Women Cricket Team win gold At Asian Games 2026: ଏସିଆନ୍ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ, ଶ୍ରୀଲଙ୍କାକୁ ୧୪୭ ରନ୍ରେ ହରାଇଲା ମହିଳା କ୍ରିକେଟ୍ ଟିମ୍
ଏସିଆନ୍ ଗେମ୍ସ ୨୦୨୬ ମହିଳା କ୍ରିକେଟ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମାଙ୍କ ଦମଦାର ପ୍ରଦର୍ଶନରେ ଭାରତ ଚାମ୍ପିଅନ୍ ହୋଇଛି।

ନିସିନ୍: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ମହିଳା ଟି-୨୦ କ୍ରିକେଟ୍ ଫାଇନାଲରେ ଶ୍ରୀଲଙ୍କାକୁ ୧୪୭ ରନ୍ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛି ଭାରତ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୬ ରନ୍ କରିଥିଲା। ଓପନର୍ ସ୍ମୃତି ମନ୍ଧାନା ୪୫ ବଲ୍ରେ ୭୯ ରନ୍ କରିଥିବା ବେଳେ ଶେଫାଳୀ ବର୍ମା ୪୮ ରନ୍ କରି ଭାରତକୁ ଦୃଢ଼ ଆରମ୍ଭ ଦେଇଥିଲେ। ଶେଷ ଓଭର ଗୁଡ଼ିକରେ ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ ଭାରତର ସ୍କୋରକୁ ୨୧୬ରେ ପହଞ୍ଚାଇଥିଲା। ରିଚା ମାତ୍ର ୨୨ ବଲ୍ରେ ଅପରାଜିତ ୪୯ ରନ୍ କରିଥିଲେ। ଏହା ଏସିଆନ୍ ଗେମ୍ସ ମହିଳା କ୍ରିକେଟ୍ ଇତିହାସର ସର୍ବାଧିକ ଦଳୀୟ ସ୍କୋର ହୋଇଛି। ୨୧୭ ରନ୍ର ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ସାମ୍ନା କରିପାରିନଥିଲା। ଦଳ ୧୫.୪ ଓଭରରେ ୬୯ ରନ୍ରେ ଅଲଆଉଟ୍ ହୋଇଥିଲା। ଦୀପ୍ତି ଶର୍ମା ୩ଟି ୱିକେଟ୍ ନେଇଥିବା ବେଳେ ଶେଫାଳୀ ବର୍ମା ୨ଟି ୱିକେଟ୍ ନେଇଥିଲେ। ଏହି ବିଜୟ ସହ ଭାରତ ମହିଳା କ୍ରିକେଟ୍ରେ ଏସିଆନ୍ ଗେମ୍ସର ଦ୍ୱିତୀୟ କ୍ରମାଗତ ସ୍ୱର୍ଣ୍ଣ ଜିତିଛି।
