Puja Celebration: ପାରାଦୀପରେ ବିଶ୍ୱକର୍ମା ପୂଜାର ଧୁମ୍
ପାରାଦୀପରେ ଜମୁଛି ବିଶ୍ୱକର୍ମା ପୂଜାର ଧୁମ୍। ଢୋଲ, ବାଜା ଓ କଳଶ ଶୋଭାଯାତ୍ରାରେ ମୁଖରିତ ସହର। ଆକର୍ଷଣୀୟ ଥିମ୍ ରେ ସଜେଇ ହୋଇଛି ପୂଜାମଣ୍ଡପ, ଆଲୋକମାଳାରେ ଝଲସୁଛି ବନ୍ଦର ନଗରୀ।
ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ଏବେ ଉତ୍ସବର ମାହୋଲ। ଆଲୋକମାଳାରେ ଝଲସୁଛି ବନ୍ଦର ନଗରୀ। ଢୋଲ, ବାଜା, ଦୁଲୁଦୁଲି ଓ ଘଣ୍ଟଘଣ୍ଟାର ତାଳେ ତାଳେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଚାଲିଛି ଆରାଧନା। ବିଭିନ୍ନ ପୂଜାମଣ୍ଡପରେ ମଧ୍ୟ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପ୍ରତିଟି ପୂଜାମଣ୍ଡପ ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଭିତର ସାଜସଜ୍ଜା ମଧ୍ୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସାରା ସହର। ଆଗାମୀ ୭ ଦିନ ଧରି ବିଶ୍ୱକର୍ମା ପୂଜା ଚାଲିବାକୁ ଥିବା ବେଳେ ପ୍ରତି ସନ୍ଧ୍ୟାରେ ଯାତ୍ରା, ମେଲୋଡି ଓ ଭଜନ କାର୍ଯ୍ୟକ୍ରମରେ ଜମୁଛି ପୂଜା ମାହୋଲ। ଚଳିତ ବର୍ଷ ପାଗ ପ୍ରତିକୂଳ ଥିଲେ ମଧ୍ୟ ଆୟୋଜକଙ୍କ ଉତ୍ସାହରେ କୌଣସି କମି ନାହିଁ। ପୂଜାମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ କେଉଁଠି ଇଟାଲିଆନ୍ ରାଜପ୍ରାସାଦର ଢାଞ୍ଚା ଦିଆଯାଇଛି ତ କେଉଁଠି ଭିକ୍ଟୋରିଆ ପ୍ୟାଲେସର ଆକୃତି ଦିଆଯାଇଛି। ଆଉ କେଉଁ ମଣ୍ଡପରେ କେରଳର କଥକଲି ନୃତ୍ୟର ଝଲକ ଦେଖିବାକୁ ମିଳୁଛି। ଏଥିସହ ନେପାଳର ସଦ୍ୟ ଘଟିଥିବା ଜଳପ୍ରଳୟର ଦୃଶ୍ୟକୁ ମଧ୍ୟ କିଛି ପୂଜାମଣ୍ଡପରେ ସ୍ଥାନ ଦିଆଯାଇଛି। କେଉଁଠି ପୂଜାମଣ୍ଡପକୁ ପ୍ରଜାପତିର ରୂପ ଦିଆଯାଇଛି ତ ଆଉ କେଉଁଠି ଆଦିବାସୀ ପରମ୍ପରା ଓ ସଂସ୍କୃତିର ଚିତ୍ରକୁ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି।
ଦିନବେଳା ବର୍ଷା ତୁହାକୁ ତୁହା ଲାଗି ରହିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଜାରି ରହିଛି। ବାହାରୁ ଆସିଥିବା ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ସାମଗ୍ରୀର ପସରା ଖୋଲି ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି। ସେପଟେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପାରାଦୀପରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି। ସାରା ସହର ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଉଛି। ବିଭିନ୍ନ ସ୍ଥାନରେ ଅପେରା ଓ ମେଲୋଡି ପାଇଁ ମଞ୍ଚ ପ୍ରସ୍ତୁତ ରହିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ ଗହଳିଚହଳି ଲାଗି ରହିବାକୁ ଥିବା ବେଳେ ପାଗ ଅନୁକୂଳ ରହିଲେ ପ୍ରବଳ ଜନସମାଗମ ହେବା ନେଇ ଆଶା କରାଯାଉଛି। ପାଗ ଅନୁକୂଳ ରହିଲେ ଆଗାମୀ ଦିନରେ ପାରାଦୀପର ବିଭିନ୍ନ ପୂଜାମଣ୍ଡପରେ ଆହୁରି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି ଆୟୋଜକ।
