Utkal University Question Paper Leakଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ପୋଲିସରେ ଅଭିଯୋଗ
+୩ ଦ୍ୱିତୀୟ ସେମିଷ୍ଟର କମର୍ସ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ପ୍ରଚାର ହୋଇଥିବା ଅଭିଯୋଗ। ଘଟଣାର ସତ୍ୟତା ଯାଞ୍ଚ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ସହିଦନଗର ଥାନାରେ ଅଭିଯୋଗ କରିଛି।

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଚାଲିଥିବା +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଵା ଅଭିଯୋଗ ଉଠିଛି। ସେପ୍ଟେମ୍ବର ୧୭ରେ ଥିବା କମର୍ସ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆ ଓ ହ୍ୱାଟ୍ସଆପ୍ରେ ପ୍ରଚାର ହୋଇଥିବା ଅଭିଯୋଗ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ କହିବା ଅନୁସାରେ, ଲିକ୍ ନେଇ ସୂଚନା ମିଳିଥିଲେ ମଧ୍ୟ ଏହା ପ୍ରକୃତରେ ଲିକ୍ ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।
ପ୍ରଶ୍ନପତ୍ରର ଉତ୍ସ ଓ ସତ୍ୟତା ଯାଞ୍ଚ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ କରାଯାଇଛି। ଆବଶ୍ୟକ ହେଲେ ସାଇବର ପୋଲିସର ସହାୟତା ନିଆଯିବ। ସୂଚନା ଅନୁସାରେ, +୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇଛି ଏବଂ ପ୍ରାୟ ୩୦୦ଟି ସଂଲଗ୍ନ ମହାବିଦ୍ୟାଳୟରେ ଏହା ଅନୁଷ୍ଠିତ ହେଉଛି। ପରୀକ୍ଷା ସେପ୍ଟେମ୍ବର ୨୪ରେ ଶେଷ ହେବାକୁ ଥିବାବେଳେ, ନିୟମ ଅନୁସାରେ ସିଲ୍ ହୋଇଥିବା ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭର ପ୍ରାୟ ୩୦ ମିନିଟ୍ ପୂର୍ବରୁ ଖୋଲାଯାଏ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଉପକୁଳପତିଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ କରାଯାଇଛି। ଯଦି ତଦନ୍ତରେ ପ୍ରଶ୍ନପତ୍ର ପ୍ରକୃତରେ ଲିକ୍ ହୋଇଥିବା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ପରୀକ୍ଷା ପୁଣିଥରେ କରାଯିବ ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।
