World's oldest banyan tree:ସବୁଠୁ ପୁରୁଣା ଗଛର ବିଶ୍ୱ ସ୍ୱୀକୃତି : ରେଡିଓକାର୍ବନ୍ ଡେଟିଂ ରୁ ବିହାରକୁ ନୂଆ ଉପଲବ୍ଧି
ଶାସକଙ୍କ ଦରବାର, ଗ୍ରାମସଭା ଓ ରଙ୍ଗୀନ ସାଂସ୍କୃତିକ ଆଦାନପ୍ରଦାନର ମୂକସାକ୍ଷୀ ସାଜିଥିବା ଏହି ସବୁଜ ଛତ୍ରଛାୟା, ବିଶ୍ୱର ସବୁଠାରୁ ପୁରୁଣା ବରଗଛ
ବିହାରର ମୁଙ୍ଗେର ସହରରେ ମୁଣ୍ଡଟେକି ଠିଆ ହୋଇଥିବା ଏକ ବିଶାଳ ବରଗଛକୁ ବିଶ୍ୱର ସବୁଠାରୁ ପୁରୁଣା ବରଗଛ ଭାବେ ସ୍ୱୀକୃତି ମିଳିଛି। ବୀରବଲ ସାହାଣୀ ଜୀବାଶ୍ମ ବିଜ୍ଞାନ ସଂସ୍ଥାନ (BSIP) ଦ୍ୱାରା କରାଯାଇଥିବା ରେଡିଓକାର୍ବନ୍ ବିଶ୍ଳେଷଣ ଆଧାରରେ ଏହି ବୃକ୍ଷର ବୟସ ପ୍ରାୟ ୭୦୦ ବର୍ଷ ବୋଲି ପ୍ରମାଣ କରିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (DST) ଏହାକୁ ବିଶ୍ୱର ସବୁଠାରୁ ପୁରୁଣା, ସଠିକ୍ ତାରିଖ ନିର୍ଦ୍ଧାରିତ ବରଗଛ ଭାବେ ସ୍ୱୀକୃତି ଦେଇଛି। ଏହି ସନ୍ଧାନ ସ୍ଥାନୀୟ ଇତିହାସକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ପୂର୍ବରୁ ଧାରଣା ଥିଲା ଯେ ଏହି ଗଛଟି ୩୦୦ ରୁ ୩୫୦ ବର୍ଷ ପୁରୁଣା 'ବୁଢ଼ା ବଙ୍ଗଳା' ନିର୍ମାଣ ସମୟରେ ଲଗାଯାଇଥିଲା। ମାତ୍ର ବୈଜ୍ଞାନିକ ସତ୍ୟ ପ୍ରମାଣିତ କରିଛି ଯେ ଏହି ପ୍ରାଚୀନ ବୃକ୍ଷ ବଙ୍ଗଳା ନିର୍ମାଣର ବହୁ ପୂର୍ବରୁ ଆଞ୍ଚଳିକ ଜଙ୍ଗଲର ଏକ ଜୀବନ୍ତ ସ୍ମାରକୀ ଭାବେ ବିରାଜମାନ ଥିଲା। ଶାସକଙ୍କ ଦରବାର, ଗ୍ରାମସଭା ଓ ରଙ୍ଗୀନ ସାଂସ୍କୃତିକ ଆଦାନପ୍ରଦାନର ମୂକସାକ୍ଷୀ ସାଜିଥିବା ଏହି ସବୁଜ ଛତ୍ରଛାୟା, ଜୈବବିବିଧତାର ସଂରକ୍ଷଣ ଓ ପ୍ରାଚୀନ ବୃକ୍ଷ ଅଧ୍ୟୟନ ପାଇଁ ବିଶ୍ୱରେ ଏକ ନୂଆ ଆଶାର କିରଣ ଦେଖାଇଛି।
