କିର୍ଗିଜସ୍ତାନରେ PM ମୋଦି, SCO ସମ୍ମିଳନୀରେ ଯୋଗଦେବେ
କିର୍ଗିଜସ୍ତାନର ରାଜଧାନୀ ବିଶ୍କେକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ Narendra Modi। ଦୁଇ ଦିନିଆ ଗସ୍ତରେ ସେ ୨୬ତମ ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀ ଅବସରରେ SCO ସଦସ୍ୟ ଦେଶମାନଙ୍କ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। ସୁରକ୍ଷା, ସଂଯୋଗ ଏବଂ ଆଞ୍ଚଳିକ ସହଯୋଗ ଭଳି ପ୍ରମୁଖ ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ରଖିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ କିର୍ଗିଜସ୍ତାନର ରାଜଧାନୀ ବିଶ୍କେକରେ ପହଞ୍ଚିଛନ୍ତି। କିର୍ଗିଜସ୍ତାନ ରାଷ୍ଟ୍ରପତି ସାଦିର ଜାପାରୋଭଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ୨୬ତମ ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବିଶ୍କେକରେ ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ SCO ସଦସ୍ୟ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ରୁଷ, କିର୍ଗିଜସ୍ତାନ, ଇରାନ ଓ ଅନ୍ୟାନ୍ୟ ଦେଶର ନେତାଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। SCO ସମ୍ମିଳନୀରେ ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ ମୁକାବିଲା, ବାଣିଜ୍ୟ, ଅର୍ଥନୈତିକ ସହଯୋଗ ଏବଂ ଯୋଗାଯୋଗ ବ୍ୟବସ୍ଥା ସମେତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ। ସେପ୍ଟେମ୍ବର ୧ରେ ପ୍ରଧାନମନ୍ତ୍ରୀ ମୋଦି SCO ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ। ବିଶ୍କେକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହାସହ ମହାତ୍ମା ଗାନ୍ଧୀ ସ୍ମାରକୀ ପରିଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟ ଏସିଆ ସହ ଭାରତର କୂଟନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
