Witness Threat: ସାକ୍ଷୀଙ୍କୁ ଧମକ ଅଭିଯୋଗ: ବିକ୍ରମ ପଣ୍ଡାଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା
ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ସମେତ ମଦନ ଦଳେଇ ଓ ଜେଲ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ନାଁରେ ଗୋଷାଣୀନୂଆଗାଁ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା। ପୋଲିସ CCTV ଫୁଟେଜ୍ ଜବତ କରି ତଦନ୍ତ କରୁଛି।
ବ୍ରହ୍ମପୁର: ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ ପୁଣି ବଢ଼ିଛି ଅଡୁଆ। ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଗୋଷାଣୀନୂଆଗାଁ ଥାନାରେ ବିକ୍ରମ ପଣ୍ଡାଙ୍କ ସମେତ ଆଉ ଦୁଇଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ବିଜେଡି ନେତା ମଦନ ଦଳେଇ ଓ ବ୍ରହ୍ମପୁର ଜେଲର ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ନାଁ ମଧ୍ୟ ରହିଛି। ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ ବିଚାରଣା ସମୟରେ ସାକ୍ଷୀ ନଦେବା ପାଇଁ ଜଣେ ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା।
ଅଭିଯୋଗ ଅନୁଯାୟୀ, ଜେଲ ଡାକ୍ତରଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା। ଘଟଣା ସମ୍ପର୍କିତ CCTV ଫୁଟେଜ୍ ମଧ୍ୟ ପୋଲିସ ଜବତ କରିଥିବା କୁହାଯାଇଛି। ଧମକର ଶିକାର ହୋଇଥିବା ସାକ୍ଷୀ ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିକ୍ରମ ପଣ୍ଡାଙ୍କୁ ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ କରାଯାଇଥିଲା। ଅଗଷ୍ଟ ୩୧ ତାରିଖରେ ଓଡ଼ିଶା ହାଇକୋର୍ଟ ତାଙ୍କ ଗିରଫକୁ ଆଇନଗତ ତ୍ରୁଟି କାରଣରୁ ବାତିଲ କରି ମୁକ୍ତି ନିର୍ଦ୍ଦେଶ ଦେଇଥିଲେ। ତେବେ ମାମଲାର ମୂଳ ବିଚାରଣା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ସେହି ସହ ତାଙ୍କୁ ମୃତକଙ୍କ ପରିବାର, ଅଭିଯୋଗକାରୀ କିମ୍ବା କୌଣସି ସାକ୍ଷୀଙ୍କୁ ହଇରାଣ, ଧମକ କିମ୍ବା ପ୍ରଭାବିତ ନକରିବାକୁ ସର୍ତ୍ତ ଦିଆଯାଇଥିଲା। ନୂଆ ଅଭିଯୋଗରେ ଥିବା ଧମକ ମାମଲାର ତଦନ୍ତ ଆଗକୁ ବଢ଼ିବା ସହ CCTV ଫୁଟେଜ୍ ଓ ଅନ୍ୟାନ୍ୟ ତଥ୍ୟକୁ ପୋଲିସ ଯାଞ୍ଚ କରୁଥିବା ସୂଚନା ରହିଛି। ଏହି ଘଟଣା ନେଇ ବ୍ରହ୍ମପୁର ଏସପି ଡା. ସ୍ରବଣା ବିବେକ ଏମ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା କୁହାଯାଇଛି।
