Telangana Land Scam:ଜମି କେଳେଙ୍କାରୀର ଗୁମର ଖୋଲିବ କମିଟି, ଅଡୁଆରେ KCR!
ତେଲେଙ୍ଗାନାରେ ୧୬ଟି ଜମି ଅନିୟମିତତାର ତଦନ୍ତ ପାଇଁ ଦେବସେନାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ। KCR, KTR ଓ ହରିଶ ରାଓଙ୍କ ସହ ଜଡିତ ଜମି ମାମଲା ସମେତ ଜମି ଅଧିଗ୍ରହଣ ଓ କ୍ଷତିପୂରଣର ହେବ ଯାଞ୍ଚ।

ତେଲେଙ୍ଗାନାର ବିଭିନ୍ନ ଜିଲ୍ଲାରେ ଜମି ସହ ଜଡିତ ୧୬ଟି ଅନିୟମିତତାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏହି ମାମଲାଗୁଡ଼ିକ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (KCR) ଏବଂ ତାଙ୍କ ପରିବାର ସହ ଜଡିତ କିଛି ଜମି ମାମଲା ମଧ୍ୟ ରହିଛି । ଏହି କମିଟି ଯାଞ୍ଚ କଲେଜ ଓ ବୈଷୟିକ ଶିକ୍ଷା କମିଶନର ଏ. ଶ୍ରୀ ଦେବସେନାଙ୍କ ଅଧ୍ୟକ୍ଷତାରେ କରିବେ । KCRଙ୍କ ଏରାଭଲ୍ଲି, ମାର୍କୁକ ଓ ଶିବରାମ ଭେଙ୍କଟାପୁର ଅଞ୍ଚଳର ଜମି ସମ୍ପର୍କିତ ମାମଲା ସହିତ ପୂର୍ବତନ ମନ୍ତ୍ରୀ ଟି.ହରିଶ ରାଓ ଏବଂ କେ.ଟି.ରାମା ରାଓ (KTR)ଙ୍କ ସହ ଜଡିତ ଜମି ମାମଲାଗୁଡ଼ିକର ମଧ୍ୟ ଯାଞ୍ଚ କରାଯିବ । ଏହା ବ୍ୟତୀତ ଅନ୍ୟ ନେତା ଓ ସେମାନଙ୍କ ପରିବାର ସହ ସମ୍ପର୍କିତ ଜମି ମାମଲାଗୁଡ଼ିକୁ ମଧ୍ୟ ତଦନ୍ତ ପରିସରରେ ରଖାଯାଇଛି । ସରକାରୀ, ଆବଣ୍ଟିତ, ଦାନପ୍ରାପ୍ତ, ଜଙ୍ଗଲ ଓ ଅନ୍ୟାନ୍ୟ ବର୍ଗର ଜମି ସମ୍ପର୍କିତ ମାମଲା ଯାଞ୍ଚ କରିବ କମିଟି । ମଲ୍ଲାନ୍ନା ସାଗର ଓ ମିଡ୍ ମାନେୟର ଜଳାଶୟ ସହ ଜଡିତ ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ସମ୍ପର୍କିତ ବିଷୟଗୁଡ଼ିକର ମଧ୍ୟ ତଦନ୍ତ ହେବ । ସରକାରଙ୍କ ଅନୁସାରେ, ନିୟମ ଉଲ୍ଲଂଘନ ହୋଇଛି କି ନାହିଁ ତାହା କମିଟି ଚିହ୍ନଟ କରିବା ସହ ଦାୟିତ୍ୱ ନିର୍ଦ୍ଧାରଣ କରିବ । ଆବଶ୍ୟକ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ସୁପାରିଶ ମଧ୍ୟ କରିପାରିବ ।
