RBI Repo Rate Hike: RBI ବଢ଼ାଇଲା ରେପୋ ରେଟ୍,ବଢିବକି EMI ବୋଝ ?
ମହଙ୍ଗା ଓ ବିଶ୍ୱ ବଜାରର ଅସ୍ଥିରତା ମଧ୍ୟରେ RBIର ବଡ଼ ନିଷ୍ପତ୍ତି। ବୁଧବାର ଦିନ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର ବୃଦ୍ଧି ଘୋଷଣା କରି ଋଣ ନେଇଥିବା ବ୍ୟକ୍ତିଙ୍କୁ ଦେଇଛି ବଡ଼ ଝଟକା। ଘର ଋଣ ଠାରୁ ଆରମ୍ଭ କରି ଗାଡ଼ି ଋଣ ପର୍ଯ୍ୟନ୍ତ,ସବୁ ହେବ ମହଙ୍ଗା ।
ଚାରି ବର୍ଷ ପରେ ପ୍ରଥମଥର ପାଇଁ ରେପୋ ରେଟ୍ ବଢ଼ାଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)। ବୁଧବାର ତିନିଦିନିଆ ମୁଦ୍ରାନୀତି କମିଟି (MPC) ବୈଠକ ପରେ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ରେପୋ ରେଟ୍ରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛନ୍ତି। ଏହା ପରେ ରେପୋ ରେଟ୍ ୫.୨୫%ରୁ ବଢ଼ି ୫.୫୦% ହୋଇଛି। ଏହାର ପ୍ରଭାବରେ ଆଗାମୀ ଦିନରେ ହୋମ୍ ଲୋନ୍, କାର୍ ଲୋନ୍ ସମେତ ବିଭିନ୍ନ ଋଣର ସୁଧହାର ବଢ଼ିବା ସହ EMI ବୋଝ ବଢ଼ିପାରେ।
ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁଥିରେ RBI ବ୍ୟାଙ୍କଗୁଡ଼ିକୁ ସ୍ୱଳ୍ପ ମିଆଦି ପାଇଁ ଋଣ ପ୍ରଦାନ କରିଥାଏ। ବ୍ୟାଙ୍କଗୁଡ଼ିକ ଏହି ହାରକୁ ଆଧାର କରି ନିଜ ଗ୍ରାହକଙ୍କୁ ଦିଆଯାଉଥିବା ଋଣର ସୁଧ ହାର ନିର୍ଦ୍ଧାରଣ କରିଥାନ୍ତି। RBIର ମୁଦ୍ରା ନୀତି କମିଟି (MPC) ପ୍ରତି ଦୁଇ ମାସରେ ଥରେ ତିନି ଦିନିଆ ବୈଠକ ଅନୁଷ୍ଠିତ କରିଥାଏ। ରେପୋ ରେଟ୍ରେ ହେଉଥିବା ପରିବର୍ତ୍ତନ ସିଧାସଳଖ ଋଣଗ୍ରହୀତାମାନଙ୍କ ଉପରେ ପ୍ରଭାବ ପକାଇଥାଏ।
ଗତ ବୈଠକରେ ଆରବିଆଇ ଗଭର୍ଣ୍ଣର ପଶ୍ଚିମ ଏସିଆରେ ସଂଘର୍ଷ କାରଣରୁ ହୋଇଥିବା ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି, ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଶକ୍ତି ମୂଲ୍ୟ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ଖର୍ଚ୍ଚ ବୃଦ୍ଧି ଉପରେ ଆଲୋଚନା କରିଥିଲେ | ଏହି ତିନି ଦିନିଆ ବୈଠକରେ ବିଶ୍ୱ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ସେୟାର ବଜାରରେ ଅନିଶ୍ଚିତତାର ବାତାବରଣ କୁ ଦୃଷ୍ଟିରେ ରଖି ରେପୋ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ବୈଠକରେ ନିଆ ଯାଇଥିବା ନିଷ୍ପତି ଅନୁଯାୟୀ,ରେପୋ ରେଟ୍ ବୃଦ୍ଧି ସହ SDF ରେଟ୍ ୫.୨୫% ଏବଂ MSF ରେଟ୍ ୫.୭୫% କରାଯାଇଛି। ବିଶେଷ କଥା ହେଉଛି, ୨୦୨୬ର ଏପ୍ରିଲ, ଜୁନ୍ ଓ ଅଗଷ୍ଟ MPC ବୈଠକରେ ରେପୋ ରେଟ୍ ୫.୨୫%ରେ ଅପରିବର୍ତ୍ତିତ ରହିଥିଲା। ତେବେ ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଶ୍ୱ ମହଙ୍ଗାଇ ବଢ଼ିବାର ଆଶଙ୍କା ଏଥର RBIର ଚିନ୍ତା ବଢ଼ାଇଛି।
ସେହିପରି FY27 ପାଇଁ CPI ମହଙ୍ଗାଇ ଅନୁମାନ ୫%ରୁ ୫.୨% ଏବଂ କୋର୍ ମହଙ୍ଗାଇ ଅନୁମାନ ୪.୩%ରୁ ୪.୪% କରାଯାଇଛି। ଦୁର୍ବଳ ମୌସୁମୀ ବର୍ଷା ଓ ଅଲ୍ ନିନୋ ପ୍ରଭାବକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଅନ୍ୟପଟେ କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୬-୨୭ (FY27) ପାଇଁ ଏହାର ବାସ୍ତବ ଜିଡିପି ଅଭିବୃଦ୍ଧି ଅନୁମାନକୁ ୬.୭% ରୁ ବୃଦ୍ଧି କରି ୭.୧% କରିଛି। ଦ୍ୱିତୀୟ ତ୍ରୈମାସିକ ପାଇଁ ଏହି ଆକଳନକୁ ୬.୪% ରୁ ୭.୨% ଏବଂ ତୃତୀୟ ତ୍ରୈମାସିକ ପାଇଁ ୬.୫% ରୁ ୬.୯% କୁ ବୃଦ୍ଧି କରାଯାଇଥିବାବେଳେ, ଚତୁର୍ଥ ତ୍ରୈମାସିକ ପାଇଁ ଅନୁମାନ ୬.୮% ରେ ଅପରିବର୍ତ୍ତିତ ରହିଛି। ଏହି ନିଷ୍ପତ୍ତି ସହ ମୁଦ୍ରାନୀତିର ଆଭିମୁଖ୍ୟ ମଧ୍ୟ ‘ନ୍ୟୁଟ୍ରାଲ୍’ରୁ ‘କ୍ୟାଲିବ୍ରେଟେଡ୍ ଟାଇଟେନିଂ’କୁ ବଦଳିଛି।
