୁ ସର୍ବୋତ୍ତମ ସମ୍ମାନ ଦେବାକୁ ଆହ୍ୱାନ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୨୯ଟି ସ୍ଥଳୀର ଟୁରିଷ୍ଟ ପୁଲିସ ଓ ଓସ୍ୱାଲି ଜରିଆରେ ୧ହଜାର ଲାଇଫଗାର୍ଡ ନିଯୁକ୍ତ ହେବେ।

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ନୂଆ ପରିଚୟ ଦେବା ଏବଂ ବ୍ୟାପକ ନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପର୍ଯ୍ୟଟନ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଦେଶ ଓ ବିଦେଶରୁ ଆସିଥିବା ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଏବଂ ଟୁରିଜିମ୍ ପାର୍ଟନରମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ପର୍ଯ୍ୟଟନ ଭିତ୍ତିଭୂମିକୁ ଅଧିକ ନିବେଶ-ଅନୁକୂଳ କରିବା ପାଇଁ ଷ୍ଟାର୍ ହୋଟେଲ୍ ନିର୍ମାଣରେ ସର୍ବନିମ୍ନ କୋଠରୀ ସଂଖ୍ୟା ୫୦ରୁ ହ୍ରାସ କରି ୧୦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ପୁଞ୍ଜି ସବ୍ସିଡିର ସୀମା ୨୦ କୋଟି ଟଙ୍କାରୁ ବୃଦ୍ଧି କରି ସର୍ବାଧିକ ୧୨୦ କୋଟି ଟଙ୍କା କରାଯାଇଛି। ୨୦୨୬ରୁ ୨୦୩୧ ମଧ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ୧,୫୦୦ କୋଟି ଟଙ୍କାର ବଜେଟ୍ ଏବଂ ୫,୫୦୦ ଏକରର ଏକ ବିଶାଳ ‘ଲ୍ୟାଣ୍ଡ ବ୍ୟାଙ୍କ’କୁ ମଞ୍ଜୁରି ଦିଆଯାଇଥିବା ସୂଚନା ଦିଆଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜ୍ୟର ୨୯ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ‘ଟୁରିଷ୍ଟ ପୋଲିସ’ ବ୍ୟବସ୍ଥା ଆରମ୍ଭ କରାଯିବ। ସେହିପରି ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ‘ଓସ୍ୱାଲି’ (OSWALI) ମାଧ୍ୟମରେ ୧,୦୦୦ ଜଣ ପ୍ରଶିକ୍ଷିତ ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ। ଅଧିକ ଭିଡ଼ ହେଉଥିବା ପର୍ଯ୍ୟଟନସ୍ଥଳୀରେ ‘ଡେଷ୍ଟିନେସନ୍ ମ୍ୟାନେଜର୍’ ମଧ୍ୟ ନିଯୁକ୍ତ ହେବେ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ‘ଅତିଥି ଦେବୋ ଭବଃ’ ମୂଳମନ୍ତ୍ରକୁ ଆପଣାଇ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ଉତ୍ତମ ଆତିଥ୍ୟ ପ୍ରଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ତାଙ୍କ ମତରେ, ପର୍ଯ୍ୟଟକମାନେ ଓଡ଼ିଶାର ଅନୁଭୂତିକୁ ନିଜ ସହ ନେଇଯିବା ସହ ରାଜ୍ୟର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡର ହୋଇପାରିବେ। ସୋସିଆଲ୍ ମିଡିଆ ଯୁଗରେ ଏକ ଅପ୍ରୀତିକର ଘଟଣା ଦ୍ରୁତ ଭାବେ ପ୍ରସାରିତ ହୋଇପାରୁଥିବାରୁ ପର୍ଯ୍ୟଟକଙ୍କୁ ସୁଖଦ ଅନୁଭୂତି ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ୫୭୫ କିଲୋମିଟର ଦୀର୍ଘ ସମୁଦ୍ରତଟ, ଭିତରକନିକାର ମ୍ୟାଙ୍ଗ୍ରୋଭ୍ ଜଙ୍ଗଲ, ଚିଲିକା ହ୍ରଦ ଏବଂ ହୀରାକୁଦ ଜଳଭଣ୍ଡାର ଭଳି ପର୍ଯ୍ୟଟନ ସମ୍ପଦକୁ ଆଧାର କରି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନିଆଯାଉଛି। ‘ବିକଶିତ ଓଡ଼ିଶା ଭିଜନ୍ ୨୦୩୬-୨୦୪୭’ ଅନୁଯାୟୀ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରାଯାଉଥିବା ବେଳେ ସ୍ଥାନୀୟ କାରିଗର, ଗାଇଡ୍ ଓ ଟୁର୍ ଅପରେଟରମାନଙ୍କୁ ଡିଜିଟାଲ୍ ଜ୍ଞାନକୌଶଳରେ ସଶକ୍ତ କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶା କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ, ବରଂ ନିଜେ ଏକ ବିଶ୍ୱ ଅନୁଭୂତି। ବୌଦ୍ଧ ଐତିହ୍ୟ, ହସ୍ତତନ୍ତ, ଐତିହ୍ୟସ୍ଥଳୀ, ଚିଲିକା ଓ ଇକୋ-ଟୁରିଜିମ୍ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ପ୍ରତିଫଳିତ କରୁଛି। ସ୍ଥାୟୀ ପର୍ଯ୍ୟଟନ ମାଧ୍ୟମରେ ନିଯୁକ୍ତି ଓ ଦକ୍ଷତା ବିକାଶ ସହ ରାଜ୍ୟ ଅର୍ଥନୀତିରେ ପର୍ଯ୍ୟଟନର ଅବଦାନକୁ ଆହୁରି ବଢ଼ାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଓଡ଼ିଶା ହେବ ‘ସ୍ପୋର୍ଟ୍ସ ହବ୍’: କପିଲ ଦେବ
କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି ଯେ କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନେ ଏକ ଦେଶର ବିଶ୍ୱ ପରିଚୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତି। ଓଡ଼ିଶା ଭାରତୀୟ ହକିର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଉଲ୍ଲେଖ କରି ସେ କହିଛନ୍ତି ଯେ ଆଗାମୀ ଦିନରେ ଓଡ଼ିଶା କେବଳ ପର୍ଯ୍ୟଟନ ନୁହେଁ, ଭାରତର ଏକ ପ୍ରମୁଖ ‘ସ୍ପୋର୍ଟ୍ସ ହବ୍’ ଭାବେ ମଧ୍ୟ ପରିଚିତ ହେବ।
ଓଡ଼ିଶାର ପର୍ଯ୍ୟଟନ ପ୍ରଚାର ପାଇଁ ନୂତନ ‘ଓଡ଼ିଶା ଟୁରିଜିମ୍ ପୋର୍ଟାଲ୍’ ଏବଂ ନିବେଶକଙ୍କ ସୁବିଧା ପାଇଁ ‘ଓଡ଼ିଶା ଟୁରିଜିମ୍ ଇନ୍ଭେଷ୍ଟମେଣ୍ଟ ଇନ୍ସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମ୍’ର ୱେବ୍ ଆପ୍ଲିକେଶନ୍ ଶୁଭାରମ୍ଭ କରାଯାଇଛି। ଏହାସହ ‘ପିଠା, ମିଠା ପଣା’ ନାମକ କଫି ଟେବୁଲ୍ ବୁକ୍ ଲୋକାର୍ପିତ ହୋଇଥିବା ବେଳେ ଆଗାମୀ ‘ପୁରୀ କୋଷ୍ଟାଲ୍ ମାରାଥନ୍’ର ଜର୍ସି ମଧ୍ୟ ଉନ୍ମୋଚନ କରାଯାଇଛି।
