Shri Jagannath Darshan Yojana (SJDY): 'ଶ୍ରୀଜଗନ୍ନାଥ ଦର୍ଶନ' ଯୋଜନାର ଶୁଭାରମ୍ଭ: ବରିଷ୍ଠ ନାଗରିକଙ୍କୁ ମାଗଣା ଧାମ ଦର୍ଶନ
ବର୍ଷ ବର୍ଷର ଆଶା , ମୁହଁରେ ମହାପ୍ରଭୁଙ୍କ ନାଁ ଆଉ ଆଖିରେ ଖୁସିର ଲୁହ , କିଛି ଏମିତି ଦୃଶ୍ୟ ଗତ ରବିବାରଦିନ ଦେଖିବାକୁ ମିଳିଥିଲା ଓଡ଼ିଶାର ତିନି ଜିଲ୍ଲାରେ | ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’ କୁ ମିଳିଲା ଗ୍ରୀନ ସିଗନାଲ | ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୨୬ ଯାଏଁ ପ୍ରଥମ ପର୍ଯ୍ୟାୟ |
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ରାଜ୍ୟର ବରିଷ୍ଠ ନାଗରିକମାନେ | ଓଡ଼ିଶା ସରକାରଙ୍କ ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’ କୁ ଥିଲା ଅପେକ୍ଷା | ୨୦୨୬-୨୭ ଯୋଜନାର ପ୍ରଥମ ପର୍ଯ୍ୟାୟ ରବିବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭର୍ଚୁଆଲ ମାଧ୍ୟମରେ ଶ୍ରୀକ୍ଷେତ୍ର ଅଭିମୁଖେ ଗାଡିକୁ ଦେଲେ ଗ୍ରୀନ ସିଗନାଲ | ପ୍ରଥମ ତୀର୍ଥଯାତ୍ରୀ ଦଳରେ ତିନି ଜିଲ୍ଲାରୁ 910 ଜଣ ବରିଷ୍ଠ ନାଗରିକ |
ଧାମକୁ ପ୍ରଥମ ପର୍ଯ୍ୟାୟର ଏହି ଯାତ୍ରାରେ ଦକ୍ଷିଣ ଓଡ଼ିଶାର ତିନୋଟି ଜିଲ୍ଲା ଯଥା— ମଲକାନଗିରିରୁ ୪୯୦ ଜଣ, କୋରାପୁଟରୁ ୨୧୦ ଜଣ ଏବଂ ନବରଙ୍ଗପୁର ଜିଲ୍ଲାରୁ ୨୧୦ ଜଣଙ୍କୁ ମିଶାଇ ମୋଟ ୯୧୦ ଜଣ ବରିଷ୍ଠ ନାଗରିକ ପୁରୀ ଗସ୍ତ କରିଛନ୍ତି। ବାର୍ଦ୍ଧକ୍ୟ,ଶାରୀରିକ ଅସୁସ୍ଥତା କିମ୍ବା ପଇସା ଅଭାବରୁ କିଛି ଲୋକ ପୁରୀ ଯିବା ଆଶା ଛାଡିଦେଇଥିବାବେଳେ, OSRTC ଦ୍ୱାରା ପରିଚାଳିତ ଏସି ବସ୍ ମାଧ୍ୟମରେ ଯାତ୍ରୀମାନଙ୍କୁ ସେମାନଙ୍କ ଗ୍ରାମପଞ୍ଚାୟତରୁ ଜିଲ୍ଲା ସଦର ମହକୁମା ଓ ସେଠାରୁ ପୁରୀ ଅଣାଯିବାର ବ୍ୟବସ୍ଥା କରାଯାଇଛି।
ଶୁଭାରମ୍ଭ ଅବସରରେ,ପ୍ରତ୍ୟେକ ଓଡ଼ିଆଙ୍କ ମନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଥିବା ଭାବନାକୁ ସମ୍ମାନ ଜଣାଇବା ସରକାରଙ୍କ ମୁଖ୍ୟ ପ୍ରାଥମିକତା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । କୌଣସି ବୟସ୍କ ନାଗରିକ ଅଭାବ କାରଣରୁ ମହାପ୍ରଭୁଙ୍କ ଆଶୀର୍ବାଦ ରୁ ବଞ୍ଚିତ ନରହୁ, ଏହାହିଁ ହେଉଛି ଯୋଜନାର ମୂଳମନ୍ତ୍ର | ଏହି ଯୋଜନା ଅଧୀନରେ ଚଳିତ ବର୍ଷ ପାଖାପାଖି ୩୦ ହଜାର ଏବଂ ଆଗାମୀ ଦିନରେ ମୋଟ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ସରକାରୀ ଖର୍ଚ୍ଚରେ ଶ୍ରୀମନ୍ଦିର ଦର୍ଶନ ଲକ୍ଷ | ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୨୬ ମଧ୍ୟରେ ଚାଲିବାକୁ ଥିବା ଏହି ଯୋଜନାରେ ୧୩ଟି ଜିଲ୍ଲାରୁ ୧୦,୪୩୪ ଜଣ ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କ ନିରାପତ୍ତା ପାଇଁ ପ୍ରତ୍ୟେକ ବସ୍ରେ ୩ ଜଣ ଏସ୍କର୍ଟ ଅଫିସର, ଜଣେ ପାରାମେଡିକାଲ୍ ଷ୍ଟାଫ୍, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଦୈନିକ ୪ ଥର ଶାକାହାରୀ ଭୋଜନ ଏବଂ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସରକାରଙ୍କର ଏହି ଅଭିନଭ ପଦକ୍ଷେପକୁ ରାଜ୍ୟସାରା ପ୍ରଶଂସା ସୁଅ ଛୁଟୁଛି |
