ସୂତା ନୁହେଁ, ସମ୍ପର୍କର ସୁରକ୍ଷା କବଚ ‘ରାକ୍ଷୀ’
କପାଳରେ ଟିକା, ହାତରେ ରାଖୀ, ସମ୍ପର୍କରେ ଭରସା । ରକ୍ଷାବନ୍ଧନ କେବଳ ଏକ ପର୍ବ ନୁହେଁ, ଭାଇ-ଭଉଣୀଙ୍କ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପବିତ୍ର ବନ୍ଧନ।
ଭୁବନେଶ୍ୱର: ଭାରତୀୟ ଧର୍ମ ଓ ସଂସ୍କୃତିରେ ରକ୍ଷାବନ୍ଧନ ଏକ ପବିତ୍ର ପର୍ବ। ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ ହେଉଥିବା ଏହି ପର୍ବ ଭାଇ-ଭଉଣୀଙ୍କ ସ୍ନେହ, ଭଲପାଇବା ଓ ପରସ୍ପର ସୁରକ୍ଷାର ପ୍ରତୀକ ଭାବେ ପରିଚିତ। ଏହି ଦିନ ଭଉଣୀ ଭାଇଙ୍କ କପାଳରେ ଟିକା ଲଗାଇ ତାଙ୍କ ହାତରେ ରାଖୀ ବାନ୍ଧିଥାନ୍ତି ଏବଂ ଭାଇଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥାନ୍ତି। ରାକ୍ଷୀ ପୂର୍ଣ୍ଣିମାକୁ ହିନ୍ଦୁ ଓ ଜୈନ ଧର୍ମର ଏକ ପ୍ରମୁଖ ପର୍ବ ଭାବେ ମନାଯାଏ। ରାକ୍ଷୀ ପୂର୍ଣ୍ଣିମାରେ ରାଖୀ ବା ରକ୍ଷାସୂତ୍ରର ବିଶେଷ ମହତ୍ତ୍ୱ ରହିଛି। ସାଧାରଣ ସୂତାଠାରୁ ଆରମ୍ଭ କରି ରଙ୍ଗିନ କଲାବା, ରେଶମୀ ସୂତା ଏବଂ ସୁନା କିମ୍ବା ରୁପା ଭଳି ମୂଲ୍ୟବାନ ସାମଗ୍ରୀରେ ରାଖୀ ତିଆରି ହୋଇଥାଏ। ରାଖୀ କେବଳ ଏକ ସୂତା ନୁହେଁ, ବରଂ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ଏକ ପ୍ରତୀକ ଭାବେ ବିବେଚିତ ହୁଏ।
ଏହି ଦିନ ଭଉଣୀମାନେ ଭଗବାନଙ୍କ ନିକଟରେ ଭାଇଙ୍କ ଉନ୍ନତି, ଦୀର୍ଘାୟୁ ଓ ମଙ୍ଗଳ ପାଇଁ ପ୍ରାର୍ଥନା କରନ୍ତି। ରାଖୀ ବାନ୍ଧିବା ପରେ ଭାଇମାନେ ମଧ୍ୟ ଭଉଣୀଙ୍କୁ ଉପହାର ଦେଇ ସେମାନଙ୍କ ପ୍ରତି ନିଜ ସ୍ନେହ ପ୍ରକାଶ କରନ୍ତି। ସାଧାରଣତଃ ଭଉଣୀ ଭାଇଙ୍କ ହାତରେ ରାଖୀ ବାନ୍ଧିଥାନ୍ତି। ତେବେ ପରମ୍ପରା ଅନୁସାରେ ବ୍ରାହ୍ମଣ ଓ ଗୁରୁମାନେ ମଧ୍ୟ ରକ୍ଷାସୂତ୍ର ବାନ୍ଧିଥାନ୍ତି। ରକ୍ଷାବନ୍ଧନର ମୂଳ ବାର୍ତ୍ତା ହେଉଛି ସ୍ନେହ, ଯତ୍ନ ଓ ପରସ୍ପର ସମ୍ମାନ। ବ୍ୟସ୍ତ ଜୀବନରେ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହର ବନ୍ଧନକୁ ଆହୁରି ଦୃଢ଼ କରିବାର ଏକ ସୁନ୍ଦର ଅବସର ଦେଇଥାଏ ଏହି ପବିତ୍ର ପର୍ବ।
