Rain Alert For Odisha: ଓଡ଼ିଶାରେ ବର୍ଷା ଜାରି, ଗଣେଶ ପୂଜା ଓ ନୂଆଖାଇ ଉପରେ ପ୍ରଭାବ ଆଶଙ୍କା
ଗଣେଶ ଚତୁର୍ଥୀ ଓ ନୂଆଖାଇ ପୂର୍ବରୁ ଓଡ଼ିଶାରେ ବର୍ଷା ଜାରି। ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ୧୭ଟି ଜିଲ୍ଲାରେ ବଜ୍ରପାତ ଓ ଝଡ଼ବର୍ଷା ଆଶଙ୍କା ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା। କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ଷାର ପ୍ରଭାବରେ ଜନଜୀବନ ପ୍ରଭାବିତ ହେବା ସହ ଗଣେଶ ପୂଜା ଏବଂ ନୂଆଖାଇ ଉତ୍ସବ ଆୟୋଜନ ଉପରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ବିଭିନ୍ନ ଜିଲ୍ଲାରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଆଜି ଗଣେଶ ଚତୁର୍ଥୀ ଥିବାବେଳେ ଆସନ୍ତାକାଲି ନୂଆଖାଇ ପାଳନ ହେବ। ଏହି ସମୟରେ ପାଣିପାଗର ପରିବର୍ତ୍ତନ ଉତ୍ସବ ଆୟୋଜନ ଓ ଲୋକଙ୍କ ଯାତାୟାତ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ଆଜି କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ଆଶଙ୍କା ରହିଛି। ପାଣିପାଗର ଏଭଳି ସ୍ଥିତି ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଜାରି ରହିପାରେ। ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ତିତିଲାଗଡ଼ରେ ୪୫ ମିଲିମିଟର, ଭବାନୀପାଟଣାରେ ୨୬.୪ ମିଲିମିଟର, ଭଦ୍ରକରେ ୧୮ ମିଲିମିଟର, ଖୋର୍ଦ୍ଧାରେ ୧୨ ମିଲିମିଟର ଓ ସୋନପୁରରେ ୯.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି। ବର୍ଷା ସହ ବଜ୍ରପାତର ଆଶଙ୍କା ଥିବାରୁ ଖୋଲା ସ୍ଥାନରେ ନରହିବାକୁ ଏବଂ ପାଣିପାଗ ବିଭାଗର ସତର୍କ ସୂଚନାକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ମଧ୍ୟରେ ଗଣେଶ ପୂଜା ଓ ନୂଆଖାଇ ଉତ୍ସବ ପାଳନ ହେଉଥିବାରୁ ଆୟୋଜକ ଓ ଶ୍ରଦ୍ଧାଳୁମାନେ ମଧ୍ୟ ସତର୍କ ରହିବା ଆବଶ୍ୟକ।
