Woman Customer Assaulted:ବାଉଁଶଦା ପୋଷ୍ଟ ଅଫିସରେ ମହିଳା ଗ୍ରାହକଙ୍କୁ ମାଡ଼
ପୋଷ୍ଟଅଫିସରେ ଟଙ୍କା ଉଠାଣକୁ ନେଇ ହଇରାଣ ହେବ ସହ ମାଡ଼ ଖାଇଛନ୍ତି ମହିଳା ଗ୍ରାହକ | ପୋଷ୍ଟମାଷ୍ଟର ବିରୋଧରେ ଥାନାରେ ଲିଖିତ ଅଭିଯୋଗ ପରେ ସାମ୍ନାକୁ ଆସିଛି ଏପରି ଘଟଣା |

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବାଉଁଶଦା ଶାଖା ପୋଷ୍ଟ ଅଫିସରୁ ସାମ୍ନାକୁ ଆସିଛି ଏକ ଅଭିଯୋଗଭିତ୍ତିକ ଘଟଣା। ପୋଷ୍ଟାଲ ଟଙ୍କା ଉଠାଇବାକୁ ଯାଇଥିବା ଜଣେ ମହିଳା ଗ୍ରାହକଙ୍କୁ ପୋଷ୍ଟମାଷ୍ଟର ନାରାୟଣ ବିନ୍ଧାଣୀ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମହିଳା ଗ୍ରାହକ ଜଣକ ପୋଷ୍ଟ ଅଫିସକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ତେବେ ଟଙ୍କା ଉଠାଣ ସମ୍ପର୍କରେ ପଚାରିବାରୁ ପୋଷ୍ଟମାଷ୍ଟର ଲିଙ୍କ୍ ନଥିବା ସମେତ ବିଭିନ୍ନ କାରଣ ଦର୍ଶାଇ ତାଙ୍କୁ ହଇରାଣ କରିଥିବାର ମହିଳା ଜଣକ କହିଛନ୍ତି ।ଏହାକୁ ନେଇ ମହିଳା ଜଣକ ପ୍ରତିବାଦ କରିବାରୁ ପୋଷ୍ଟମାଷ୍ଟର ଉତ୍କ୍ଷିପ୍ତ ହୋଇ ତାଙ୍କ ସହ ଅଭଦ୍ର ଆଚରଣ କରିବା ସହ ତାଙ୍କୁ ମାଡ଼ ମାରିଥିଲେ । ଘଟଣା ସମ୍ପର୍କରେ ଏସ୍.ବି.ଏମ୍. କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ତତ୍କାଳ କୌଣସି ସୁଫଳ ମିଳିନଥିବା ଅଭିଯୋଗକାରୀ ପକ୍ଷରୁ କୁହାଯାଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ, ଘଟଣା ସମ୍ପର୍କରେ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗର ସତ୍ୟତା କଣ ଏବଂ ଘଟଣାରେ ପ୍ରକୃତରେ କ’ଣ ଘଟିଥିଲା, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
