Sugar Stock Limit Reduced: ଚିନି ଷ୍ଟକ୍ ଅବଧି ୧୫ ଦିନକୁ ହ୍ରାସ
ଚିନିର ଅଭାବ କୁ ଆକାଶଛୁଆଁ ଦର | ପୂଜା ପୂର୍ବରୁ ଚିନି ବଜାର ନିୟନ୍ତ୍ରଣ କରିବାକୁ ସରକାରଙ୍କ ବଡ ଆକ୍ସନ |ଚିନି ବେପାରୀଙ୍କ ମନମୁଖୀ କାରବାର ଆଉ କଳାବଜାରୀ ରୋକିବାକୁ ଅକ୍ଟୋବର ୧୫ ରୁ ନୂଆ ନିୟମ | ଅନ୍ୟପଟେ ଚିନି ବଦଳରେ ମକା ଭଳି ଶସ୍ୟରୁ ଅଧିକ ଇଥାନଲ୍ ପ୍ରସ୍ତୁତ କରି ବଜାର ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ସରକାର।
ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭରୁ ଚିନି ବଜାରକୁ ନେଇ ଭାରତ ସରକାର ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି | ଯାହା ଦ୍ୱାରା ପାର୍ବଣରେ ଘରୋଇ ବଜାରରେ ଚିନିର ଯୋଗାଣ ସ୍ୱାଭାବିକ ରହିବ ଏବଂ ଖାଉଟିମାନେ ଉଚିତ୍ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ଚିନି ପାଇପାରିବେ। ଏହି ନୂଆ ନିୟମ ଅନୁଯାୟୀ, ଆଗାମୀ ଅକ୍ଟୋବର ୧୫ ରୁ ନଭେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଚିନି ବ୍ୟବସାୟୀ ବା ଡିଲରମାନଙ୍କ ପାଇଁ ଷ୍ଟକ୍ ରଖିବାର ଅବଧିକୁ ମାତ୍ର ୧୫ ଦିନ ରଖାଯାଇଛି। ଏହା ସହିତ ସାରା ଦେଶରେ ସର୍ବାଧିକ ଷ୍ଟକ୍ ସୀମା ୧,୦୦୦ କ୍ୱିଣ୍ଟାଲ ଧାର୍ଯ୍ୟ କରାଯାଇଛି। ତେବେ ଭୌଗୋଳିକ ଏବଂ ପରିବହନ ସମସ୍ୟାକୁ ଦୃଷ୍ଟିରେ ରଖି କେବଳ କୋଲକାତା ଏବଂ ଆସାମର ବ୍ୟବସାୟୀଙ୍କ ପାଇଁ ଏହି ସୀମା ୨,୦୦୦ କ୍ୱିଣ୍ଟାଲ ଧାର୍ଯ୍ୟ କରାଯାଇଛି। ମାସକୁ ୧୦ ମେଟ୍ରିକ ଟନରୁ ଅଧିକ ଚିନି ବ୍ୟବହାର କରୁଥିବା ବଡ଼ ବ୍ୟବସାୟୀ କିମ୍ବା ମିଠା ଦୋକାନ ଓ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀଙ୍କ ଭଳି ବଡ଼ ଉପଭୋକ୍ତା ମାନଙ୍କ ପାଇଁ ମଧ୍ୟ ୧୫ ଦିନର ବ୍ୟବହାର ଷ୍ଟକ୍ ସୀମା ଲାଗୁ ହୋଇଛି। ଏହା ସହିତ ଚିନି ମିଲ୍ଗୁଡ଼ିକୁ ସମସ୍ତ ଚିନି ୭ ଦିନ ମଧ୍ୟରେ ନିଜ ପରିସରରୁ ଖାଲି କରିବା ସହିତ କେବଳ ସରକାରୀ DFPD ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଡିଲରମାନଙ୍କୁ ହିଁ ଚିନି ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ, ଇଥାନଲ୍ ଉତ୍ପାଦନ ଯୋଗୁଁ ଚିନି ଦର ବଢୁଥିବା ଅଭିଯୋଗକୁ ସରକାର ଖଣ୍ଡନ କରିଛନ୍ତି। ୨୦୨୫-୨୬ ସିଜିନ୍ ପାଇଁ ଚିନିର ଇଥାନଲ୍ ଡାଇଭର୍ସନକୁ ମାତ୍ର ୯% କୁ ହ୍ରାସ କରାଯାଇଛି। ବର୍ତ୍ତମାନ ଦେଶର ୭୫% ଇଥାନଲ୍ ମୁଖ୍ୟତଃ ଶସ୍ୟରୁ ପ୍ରସ୍ତୁତ ହେଉଛି, ଯେଉଁଥିରେ ମକାର ଅଂଶ ୩୭% କୁ ବୃଦ୍ଧି ପାଇଛି। ୧୦ ଲକ୍ଷ ଟନ୍ କଞ୍ଚା ଚିନିର ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେବା ସହ ବଜାର ଦରକୁ ନିୟନ୍ତ୍ରଣ କରିବା ଓ କଳାବଜାରୀ ରୋକିବା ପାଇଁ ଚିନି ରପ୍ତାନି ଉପରେ କଟକଣା ଜାରି ରଖିଛନ୍ତି ସରକାର |
