SIR Controversy : SIRକୁ ନେଇ ବଡ଼ ବିବାଦ, ଜଷ୍ଟିସ ଭୂୟାଁଙ୍କୁ ସମାଲୋଚନା କଲେ ପୂର୍ବତନ ସିଜେଆଇ
SIR ବିବାଦକୁ ନେଇ ପୂର୍ବତନ CJI ବିଆର ଗଭାଇଙ୍କ ନ୍ୟାୟିକ ମର୍ଯ୍ୟାଦା ସମ୍ବନ୍ଧୀୟ ମତ ଓ ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଉଜ୍ଜଳ ଭୂୟାଁଙ୍କ ଭୋଟ ଅଧିକାର ସମ୍ବନ୍ଧୀୟ ମନ୍ତବ୍ୟକୁ ନେଇ ଆଇନ ଓ ରାଜନୈତିକ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି |

SIR ସମ୍ବନ୍ଧୀୟ ବିବାଦ ଏବେ ଆଇନ ଓ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। SIR ସମ୍ବନ୍ଧୀୟ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ, ଏହାକୁ ନେଇ ପୂର୍ବତନ CJI ବିଆର ଗଭାଇ ବିଚାରପତି ଉଜ୍ଜଳ ଭୂୟାଁଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି। ପୂର୍ବତନ CJI ବିଆର ଗଭାଇ କହିଛନ୍ତି ଯେ, କୌଣସି ବିଚାରାଧୀନ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତିମାନେ ସାର୍ବଜନୀନ ଭାବେ ମନ୍ତବ୍ୟ କରିବା ଉଚିତ୍ ନୁହେଁ। ଏପରି ମନ୍ତବ୍ୟ ନ୍ୟାୟିକ ମର୍ଯ୍ୟାଦା ବିରୋଧୀ ବୋଲି ସେ ମତ ଦେଇଛନ୍ତି।ଏହି ପ୍ରସଙ୍ଗରେ ନ୍ୟାୟମୂର୍ତ୍ତି ଉଜ୍ଜଳ ଭୂୟାଁଙ୍କ ଏକ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାରେ ରହିଛି। ୪ ସେପ୍ଟେମ୍ବରରେ NALSAR ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନ୍ୟାୟମୂର୍ତ୍ତି ଭୂୟାଁ କହିଥିଲେ ଯେ, ଲକ୍ଷ ଲକ୍ଷ ଭାରତୀୟ ନାଗରିକଙ୍କୁ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରୁଥିବା କୌଣସି ପ୍ରକ୍ରିୟା ମୂଳତଃ ସ୍ୱେଚ୍ଛାଚାରୀ ହୋଇପାରେ।ନ୍ୟାୟମୂର୍ତ୍ତି ଭୂୟାଁ ସାର୍ବଜନୀନ ମହଲରେ ଚର୍ଚ୍ଚିତ ବିଭିନ୍ନ ଆଇନଗତ ଓ ସାମାଜିକ ପ୍ରସଙ୍ଗରେ ନିଜ ମତ ରଖିବା ପାଇଁ ପରିଚିତ। ତେବେ ପୂର୍ବତନ CJI ଗଭାଇଙ୍କ ମତରେ, ଯେହେତୁ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ, ତେଣୁ ଏହା ସମ୍ପର୍କରେ ସାର୍ବଜନୀନ ମନ୍ତବ୍ୟ କରିବା ନ୍ୟାୟିକ ମର୍ଯ୍ୟାଦାର ପ୍ରଶ୍ନ ଉଠାଏ ।ଅନ୍ୟପକ୍ଷରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ନ୍ୟାୟମୂର୍ତ୍ତି ଆରଏସ୍ ସୋଢ଼ୀ କହିଛନ୍ତି ଯେ, କାହାର ଭୋଟ ଦେବାର ଅଧିକାର ରହିବ କି ନାହିଁ, ତାହା ଆଇନ ଉପରେ ନିର୍ଭର କରେ। ଯଦି କୌଣସି ବ୍ୟକ୍ତି ଆଇନର ନିର୍ଦ୍ଧାରିତ ପରିସର ଭିତରେ ଆସନ୍ତି, ତେବେ ତାଙ୍କର ଭୋଟ ଦେବାର ଅଧିକାର ରହିବ। ଆଇନର ପରିସରରେ ନଥିଲେ ସେହି ଅଧିକାର ଲାଗୁ ହେବ ନାହିଁ ବୋଲି ସେ ମତ ଦେଇଛନ୍ତି।ନ୍ୟାୟମୂର୍ତ୍ତି ଭୂୟାଁ ପୂର୍ବରୁ NALSAR ୟୁନିଭର୍ସିଟିର ଚାନ୍ସେଲର ମଧ୍ୟ ରହିସାରିଛନ୍ତି। ୪ ସେପ୍ଟେମ୍ବରର କାର୍ଯ୍ୟକ୍ରମରେ ସେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିବା ସହ ଜଣେ ଆଇନ ଛାତ୍ର କିପରି ହେବା ଉଚିତ୍, ସେନେଇ ମଧ୍ୟ ମତ ରଖିଥିଲେ। ଛାତ୍ରଛାତ୍ରୀଙ୍କୁ ସେ ପ୍ରତିଭାଶାଳୀ, ନିର୍ଭୀକ ଓ ସାହସୀ ହେବାକୁ ଆହ୍ୱାନ କରିଥିଲେ।
SIR ପ୍ରକ୍ରିୟାକୁ ନେଇ ଦାଏର ଯାଚିକାଗୁଡ଼ିକ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏହା ସହ ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ସମ୍ବନ୍ଧୀୟ କିଛି ନୂଆ ଆଇନର ବୈଧତା ଉପରେ ମଧ୍ୟ ଶୁଣାଣି ବାକି ରହିଛି। ନୂଆ ଆଇନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଚୟନ କମିଟିରୁ CJIଙ୍କୁ ବାଦ ଦିଆଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ତତ୍କାଳ ଅନ୍ତରୀଣ ଆଦେଶ ଦେବାକୁ ମନା କରିଥିଲେ ମଧ୍ୟ ନିର୍ବାଚନ ଆୟୋଗକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ନିଷ୍ପତ୍ତି ସମ୍ମତି ବିନା ନିଆଯାଇଥିବା ପ୍ରମାଣିତ ହୁଏ, ତେବେ ଆବଶ୍ୟକ ହେଲେ ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇପାରେ |
