Ac Tunnel: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏସି ଟନେଲ୍
ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବଡ଼ ନିଷ୍ପତ୍ତି: ବାହାରେ ନିର୍ମାଣ ହେବ ଏସି ଟନେଲ୍, ଖରା-ବର୍ଷାରୁ ମିଳିବ ଆଶ୍ୱସ୍ତି ।
ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଓ ସୁବିଧାଜନକ ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଖରା, ବର୍ଷା ଓ ପ୍ରବଳ ଗୁଳୁଗୁଳିରେ ଦୀର୍ଘ ସମୟ ଧରି ଅପେକ୍ଷା ନକରିବା ପାଇଁ ଶ୍ରୀମନ୍ଦିର ବାହାରେ ଏକ ଏସି ଟନେଲ୍ ନିର୍ମାଣ କରିବାକୁ ଯୋଜନା ହୋଇଛି। ସୂଚନା ଅନୁସାରେ, ସିଂହଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ଏହି ଏସି ଟନେଲ୍ ନିର୍ମାଣ କରାଯିବ। ଭକ୍ତମାନେ ଏହି ଟନେଲ୍ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଦୀର୍ଘ ସମୟ ଅପେକ୍ଷା କରୁଥିବା ଭକ୍ତଙ୍କ ପାଇଁ ଟନେଲ୍ ଭିତରେ ବସିବାର ବ୍ୟବସ୍ଥା ସହ ପାନୀୟ ଜଳର ସୁବିଧା ମଧ୍ୟ ରହିବ। ଫଳରେ ପ୍ରବଳ ଖରା ଓ ଗୁଳୁଗୁଳି ସମୟରେ ବ୍ୟାରିକେଡ୍ରେ ଦୀର୍ଘ ସମୟ ଧରି ଠିଆ ହୋଇ ରହୁଥିବା ଭକ୍ତମାନେ ଆଶ୍ୱସ୍ତି ପାଇପାରିବେ। ଏସି ଟନେଲ୍ର ରୂପରେଖା ଚୂଡ଼ାନ୍ତ କରିବା ପୂର୍ବରୁ ଶ୍ରୀମନ୍ଦିର ସେବକ ଏବଂ ପରିଚାଳନା କମିଟି ସହ ଆଲୋଚନା କରାଯିବ। ଏହା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଭକ୍ତଙ୍କୁ ସୁଖଦ ଦର୍ଶନର ଅନୁଭୂତି ଦେବା ପାଇଁ ନିକଟରେ ଶ୍ରୀମନ୍ଦିର ଭିତର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି। ଏହାପରେ ଏବେ ଶ୍ରୀମନ୍ଦିର ବାହାରେ ଏସି ଟନେଲ୍ ନିର୍ମାଣ ଯୋଜନା ଭକ୍ତଙ୍କ ପାଇଁ ଆଉ ଏକ ସୁବିଧା ଆଣିବାକୁ ଯାଉଛି। ବିଶେଷକରି ବରିଷ୍ଠ ନାଗରିକ, ମହିଳା ଓ ଛୋଟ ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ଉପକାରୀ ହେବ ବୋଲି ଆଶା କରାଯାଉଛି। ଶ୍ରୀମନ୍ଦିରକୁ ପ୍ରତିଦିନ ୬୦ ହଜାରରୁ ଅଧିକ ଭକ୍ତଙ୍କ ଆଗମନ ହେଉଥିବା କୁହାଯାଉଛି। ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ଯୋଗୁଁ ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ବ୍ୟାରିକେଡ୍ରେ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିବା କୁହାଯାଉଛି। ଗରମ ଓ ଗୁଳୁଗୁଳିରେ ଦୀର୍ଘ ସମୟ ଅପେକ୍ଷା କରିବା ଫଳରେ କିଛି ଭକ୍ତ ଅସୁସ୍ଥ ମଧ୍ୟ ହେଉଛନ୍ତି। ତେଣୁ ଏସି ଟନେଲ୍ ବ୍ୟବସ୍ଥାକୁ ସ୍ଥାୟୀ କରିବା ସହ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରିବାକୁ ମତ ପ୍ରକାଶ ପାଇଛି। ସରକାରଙ୍କ ଏସି ଟନେଲ୍ ଯୋଜନାକୁ ଭକ୍ତ ଓ ସେବାୟତମାନେ ସ୍ୱାଗତ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ଦର୍ଶନ ସମୟରେ ଭକ୍ତଙ୍କ ଅପେକ୍ଷାକୁ ଅଧିକ ସୁବିଧାଜନକ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
