3-Day Bank Strike: ୩ ଦିନିଆ ବ୍ୟାଙ୍କ ଧର୍ମଘଟ : ରବିବାର ବ୍ୟାଙ୍କ ଖୋଲା
ରବିବାର ଦିନ ବ୍ୟାଙ୍କ ଖୋଲାରହିବ ! ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ | ବ୍ୟାଙ୍କ ୟୁନିୟନଗୁଡ଼ିକର ଦେଶବ୍ୟାପୀ ଧର୍ମଘଟ ଡାକରାରେ ୩ ଦିନ ବ୍ୟାଙ୍କସେବା ବନ୍ଦ | ତେବେ ସାଧାରଣ ଜନତାଙ୍କୁ ଅସୁବିଧା ନହେଉ ,ସେଥିପାଇଁ ରିଜର୍ଭ ବ୍ୟାଙ୍କ ଆସନ୍ତା ରବିବାର, ସେପ୍ଟେମ୍ବର ୨୭ ତାରିଖରେ ଦେଶର ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ନେଇଛି ନିଷ୍ପତି | ଆଗୁଆ ଦରମା ଦେବାକୁ ନିର୍ଦ୍ଦେଶ
ବ୍ୟାଙ୍କ କର୍ମଚାରୀ ସଂଘ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ତେବେ ଏହି ସମୟରେ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ସରକାର ନେଇଛି ବଡ଼ ପଦକ୍ଷେପ । ଆସନ୍ତା ରବିବାର, ସେପ୍ଟେମ୍ବର ୨୭ ତାରିଖରେ ଦେଶର ସମସ୍ତ ବ୍ୟାଙ୍କ ଶାଖା ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଖୋଲା ରହିବ | ଆଶ୍ଚର୍ଯ୍ୟ ଲାଗୁଥିଲେ ବି, ବ୍ୟାଙ୍କିଙ୍ଗ ସେବାଗୁଡିକ ଠପ୍ ନହେଉ ଓ ଜନସାଧାରଙ୍କୁ ଆର୍ଥିକ ଅସୁବିଧା ନହେବାପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ (RBI) ଏବଂ ଅର୍ଥ ମନ୍ତ୍ରଣାଳୟ ।
ସେପ୍ଟେମ୍ବର ୨୬ ଶନିବାର ଏବଂ ୨୭ ରବିବାର ସାପ୍ତାହିକ ଛୁଟି ପରେ ଲଗାତାର ୩ ଦିନ ଧର୍ମଘଟ ଓ ପରେ ଅକ୍ଟୋବର ୨ ତାରିଖରେ ମଧ୍ୟ ଗାନ୍ଧୀ ଜୟନ୍ତୀ ଯୋଗୁଁ ପାଖାପାଖି ସପ୍ତାହେ ବ୍ୟାଙ୍କିଂ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିଲା। ଏହି ପରିସ୍ଥିତି ରୁ ବାହାରିବାପାଇଁ ସେପ୍ଟେମ୍ବର ୨୭ ରବିବାର ହେଲେ ମଧ୍ୟ, ଗ୍ରାହକମାନଙ୍କୁ ବ୍ୟାଙ୍କକୁ ଯାଇ ନିଜର ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିବାର ଅତିରିକ୍ତ ସମୟ ମିଳିବ ।
ଏହା ଛଡା, ଅର୍ଥ ମନ୍ତ୍ରଣାଳୟ ସବୁ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କେନ୍ଦ୍ର ସରକାର ନିଜର କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ସେପ୍ଟେମ୍ବର ୨୫ ତାରିଖରେ ହିଁ ଅଗ୍ରୀମ ଦରମା ଓ ପେନସନ୍ ପ୍ରଦାନ କରିବ। ସପ୍ତାହକୁ ୨ ଦିନ ଛୁଟି ଏବଂ ସମାନ ପେନସନ୍ ଦାବିରେ ବ୍ୟାଙ୍କ ୟୁନିୟନଗୁଡ଼ିକ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗ୍ରାହକମାନଙ୍କୁ ଏଟିଏମ୍, ୟୁପିଆଇ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ଭଳି ଡିଜିଟାଲ୍ ବ୍ୟାଙ୍କିଂ ବ୍ୟବହାର କରିବାକୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ପରାମର୍ଶ ଦିଆଯାଇଛି।
