Volcanic Eruption: ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ତାଣ୍ଡବ: ୫୦ ହଜାର ଫୁଟ୍ ଉଚ୍ଚକୁ ପାଉଁଶ, ୧୫୫୮ ବିମାନ ରଦ୍ଦ
ଇଣ୍ଡୋନେସିଆର ଅନାକ୍ କ୍ରାକାଟାଉ ଜ୍ୱାଳାମୁଖୀରେ ଲଗାତାର ବିସ୍ଫୋରଣ ପରେ ଆକାଶପଥରେ ବଡ଼ ପ୍ରଭାବ ପଡ଼ିଛି। ଜ୍ୱାଳାମୁଖୀରୁ ଧୂଆଁ ଓ ପାଉଁଶ ପ୍ରାୟ ୫୦ ହଜାର ଫୁଟ୍ ଉଚ୍ଚତାକୁ ଉଠିବାରୁ ୮ଟି ବିମାନବନ୍ଦର ବନ୍ଦ କରାଯାଇଥିବା ବେଳେ ୧୫୫୮ଟି ବିମାନ ରଦ୍ଦ ହୋଇଛି। ଫଳରେ ପ୍ରାୟ ୧.୭ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି।

ଜ୍ୱାଳାମୁଖୀ ବିସ୍ଫୋରଣରେ ଥରିଲା ଇଣ୍ଡୋନେସିଆ। ଅନାକ୍ କ୍ରାକାଟାଉ ଜ୍ୱାଳାମୁଖୀରେ ରବିବାର ଏକାଧିକ ଥର ବିସ୍ଫୋରଣ ହେବା ପରେ ବ୍ୟାପକ ଭାବେ ଧୂଆଁ ଓ ଆଗ୍ନେୟ ପାଉଁଶ ନିର୍ଗତ ହୋଇଥିଲା। ଏହି ପାଉଁଶ ପ୍ରାୟ ୫୦ ହଜାର ଫୁଟ୍ ଉଚ୍ଚତାକୁ ଉଠିଥିବାରୁ ବିମାନ ଚଳାଚଳ ଉପରେ ବଡ଼ ପ୍ରଭାବ ପଡ଼ିଛି। ଅନାକ୍ କ୍ରାକାଟାଉ ଜ୍ୱାଳାମୁଖୀ ଜାଭା ଓ ସୁମାତ୍ରା ମଧ୍ୟରେ ଥିବା ସୁଣ୍ଡା ଷ୍ଟ୍ରେଟ୍ରେ ଅବସ୍ଥିତ। ଗତ ଶୁକ୍ରବାରଠାରୁ ଏହି ଜ୍ୱାଳାମୁଖୀରେ ଅସ୍ଥିରତା ଦେଖାଦେଇଥିବା ବେଳେ ରବିବାର ସକାଳ ୩ଟା ୫୩ ମିନିଟ୍ ସମୟରେ ପ୍ରାୟ ୩୦ ସେକେଣ୍ଡ ଧରି ଏକ ବିସ୍ଫୋରଣ ହୋଇଥିଲା। ଏହାର ପ୍ରାୟ ୩ ଘଣ୍ଟା ପରେ ଆଉ ଏକ ଛୋଟ ବିସ୍ଫୋରଣ ହୋଇଥିଲା। ରବିବାର ରାତି ୮ଟା ୨୩ ମିନିଟ୍ରେ ମଧ୍ୟ ଆଉ ଏକ ବିସ୍ଫୋରଣ ରେକର୍ଡ କରାଯାଇଥିବା ସୂଚନା ମିଳିଛି। ଜ୍ୱାଳାମୁଖୀରୁ ବାହାରିଥିବା ଧୂଆଁ ଓ ପାଉଁଶର ଦୁଇଟି ବଡ଼ ସ୍ତର ଦେଖିବାକୁ ମିଳିଥିଲା। ଗୋଟିଏ ପ୍ରାୟ ୨୦ ହଜାର ଫୁଟ୍ ଏବଂ ଅନ୍ୟଟି ପ୍ରାୟ ୫୦ ହଜାର ଫୁଟ୍ ଉଚ୍ଚତାକୁ ଉଠିଥିଲା। ପବନରେ ଏହା ବାଣ୍ଟେନ୍, ଲେମ୍ପୁଙ୍ଗ୍ ଓ ବେଙ୍ଗକୁଲୁ ଦିଗକୁ ବ୍ୟାପିଥିବା ସୂଚନା ରହିଛି। ଜ୍ୱାଳାମୁଖୀର ପାଉଁଶ ବିମାନ ପାଇଁ ବିପଜ୍ଜନକ। ଇଞ୍ଜିନ୍ ଓ ବିମାନର ଅନ୍ୟାନ୍ୟ ଅଂଶରେ ଆଗ୍ନେୟ ପାଉଁଶ ପ୍ରଭାବ ପକାଇପାରୁଥିବାରୁ ବିମାନ ଚଳାଚଳକୁ ନେଇ କଟକଣା ଲଗାଯାଇଛି। ଧୂଆଁ ଓ ପାଉଁଶର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଜାକର୍ତ୍ତାର ସୋଏକାର୍ନୋ-ହାଟ୍ଟା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ହଲିମ୍ ପେର୍ଦାନାକୁସୁମା ଅନ୍ତର୍ଜାତୀୟ ବିମାନବନ୍ଦର ସମେତ ୮ଟି ବିମାନବନ୍ଦରରେ ସେବା ପ୍ରଭାବିତ ହୋଇଥିଲା। ଏହାର ପ୍ରଭାବରେ ୧୫୫୮ଟି ବିମାନ ରଦ୍ଦ କରାଯାଇଥିବା ବେଳେ ପ୍ରାୟ ୧.୭ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ପ୍ରଥମେ ବିମାନ ଚଳାଚଳ ସୋମବାର ସକାଳ ୮ଟା ୫୯ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା। ପରେ ସୋଏକାର୍ନୋ-ହାଟ୍ଟା ବିମାନବନ୍ଦରର ବନ୍ଦ ସମୟକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଇଣ୍ଡୋନେସିଆର ପରିବହନ ମନ୍ତ୍ରୀ କହିଛନ୍ତି ଯେ, ପାଣିପାଗର ସ୍ଥିତି ଲଗାତାର ବଦଳୁଥିବାରୁ ବିମାନ ସେବା ସମ୍ପର୍କରେ ତୁରନ୍ତ ଏକ ସ୍ଥାୟୀ ନିଷ୍ପତ୍ତି ନେବା କଷ୍ଟକର ହେଉଛି। ଅନ୍ୟପକ୍ଷରେ ପ୍ରଭାବିତ ଅଞ୍ଚଳରେ ସ୍କୁଲଗୁଡ଼ିକରେ ଅନଲାଇନ୍ କ୍ଲାସ୍ ଆରମ୍ଭ କରାଯାଇଛି। ଜ୍ୱାଳାମୁଖୀର ପାଉଁଶ ଓ ଧୂଆଁରୁ ସୁରକ୍ଷା ପାଇଁ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଏପର୍ଯ୍ୟନ୍ତ ବିସ୍ଫୋରଣରେ କୌଣସି ମୃତାହତ ଖବର ମିଳିନାହିଁ। ତେବେ ପୁଣି ଥରେ ବିସ୍ଫୋରଣର ସମ୍ଭାବନା ଥିବାରୁ ଜନସାଧାରଣଙ୍କୁ ଜ୍ୱାଳାମୁଖୀଠାରୁ ପ୍ରାୟ ୩ କିଲୋମିଟର ଦୂରେ ରହିବାକୁ କୁହାଯାଇଛି। ଅଧିକାରୀମାନେ ଜ୍ୱାଳାମୁଖୀର ଗତିବିଧି ଓ ଧୂଆଁର ବ୍ୟାପକତା ଉପରେ ନଜର ରଖିଛନ୍ତି।
