Shaivapeetha Tourism: ଡେଲାଙ୍ଗର ବିଶ୍ୱନାଥ ମୁଣ୍ଡିଆର ନିଆରା ପରମ୍ପରା
ପୁରୀ ଜିଲ୍ଲା ଡେଲାଙ୍ଗର ଐତିହ୍ୟ ସମ୍ପନ୍ନ ଶୈବପୀଠ ବିଶ୍ୱନାଥ ମୁଣ୍ଡିଆ। ପ୍ରତିଦିନ ଟୋକେଇରେ ବାବା ବିଶ୍ୱନାଥଙ୍କୁ ମୁଣ୍ଡରେ ବୋହି ପାହାଡ଼ ଉପରକୁ ନିଅନ୍ତି ପୂଜକ। ପର୍ଯ୍ୟଟନ ବିକାଶ ପାଇଁ ଆରମ୍ଭ ପ୍ରକ୍ରିୟା।
ପିପିଲି: ମୁଣ୍ଡ ଉପରେ ଟୋକେଇ, ଆଉ ଟୋକେଇ ଭିତରେ ଦେବ ଦେବ ମହାଦେବ। ଏଭଳି ଏକ ନିଆରା ପରମ୍ପରା ପାଇଁ ପରିଚିତ ପୁରୀ ଜିଲ୍ଲା ଡେଲାଙ୍ଗର ପ୍ରସିଦ୍ଧ ଶୈବପୀଠ ବାବା ବିଶ୍ୱନାଥ ମହାଦେବ। ମୁଣ୍ଡିଆ ଉପରେ ପୂଜା ପାଉଥିବାରୁ ମହାଦେବଙ୍କ ନାମ ଅନୁଯାୟୀ ଏହି ପାହାଡ଼ ‘ବିଶ୍ୱନାଥ ମୁଣ୍ଡିଆ’ ଭାବେ ପରିଚିତ। ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ପୂଜକ ମହାଦେବଙ୍କ ଶ୍ରୀବିଗ୍ରହକୁ ଟୋକେଇରେ ବସାଇ ମୁଣ୍ଡରେ ବୋହି ପାହାଡ଼ ଉପରେ ଥିବା ମନ୍ଦିରକୁ ନେଇଥାନ୍ତି। ସେଠାରେ ଯଥାରୀତି ପୂଜାର୍ଚ୍ଚନା ପରେ ସନ୍ଧ୍ୟାର ନୀତିକାନ୍ତି ଶେଷ ହେଲେ ପୁଣି ଟୋକେଇରେ ବସାଇ ବାବାଙ୍କୁ ପୂଜକଙ୍କ ଘରକୁ ନିଆଯାଇଥାଏ। ଡେଲାଙ୍ଗ ଷ୍ଟେସନ ବଜାରରୁ ଖୋର୍ଦ୍ଧା ଅଭିମୁଖେ ଯିବା ବାଟରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ନିକଟ ଜଗଦଳପୁର ଗାଁ ଦେଇ ଗଲେ ପଡ଼େ ଏହି ପ୍ରସିଦ୍ଧ ଶୈବପୀଠ। ପ୍ରାୟ ଦେଢ଼ କିଲୋମିଟର ପାହାଚ ଚଢ଼ିବା ପରେ ପାହାଡ଼ ଉପରେ ବାବା ବିଶ୍ୱନାଥଙ୍କ ଦର୍ଶନ ମିଳେ। ପାହାଡ଼ ଉପରୁ ଆଖପାଖ ଗାଁର ମନୋରମ ଦୃଶ୍ୟ ସାଙ୍ଗକୁ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପାହାଚ ଚଢ଼ିବାର କଷ୍ଟ ମଧ୍ୟ ଏହି ସୁନ୍ଦର ପରିବେଶ ମଧ୍ୟରେ ଅନେକାଂଶରେ ଭୁଲି ଯାଆନ୍ତି ପର୍ଯ୍ୟଟକ। ସ୍ଥାନୀୟ ପରମ୍ପରା ଅନୁଯାୟୀ, ମାର୍ଫତଦାରଙ୍କ ପରିବାର କିମ୍ବା ପୂଜକ ପ୍ରତିଦିନ ମହାଦେବଙ୍କୁ ଟୋକେଇରେ ବସାଇ ପାହାଡ଼ ଉପରକୁ ନେଇଥାନ୍ତି। ଶହେ ବର୍ଷରୁ ଅଧିକ ସମୟ ଧରି ମାର୍ଫତଦାର ବାଳକୃଷ୍ଣ ପଣ୍ଡା ଏବଂ ପରେ ଜୟକୃଷ୍ଣ ପଣ୍ଡାଙ୍କ ପରିବାର ଏହି ନୀତିକାନ୍ତି ସମ୍ପନ୍ନ କରିଆସୁଥିବା କୁହାଯାଏ। ଶିବରାତ୍ରି ଓ ମାଘସପ୍ତମୀ ଅବସରରେ ଯଜ୍ଞ ଅନୁଷ୍ଠିତ ହେଉଥିବାରୁ ଏହି ସମୟରେ ବାବା ବିଶ୍ୱନାଥ ପ୍ରାୟ ସାତ ଦିନ ଧରି ପାହାଡ଼ ଉପରେ ଥିବା ମନ୍ଦିରରେ ଅବସ୍ଥାନ କରନ୍ତି। ବାବା ବିଶ୍ୱନାଥଙ୍କୁ ନେଇ ଭକ୍ତଙ୍କ ମଧ୍ୟରେ ରହିଛି ଗଭୀର ଆସ୍ଥା। ମାନସିକଧାରୀଙ୍କ ପାଇଁ ଗୁହାରିଆ ପଡ଼ିବାର ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିଛି। ପାହାଡ଼ ଉପରୁ ଶ୍ରୀକ୍ଷେତ୍ରର ନୀଳଚକ୍ର ବାନା ଏବଂ ପ୍ରଭୁ ଲିଙ୍ଗରାଜଙ୍କ ବାନା ଦୃଶ୍ୟମାନ ହେଉଥିବା ସ୍ଥାନୀୟମାନେ କହିଛନ୍ତି। ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ଏବଂ ପୁରାତନ କାରୁକାର୍ଯ୍ୟ ମଧ୍ୟ ଏହି ପୀଠର ଐତିହ୍ୟକୁ ଦର୍ଶାଉଛି।
ପ୍ରତ୍ୟେକ ସଂକ୍ରାନ୍ତିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ବାବାଙ୍କ ଦର୍ଶନ କରୁଥିବା ଜଣାପଡ଼ିଛି। ଏହି ଐତିହ୍ୟ ସମ୍ପନ୍ନ ଶୈବପୀଠର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି। ପାହାଡ଼ ଉପରକୁ ପ୍ରାୟ ଦେଢ଼ କିଲୋମିଟର ପାହାଚ ଚଢ଼ିବା କଷ୍ଟସାଧ୍ୟ ହେଉଥିବାରୁ ଯାନବାହନ ଯାତାୟାତ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆଶ୍ରୟକକ୍ଷ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିକାଶ କରାଯିବାର ଯୋଜନା ରହିଛି। ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ମଧ୍ୟ ବିଶ୍ୱନାଥ ମୁଣ୍ଡିଆର ରହିଛି ବିଶେଷ ଗୁରୁତ୍ୱ। ଭୌମକର ଯୁଗରେ ଏଠାରେ ବୌଦ୍ଧ ଉପାସକମାନେ ଉପାସନା କରୁଥିବା ନେଇ ଐତିହାସିକ ଓ ସଂସ୍କୃତି ଗବେଷକମାନେ ମତ ଦେଇଛନ୍ତି। ଏହାକୁ ବୌଦ୍ଧ ଓ ଶୈବ ପରମ୍ପରାର ମିଳନସ୍ଥଳୀ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ। ପୁରାତନ ବୌଦ୍ଧ ପୀଠରୁ ଆଜିର ପ୍ରସିଦ୍ଧ ଶୈବପୀଠ, ବିଶ୍ୱନାଥ ମୁଣ୍ଡିଆ ଧାର୍ମିକ ଆସ୍ଥା, ପରମ୍ପରା, ଇତିହାସ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଅନନ୍ୟ ସମନ୍ୱୟ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସହ ଏହାର ବିକାଶ ଓ ସୌନ୍ଦର୍ଯ୍ୟକରଣ ହେଲେ ଆଗାମୀ ଦିନରେ ଏହି ପୀଠ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।
