Puri Gundicha Temple: ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲିପାରେ ଗୁଣ୍ଡିଚା ମନ୍ଦିର
ଭକ୍ତଙ୍କ ଦର୍ଶନ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି; ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ, ଦାନବାକ୍ସ ଗଣତି ପାଇଁ ସିସିଟିଭି ବ୍ୟବସ୍ଥା।
ପୁରୀ: ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲିପାରେ ଶ୍ରୀଗୁଣ୍ଡିଚା ମନ୍ଦିର। ଆସନ୍ତା ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଭକ୍ତଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ଚାଲିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଗୁଣ୍ଡିଚା ମନ୍ଦିରର ସ୍ଥିତି ପରଖିଛନ୍ତି। ମହାମାରୀ କରୋନା ସମୟରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର। ଦୀର୍ଘଦିନ ଧରି ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାରୁ ଗୁଣ୍ଡିଚା ମନ୍ଦିର ଦର୍ଶନରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଗୁଣ୍ଡିଚା ମନ୍ଦିର ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ମନ୍ଦିର ବନ୍ଦ ଥିବାରୁ ନିରାଶ ହୋଇ ଫେରୁଛନ୍ତି। ଚାରିଧାମ ମଧ୍ୟରୁ ଅନ୍ୟତମ ଶ୍ରୀକ୍ଷେତ୍ର ଧାମ ପୁରୀ। ଶ୍ରୀମନ୍ଦିରଠାରୁ ବଡ଼ଦାଣ୍ଡରେ ପ୍ରାୟ ୩ କିଲୋମିଟର ଦୂରରେ ରହିଛି ଗୁଣ୍ଡିଚା ମନ୍ଦିର। ଧାର୍ମିକ ମତ ଅନୁଯାୟୀ, ଏହା ମହାପ୍ରଭୁଙ୍କ ଜନ୍ମବେଦୀ ଭାବେ ପରିଚିତ। ତେଣୁ ଗୁଣ୍ଡିଚା ମନ୍ଦିର ଖୋଲିବା ପାଇଁ ଦୀର୍ଘଦିନ ଧରି ସାଧାରଣରେ ଦାବି ହୋଇଆସୁଛି। ଏପଟେ ମନ୍ଦିର ଖୋଲିବା ପୂର୍ବରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ମନ୍ଦିର ଭିତରର ଅଧିକାଂଶ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦାନବାକ୍ସ ଗଣତି ପାଇଁ ସିସିଟିଭି ଲଗାଇବା କାର୍ଯ୍ୟ ମଧ୍ୟ ଜାରି ରହିଛି। ଏଥିସହ ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧା ପାଇଁ ରାମ୍ପ ବ୍ୟବସ୍ଥା କରାଯାଉଛି।
ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ, ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବ। ଜୋତା ଓ ମୋବାଇଲ୍ ପାଇଁ ନିଶୁଳ୍କ ବ୍ୟବସ୍ଥା ରହିବା ସହ ବରିଷ୍ଠ ନାଗରିକ ଓ ଛୋଟ ଶିଶୁଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ନିଶୁଳ୍କ ରହିବା ନେଇ ବ୍ୟବସ୍ଥା କରାଯାଉଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଗୁଣ୍ଡିଚା ମନ୍ଦିରର ଐତିହ୍ୟ ଓ ମାହାତ୍ମ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ବିଭିନ୍ନ ସ୍ଥାନରେ ସାଇନବୋର୍ଡ ଲଗାଯିବ। ମନ୍ଦିର ଖୋଲିବା ପରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି। ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ପରେ ଭକ୍ତଙ୍କ ହାତକୁ ମହାପ୍ରସାଦର କଣିକା ଟିକିଏ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଛନ୍ତି ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ। ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଏବଂ ଭକ୍ତଙ୍କ ପାଇଁ ଖୋଲିବା ନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଗୁଣ୍ଡିଚା ମନ୍ଦିର ଖୋଲିବା ପାଇଁ ବାରମ୍ବାର ସାଧାରଣରେ ଦାବି ହେଉଥିବା ବେଳେ, ଏବେ ସମସ୍ତଙ୍କ ନଜର ଅକ୍ଟୋବର ମାସ ଉପରେ। ଯଦି ସମସ୍ତ ପ୍ରସ୍ତୁତି ନିର୍ଦ୍ଧାରିତ ସମୟରେ ଶେଷ ହୁଏ, ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଉନ୍ମୁକ୍ତ ହେବାର ସମ୍ଭାବନା ରହିଛି।
