ଦାନଚୋରି ପରେ ବଡ଼ ସଂସ୍କାର- କିଏ ହେଲେ ସିଇଓ ଓ ମହାସଚିବ?
ଅଯୋଧ୍ୟା ରାମମନ୍ଦିରରେ ବଦଳିଛି ୬ ବର୍ଷର ପୁରୁଣା ପ୍ରଶାସନିକ ସିଷ୍ଟମ। ମନ୍ଦିର ଟ୍ରଷ୍ଟ ନିଯୁକ୍ତି ପରେ ମନ୍ଦିର ପରିଚାଳନା, ବ୍ୟବସ୍ଥାର ପୁରା ମଡେଲ ବଦଳିଯିବ।ରାମମନ୍ଦିର ଟ୍ରଷ୍ଟର ସିଇଓ ନିଯୁକ୍ତିରେ ତାଙ୍କର ୟୁପି କନେକ୍ସନ ଅଛି।ମୋଦିଙ୍କ ପାଖ ଲୋକ ଭାବେ ପରିଚିତ ଗୋବିନ୍ଦ।

ଅଯୋଧା ରାମମନ୍ଦିର ଟ୍ରଷ୍ଟର ସିଇଓ ଦାୟିତ୍ୱ ନେଲେ ଅବସରପ୍ରାପ୍ତ ଏୟାରମାର୍ସାଲ ଜିତେନ୍ଦ୍ର ମିଶ୍ରା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୁଧବାର ଜିତେନ୍ଦ୍ରଙ୍କ ନାଁ ଘୋଷଣା କରିଥିଲା। ଅଯୋଧ୍ୟା ରାମମନ୍ଦିରରେ ବଦଳିଛି ୬ ବର୍ଷର ପୁରୁଣା ପ୍ରଶାସନିକ ସିଷ୍ଟମ। ମନ୍ଦିର ଟ୍ରଷ୍ଟ ନିଯୁକ୍ତି ପରେ ମନ୍ଦିର ପରିଚାଳନା, ବ୍ୟବସ୍ଥାର ପୁରା ମଡେଲ ବଦଳିଯିବ। ସିଇଓଙ୍କ କାନ୍ଧରେ ଅନେକ ଦାୟିତ୍ୱଭାର ଦିଆଯାଇଛି। ଆୟୋଜନ, ମନ୍ଦିର ଦର୍ଶନ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ସୁବିଧା, କର୍ମଚାରୀ ନିଯୁକ୍ତି, ଆର୍ଥିକ ନେଣଦେଣ, ସୁରକ୍ଷା ସମନ୍ୱୟ, ଆଇଟି ଓ ଡିଜିଡାଲ ସମୀକ୍ଷାର ଦାୟିତ୍ୱ ଦିଆଯିବ। ମନ୍ଦିର ଦାନ ଚୋରି ବିବାଦ, ଏସଆଇଟି ଯାଞ୍ଚ, ବ୍ୟବସ୍ଥାରେ ତୃଟିରୁ ଏଥିରେ ସଂସ୍କାର ଆଣିବାକୁ ଏ ସବୁ କରାଯାଉଛି। ଏପର୍ଯ୍ୟନ୍ତ ଟ୍ରଷ୍ଟ ପଦାଧିକାରୀ, ସମିତି ଓ ଅଲଗା ଅଲଗା ଅଧିକାରୀ ମିଳିତ ଭାବେ ମନ୍ଦିରକୁ ସମ୍ଭାଳୁଛନ୍ତି। ସିଇଓଙ୍କ ନିଯୁକ୍ତି ପରେ ନୀତି, କ୍ରିୟାନ୍ୱୟନ ଭିତରେ ସ୍ପଷ୍ଟ ବିଭାଜନ, ଜବାବଦେହୀ, ଆର୍ଥିକ ସଞ୍ଚାଳନ, କର୍ମଚାରୀ ପ୍ରବନ୍ଧନ, ଶ୍ରଦ୍ଧାଳୁଙ୍କ ସୁବିଧା ଓ ପରିଯୋଜନାର ମନିଟରିଂ ପାଇଁ ଏକ ସେଣ୍ଟ୍ରାଲାଇଜ କାର୍ଯ୍ୟକାରୀ ବ୍ୟବସ୍ଥା ଆପଣାଇବାର ସମ୍ଭାବନା ରହିଛି। ଏସଆଇଟିର ପ୍ରାରମ୍ଭିକ ରିପୋର୍ଟରେ ଗଣତି କେନ୍ଦ୍ରରେ ଅନୁଧ୍ୟାନର ତୃଟି ଓ ଦାନ ଅର୍ଥ ଚୋରିରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଜିତେନ୍ଦ୍ର ମିଶ୍ରା ଅପରେସନ ସିନ୍ଦୂରର ପଶ୍ଚିମି ବାୟୁସେନାକୁ ଲିଡ୍ କରିଥିଲେ। ଏୟାରଫୋର୍ସରେ ସେ ୩୯ ବର୍ଷ ସେବା କରିଛନ୍ତି। ୧୮ ପ୍ରକାର ବିମାନ ଓ ହେଲିକପ୍ଟର ଉଡ଼ାଇଛନ୍ତି। ୩ହଜାରରୁ ଅଧିକ ଘଣ୍ଟାର ଉଡ଼ାଣ ଅନୁଭବ ରହିଛି। କାର୍ଗିଲ ଯୁଦ୍ଧରେ ମିରାଜ-୨୦୦୦ରୁ ନେଇ ଲେଜର ଗାଇଡେଡ୍ ବମ ସଞ୍ଚାଳନ ଟିମରେ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ୨୦୧୦ରେ ଜିତେନ୍ଦ୍ର ମିଶ୍ରା ଭାରତୀୟ ବାୟୁସେନା ଦଳର ଲିଡ୍ କରିଥିଲେ। ତାଙ୍କ ଘର ୟପିର ଦେଓ୍ୱରିଆରେ। ଅର୍ଥାତ ରାମମନ୍ଦିର ଟ୍ରଷ୍ଟର ସିଇଓ ନିଯୁକ୍ତିରେ ତାଙ୍କର ୟୁପି କନେକ୍ସନ ଅଛି। ୟୁପିରେ ପ୍ରାୟ ୧୩ ପ୍ରତିଶତ ବ୍ରାହ୍ମଣ ଅଛନ୍ତି। ଯେଉଁ ବର୍ଗରୁ ଆସିଛନ୍ତି ଜିତେନ୍ଦ୍ର। ସେପଟେ ଚମ୍ପତ ରାଏଙ୍କ ଜାଗାରେ ଗୋବିନ୍ଦ ଦେବ ଗିରିଙ୍କୁ ମହାସଚିବ କରାଯାଇଛି। ମୋଦିଙ୍କ ପାଖ ଲୋକ ଭାବେ ପରିଚିତ ଗୋବିନ୍ଦ। ରାମଲୀଳାଙ୍କ ପ୍ରାଣପ୍ରତିଷ୍ଠା ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ୧୧ଦିନର ଅନୁଷ୍ଠାନ କରାଇଥିଲେ। ପରେ ପଞ୍ଚାମୃତ ପିଆଇ ଏହାର ସମ୍ପନ୍ନ କରାଇଥିଲେ। ମନ୍ଦିର ଦାନଚୋରି ଘଟଣା ପରେ ସେ ଟ୍ରଷ୍ଟର ପକ୍ଷକୁ ମଝଭୁତ ଢଙ୍ଗରେ ତଦନ୍ତ ଏଜେନ୍ସି ଆଗରେ ଉପସ୍ଥାପନ କରିଥିଲେ। ଗଡ଼ବଡ଼ିକୁ ରୋକିବାକୁ ଦାନ ଅର୍ଥ ଗଣତି ବେଳେ ବିନା ପକେଟରେ ପୋଷାକ ପିନ୍ଧି ପ୍ରବେଶ ଓ ସିସିଟିଭି ନିୟମ ଲାଗୁ କରାଯାଇଛି। ୬ଟି ଭାଷାରେ ତାଙ୍କର ଅଗାଧ ଜ୍ଞାନ ଅଛି। ସେ ମଥୁରାର କୃଷ୍ଣ ଜନ୍ମଭୂମି ଟ୍ରଷ୍ଟର ଉପାଧ୍ୟକ୍ଷ ବି ଅଛନ୍ତି। ୨୯ ରାଜ୍ୟରେ ୩୭ଟି ବେଦ ବିଦ୍ୟାଳୟ ବି ଚଳାଉଛନ୍ତି। ଫେବୃଆରୀ ୫,୨୦୨୦ରେ ଟ୍ରଷ୍ଟ ତିଆରି ବେଳଠୁ ସେ କୋଷାଧ୍ୟକ୍ଷ ଭାବେ ରାମମନ୍ଦିରର ଆର୍ଥିକ ଦାୟିତ୍ୱଭାର ସମ୍ଭାଳିଆସୁଥିଲେ। ଏବେ ଟ୍ରଷ୍ଟରେ ୩ ନୂଆ ସଦସ୍ୟ ସାମିଲ ହୋଇଛନ୍ତି। ଦିଲ୍ଲୀର ମହେଶ ଭାଗଚନ୍ଦକା, ଅଯୋଧ୍ୟା ଆଡ଼ଭୋକେଟ ମଦନମୋହନ ପାଣ୍ଡେ ଓ ଆରଏସଏସ ସମର୍ଥକ ଶିକୋହାବାଦର ନିର୍ମଳା ଯାଦବ। ନିର୍ମଳା ଯାଦବ ଟ୍ରଷ୍ଟର ପ୍ରଥମ ମହିଳା ଟ୍ରଷ୍ଟି ହେଲେ। ଗୋବିନ୍ଦ ଦେବ ଗିରି ଟ୍ରଷ୍ଟର କୋଷାଧ୍ୟକ୍ଷ ଥିଲେ। ମହେଶ ଭାଗଚନ୍ଦକାଙ୍କୁ କୋଷାଧ୍ୟକ୍ଷର ଦାୟିତ୍ୱ ଦିଆଯାଇଛି। ନୂଆ ସିଇଓ ଓ କୋଷାଧ୍ୟକ୍ଷ ମହାସଚିବ ଗୋବିନ୍ଦ ଦେବ ଗିରିଙ୍କୁ ରିପୋର୍ଟ କରିବେ। ଏ ପରିବର୍ତ୍ତନ ମନ୍ଦିର ଦାନଚୋରି ମାମଲା ସାମ୍ନାକୁ ଆସିବାର ୩ ମାସ ପରେ ହୋଇଛି। ଏ ମାମଲାରେ ୮ ଅଭିଯୁକ୍ତ ଜେଲରେ ଅଛନ୍ତି। ଜୁଲାଇ ୨ରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାଏ ଓ ଟ୍ରଷ୍ଟି ଅନୀଲ ମିଶ୍ରା ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ ଅବସରପ୍ରାପ୍ତ ଆଇଏଫଏସ କୃଷ୍ଣମୋହନଙ୍କୁ କାର୍ଯ୍ୟବାହୀ ମହାସଚିବ କରାଯାଇଥିଲା। ସେ ଏହି ପଦରେ ୫୮ ଦିନ ଯାଏ ରହିଲେ।
