Political Tension in Dharmasala : ପ୍ରଣବଙ୍କ ଗାଡ଼ିକୁ ଅଣ୍ଡା-ଗୋବର ମାଡ଼!
ଧର୍ମଶାଳା ପନ୍ତୁରିରେ ବିଜେଡି ପଦଯାତ୍ରାକୁ ନେଇ ରାଜନୈତିକ ଉତ୍ତେଜନା | ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଗୋବର, ଅଣ୍ଡା ଓ ପଥର ମାଡ଼ ଅଭିଯୋଗ ହୋଇଛି | ଘଟଣାକୁ ନେଇ ବିଜେଡି ପକ୍ଷରୁ ଏସ୍ପିଙ୍କ ନିକଟରେ ଅଭିଯୋଗ |
ଧର୍ମଶାଳାର ପନ୍ତୁରି ଅଞ୍ଚଳରେ ପୁଣିଥରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି | ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ପଦଯାତ୍ରା ଚାଲିଥିବା ବେଳେ ବିଜେପି କର୍ମୀମାନେ ରାଜନୈତିକ ଆକ୍ରୋଶ ଭାବ ଦେଖାଇଛନ୍ତି | ତାଙ୍କ ଗାଡ଼ି ଉପରକୁ ଗୋବର ଓ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି | ଫଳରେ ଉଭୟଙ୍କଦଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ଏହାକୁ ନେଇ ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା | ପରେ ପରିସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ପଥର ଓ ଅଣ୍ଡା ମାଡ଼ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି | ଘଟଣାକୁ ନେଇ କିଛି ସମୟ ପାଇଁ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା | ଘଟଣାର ଖବର ପାଇ ଜେନାପୁର ପୋଲିସ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତିକୁ ଆୟତ୍ତ କରିପାରିନଥିବା ଜଣାପଡ଼ିଛି | ପରେ ବିଜେଡି ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟରେ ଏନେଇ ଲିଖିତ ଅଭିଯୋଗ କରାଯାଇଥିଲା | ବାରମ୍ବାର ଧର୍ମଶାଳା ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରି ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି | ଏହା ସହ ବିଜେଡି ପକ୍ଷରୁ ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିବା ସୂଚନା ମିଳିଛି |
