‘Zero Tolerance’ Policy On Drugs: ନିଶା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ବାର୍ତ୍ତା
ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | କମିଶନରେଟ୍ ପୋଲିସ ପକ୍ଷରୁ ଗତ କାଲି ରେଳ ଅଡିଟୋରିୟମରେ ଆୟୋଜିତ ଏହି ଜନସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଶା ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି କହିଛନ୍ତି |

ନିଶା ବିରୋଧରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ | ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ଆଉ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ | ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | କମିଶନରେଟ୍ ପୋଲିସ ପକ୍ଷରୁ ଗତ କାଲି ରେଳ ଅଡିଟୋରିୟମରେ ଆୟୋଜିତ ଏହି ଜନସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଶା ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି କହିଛନ୍ତି | ଏହି ଅବସରରେ କମିଶନରେଟ୍ ପୋଲିସର ‘ନିଶାମୁକ୍ତ ଭାରତ’ ସମ୍ବନ୍ଧୀୟ ସ୍ୱତନ୍ତ୍ର ୱେବସାଇଟ୍ର ମଧ୍ୟ ଶୁଭାରମ୍ଭ କରାଯାଇଛି | ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଶା କେବଳ ଜଣେ ବ୍ୟକ୍ତିର ଜୀବନ ନଷ୍ଟ କରେ ନାହିଁ, ବରଂ ସମଗ୍ର ପରିବାର ଓ ସମାଜକୁ ପ୍ରଭାବିତ କରେ | ଯୁବପିଢ଼ିକୁ ନିଶାଠାରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳତା ଦିଗରେ ଆକର୍ଷିତ କରିବା ‘ଜୀବନ ଜିନ୍ଦାବାଦ-୨.୦’ର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି | ଏହି ଅବସରରେ ରାଜ୍ୟର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ‘ଜୀବନ ଜିନ୍ଦାବାଦ’, ‘ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ’ ଏବଂ ସଚେତନମୂଳକ ନାଟକ ‘ଭୂତ ମଣିଷର ନିଶାକୁ ନା’ ମଞ୍ଚସ୍ଥ ହୋଇଥିଲା | ଏହି ସମସ୍ତ ନାଟକ ଓ ନୃତ୍ୟ ପ୍ରଦର୍ଶନଗୁଡ଼ିକର ଭୂୟସୀ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନାଟକଗୁଡ଼ିକରୁ ପ୍ରତ୍ୟେକେ ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନେବା ଉଚିତ | ସାମ୍ପ୍ରତିକ ପରିସ୍ଥିତିରେ ଅଧିକାଂଶ ଜଘନ୍ୟ ଅପରାଧ ଓ ମହିଳା ହିଂସା ପଛରେ ନିଶା ସେବନ ମୁଖ୍ୟ କାରଣ ପାଲଟିଥିବା ନେଇ ଗଭୀର ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି | ମଦ୍ୟପାନ କରି ଗାଡ଼ି ଚଳାଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ ସ୍ୱୀକାର କରିଛନ୍ତି | ଚୋରା ଓ ବିଷାକ୍ତ ମଦ କାରବାର ରୋକିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି | ଏହାସହ ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଶିଦ୍ଧ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି | ୨୦୨୯ ଶେଷ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାର ଲକ୍ଷ୍ୟ ପୂରଣରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ନିଶା ସେବନ ଯୋଗୁଁ ଅପରାଧ ଓ ମହିଳା ହିଂସା ବଢ଼ୁଥିବା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି | ପିଲାମାନଙ୍କ ଆଚରଣ ଓ ବ୍ୟବହାରରେ ହଠାତ୍ ପରିବର୍ତ୍ତନକୁ ପିତାମାତା ‘ରେଡ୍ ଫ୍ଲାଗ୍’ ଭାବେ ଗ୍ରହଣ କରି ସତର୍କ ହେବାକୁ ସେ ପରାମର୍ଶ ଦେଇଛନ୍ତି | “ନିଶାକୁ ନାଁ, ଜୀବନକୁ ହଁ” ଏବଂ “Life is beautiful, Don’t destroy it” ବାର୍ତ୍ତାକୁ ପ୍ରତ୍ୟେକ ଗାଁ ଓ ସହରରେ ପହଞ୍ଚାଇ ସୁସ୍ଥ ଓ ସଚେତନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ବିଶିଷ୍ଟ ଅତିଥି ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଯୁବବର୍ଗ ଉପସ୍ଥିତ ଥିଲେ |
