ସାଉଦି ଆରବରେ ପ୍ରାଚୀନ ମନ୍ଦିର ଉଦ୍ଧାର

ସାଉଦି ଆରବରେ ପ୍ରାଚୀନ ମନ୍ଦିର ଉଦ୍ଧାର। ୮୦୦୦ ବର୍ଷର ପୁରୁଣା ସଭ୍ୟତା ଆବିଷ୍କୃତ। ସାଉଦି ଆରବର ମରୁଭୂମିରେ ଏକ ସର୍ଭେ ସମୟରେ ଚମତ୍କାର ପ୍ରାଚୀନ ମନ୍ଦିର ଆବିର୍ଭୂତ ହୋଇଛି। ଏହି ସର୍ଭେ ସମୟରେ ବହୁ ପୁରାତନ ମନ୍ଦିର, ବେଦୀ ଓ ଅନେକ ଜିନିଷ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହି ମନ୍ଦିର ପ୍ରାୟ ୮ ହଜାର ବର୍ଷ ପୁରୁଣା ହୋଇଥିବା ବେଳେ ଏଠାରେ ମାନବ ବସତିର ଅବଶିଷ୍ଟାଂଶ ମଧ୍ୟ ମିଳିଛି। କିଣ୍ଡା ରାଜ୍ୟର ରାଜଧାନୀ ଅଲ-ଫାଓରେ ଏହି ସର୍ଭେ ହୋଇଛି।
ଅଲ-ଫାଉ ଅଲ-ରୁବ ‘ଅଲ-ଖାଲି’ ନାମକ ଏକ ମରୁଭୂମି କଡରେ ଅବସ୍ଥିତ। ଏହା ୱାଡି ଅଲ-ଦାୱାସୀରଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ। ସୂଚନା ଅନୁଯାୟୀ, ଏକ ବହୁ-ଜାତୀୟ ଦଳ ସାଉଦି ଆରବ ହେରିଟେଜ୍ କମିଶନଙ୍କ ତରଫରୁ ଏକ ସର୍ଭେ କରିବାକୁ ଅଲ-ଫାଓକୁ ଯାଇଥିଲେ। ତେବେ ସର୍ଭେ କରୁଥିବା ଲୋକମାନେ ଆକାଶରୁ ନେଇ ଭୂମିର ଗଭୀର ପର୍ଯ୍ୟନ୍ତ ସର୍ଭେ କରିଥିଲେ।
ଏହାରି ମଧ୍ୟରେ ସର୍ଭେକାରୀ ଦଳ ଅନେକ ପ୍ରାଚୀନ ଜିନିଷ ସଂଗ୍ରହ କରିଥିଲେ। ଏହି ସର୍ଭେ ରିପୋର୍ଟରେ ପ୍ରୀଚୀନ ଯୁଗର ଅନେକ ତଥ୍ୟ ମିଳିବା ସହ ଏଥିରେ ବହୁ ଜିନିଷ ମଧ୍ୟ ମିଳିଛି। ତେବେ ଏହି ସର୍ଭେରେ ମିଳିଥିବା ଜିନିଷ ଗୁଡିକ ମଧ୍ୟରୁ ସବୁଠାରୁ ଖାସ୍ ଜିନିଷ ଥିଲା ପଥର ତିଆରି ମନ୍ଦିର (ଷ୍ଟୋନ ଟେମ୍ପୁଲ) ଓ ବେଦୀ ଉପରେ ତିଆରି ହୋଇଥିବା ଯଜ୍ଞର କୁଣ୍ଡ ଦେଖିବାକୁ ମିଳିଛି। ପ୍ରାଚୀନ କାଳର ଜିନିଷ ସବୁ ଲୋପ ପାଇଥିବା ବେଳେ ଭୂମି ତଳେ ଆବିଷ୍କୃତ ହୋଇଛି ପ୍ରାଚୀନ ଯୁଗର କଳାକୃର୍ତ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବିଶ୍ୱାସ କରାଯାଏ, ଅଲ-ଫାଓର ପୁରାତନ ଲୋକମାନେ ଏଠାରେ ଯଜ୍ଞାନୁଷ୍ଠାନ କରିଥିବା ଜଣାପଡିଛି। ଅଲ-ଫାଓର ପୂର୍ବ ପାର୍ଶ୍ୱରେ ମିଳିଥିବା ଏହି ପଥର ମନ୍ଦିର ତୁୱେଇକ୍ ପର୍ବତର ଗୋଟିଏ ପାର୍ଶ୍ୱରେ ରହିଛି। ଯାହାକୁ ଖଶେମ କାରିହା କୁହାଯାଇଥାଏ।

ଏହା ବ୍ୟତୀତ, ୮ ହଜାର ବର୍ଷର ପୁରାତନ ନବପାଷାଣକାଳର ମାନବ ବସତିର ଅବଶିଷ୍ଟାଂଶ ମଧ୍ୟ ମିଳିଛି। ଅନ୍ୟପଟେ ବିଭିନ୍ନ ସ୍ଥାନରେ ୨ ହଜାର ୮୦୭ କବର ମଧ୍ୟ ଏହି ସ୍ଥାନରେ ଦେଖିବାକୁ ମିଳିଛି।
ଅଲ-ଫାଓରେ ଭୂମିରୁ ଅନେକ ଧାର୍ମିକ ଲେଖା ମଧ୍ୟ ଉଦ୍ଧାର ହୋଇଛି। ଯେଉଁଥିପାଇଁ ପୂର୍ବକାଳରେ ଏଠାରେ ଉପସ୍ଥିତ ରହିଥିବା ଲୋକଙ୍କର ଆଧ୍ୟାତ୍ମିକତାକୁ ବୁଝାଉଛି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଛି। ଏହି ସର୍ଭେରେ ଅଲ-ଫାଓର ଭୌଗଳିକ ଗଠନ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ ଉଲ୍ଲେଖ ରହିଛି। ଏହି ଷ୍ଟଡିରେ ଅଲ-ଫାଓର ଜଟିଳ ଜଳସେଚନ ବ୍ୟବସ୍ଥା ମଧ୍ୟ ପ୍ରକାଶ ପାଇଛି। କେନାଲ, ପାଣି ଟାଙ୍କି ବ୍ୟତୀତ ସ୍ଥାନୀୟ ଲୋକମାନେ ଏଠାରେ ଶହ ଶହ ଗାତ ଖୋଳିଥିଲେ, ଯାହାଫଳରେ ସେମାନେ ବର୍ଷା ଜଳକୁ ସଂରକ୍ଷଣ କରି ଜମିରେ ଜଳସେଚନ କରୁଥିବା ଜଣାପଡିଛି। ଏହି ସର୍ଭେ ମାଧ୍ୟମରେ ଜଣାପଡିଛି ଯେ, ଦୁନିଆର ସବୁଠାରୁ କଠିନ ମରୁଭୂମିରେ ପ୍ରାଚୀନ କାଳର ଲୋକମାନେ ରହି କିପରି ବର୍ଷା ଜଳକୁ ସଂରକ୍ଷଣ କରି ତାକୁ କାମରେ ଲଗାଉଥିଲେ।
ସେପଟେ ପ୍ରାଚୀନ କାଳର ବହୁ ପଥର କଳାକୃତି, ଶିକାର, ଭ୍ରମଣ ଏବଂ ଯୁଦ୍ଧ ବିଷୟରେ ମଧ୍ୟ ଅନେକ ଜିନିଷ ଉପଲବ୍ଧ ହୋଇଛି। କହିରଖିବୁ ଯେ, ହେରିଟେଜ୍ କମିଶନ ଏହି ସର୍ଭେ କରୁଛନ୍ତି କାରଣ ସେମାନେ ଦେଶରେ ଉପସ୍ଥିତ ଥିବା ଐତିହ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଏହି ସର୍ଭେ ମାଧ୍ୟମରେ ଯାହା ସବୁ ଆବିଷ୍କୃତ ହେଉଛି ତାହାକୁ ସଂରକ୍ଷଣ କରି ରଖିବାକୁ ଚାହୁଁଛନ୍ତି। ଏହି ଅନୁସନ୍ଧାନ ଅଲ-ଫାଓରେ ଜାରି ରହିବ ଯାହାଦ୍ୱାରା ଅଧିକ ନୂତନ ଜିନିଷ ମିଳିପାରିବ।
ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ