ରିଲାଏନ୍ସ କମ୍ୟୁନିକେସନ ଲିମିଟେଡର ଲୋନ୍ ଆକାଉଣ୍ଟ ଫ୍ରଡ୍!

ବ୍ୟାଙ୍କରୁ ଲୋନ୍ ନେଲେ। କିନ୍ତୁ ଏହାର ଦୁରୁପଯୋଗ କରାଗଲା। ଏଭଳି ବିବାଦରେ ଛନ୍ଦି ହୋଇଛନ୍ତି ରିଲାଏନ୍ସ ଗ୍ରପ୍ ର ଅଧ୍ୟକ୍ଷ ଅନୀଲ ଅମ୍ୱାନୀ। କାନାଡ଼ା ବ୍ୟାଙ୍କ ଏ ସନ୍ଦର୍ଭରେ ଅମ୍ୱାନୀଙ୍କୁ ପଠାଇଛି ନୋଟିସ୍। ଯେଉଁ ଉଦ୍ଦେଶ୍ୟରେ ଋଣ ନେଇଥିଲା କମ୍ପାନୀ, ତାକୁ ସେ ଉଦ୍ଦେଶ୍ୟରେ ନ ଲଗାଇ ଏହାର ଦୁରୁପଯୋଗ କରିଥିବା ଅଭିଯୋଗ କରି ବ୍ୟାଙ୍କ୍ ନୋଟିସ୍ କରିଛି। ରିଲାଏନ୍ସ କମ୍ୟୁନିକେସନ ଲିମିଟେଡର ଲୋନ୍ ଆକାଉଣ୍ଟ ଫ୍ରଡ୍। ଏହି ଆକାଉଣ୍ଟକୁ ଫ୍ରଡ୍ କାହିଁକି ଘୋଷଣା କରାଯିବନି କହି ନୋଟିସ୍ କରିଛି କାନାଡ଼ା ବ୍ୟାଙ୍କ୍। ଏହି ଲୋନ୍ ଆକାଉଣ୍ଟରେ ବ୍ୟାପକ ଦୁରୁପଯୋଗ ହୋଇଥିବାର ସଙ୍ଗୀନ ଆରୋପ ଲଦି ବ୍ୟାଙ୍କ ଏତେ ବଡ଼ ପଦକ୍ଷେପ ନେବାକୁ ଆଗେଇ ଆସିଛି। ଅକ୍ଟୋବର ୨୮ରୁ ବ୍ୟାଙ୍କ ଏହି ନୋଟିସ୍ ଜାରି କଲାଣି। ଆଉ ଆର-କମ୍ ଏହି ନୋଟିସ ବାବଦରେ ଶୁକ୍ରବାର ହିଁ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ଏହି ନୋଟିସରେ ରିଲାଏନ୍ସ ଟେଲିକମ  କମ୍ପାନୀ ବ୍ୟାଙ୍କରୁ ନେଇଥିବା ୧ହଜାର୫୦କୋଟି ଟଙ୍କାର ଋଣର ଦୁରୁପଯୋଗ କରିଥିବା କୁହାଯାଇଛି। ବ୍ୟାଙ୍କରୁ ଯେଉଁ ସର୍ତ୍ତରେ ଋଣ ମଞ୍ଜୁରୀ ହୋଇଥିଲା, ତାକୁ ଉଲ୍ଲଂଘନ କରିଛି ଆର-କମ୍‌। ଫଳରେ ଏହାର ଋଣ ପରିଶୋଧ ବି ହୋଇପାରିନି। ମାର୍ଚ୍ଚ ୯, ୨୦୧୭ରେ ଏହି ଋଣକୁ ଏନପିଏ ବା ନନ୍ ପରଫର୍ମିଂ ଆସେଟ୍ ରୂପରେ କମ୍ପାନୀ ଦେଖାଇଥିଲା। ଯେଉଁଥିରେ ଟର୍ମ ଲୋନ୍, ଗ୍ୟାରେଣ୍ଟି ଓ ଲେଟର ଅଫ୍ କ୍ରେଡିଟ୍ ସାମିଲ ଥିଲା। ଏହି ତ୍ରୁଟି ଲାଗି ଏରିକ୍ସନ ଇଣ୍ଡିଆ ପ୍ରାଇଭେଟ୍ ଆରକମ୍ ବିରୁଦ୍ଧରେ ଇନସଲଭେନ୍ସିର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଅକ୍ଟୋବର ୧୫, ୨୦୨୦ରେ ଫରେନସିକ ଅଡିଟ୍ ବି ହୋଇଥିଲା। ଯେଉଁଥିରେ ପାଣ୍ଠିର ଦୁରୁପଯୋଗ ହୋଇଥିବା ପଦାକୁ ଆସିଥିଲା। ଅଡିଟ୍ ଅନୁସାରେ, ଆର-କମ୍ ଓ ଏହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଟେଲିକମ୍ ଓ ରିଲାଏନ୍ସ ଇନଫ୍ରାଟେଲ୍ ଅଲଗା ଅଲଗା ବ୍ୟାଙ୍କରୁ ସାମୂହିକ ରୂପରେ ୩୧ହଜାର୫୮୦ କୋଟି ଟଙ୍କାର ଋଣ ନେଇଥିଲେ। ଏଥିରୁ ୧୩ହଜାର୬୬୭ କୋଟି ୭୩ ଲକ୍ଷ ଟଙ୍କାକୁ ଅନ୍ୟ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରାଯାଇଥିଲା। ଆଉ ୧୨ହଜାର୬୯୨କୋଟି ୩୧ ଲକ୍ଷ ଟଙ୍କା ଅନ୍ୟ ପକ୍ଷକୁ ଟ୍ରାନ୍ସଫର କରାଯାଇଥିଲା। ଅଡିଟରୁ ସ୍ପଷ୍ଟ ହୋଇଥିଲା ଯେ, ଋଣ ପରିମାଣର ୬ହଜାର୨୬୫ କୋଟି ୮୫ ଲକ୍ଷ ଟଙ୍କା କେବଳ ଅନ୍ୟ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧରେ ଲଗାଯାଇଥିଲା। ଯାହାକୁ ସର୍ତ୍ତର ଖୋଲା ଉଲ୍ଲଂଘନ କରିଛି। ଏହା ବାଦ୍ ଅତିରିକ୍ତ ୫ହଜାର୫୦୧ କୋଟି ୫୬ ଲକ୍ଷ ଟଙ୍କା ଏହା ସହ ସମ୍ୱନ୍ଧିତ ପକ୍ଷକୁ ଦିଆଯାଇଥିଲା ବେଳେ ୧୮୮୩କୋଟି ୮ଲକ୍ଷ ଟଙ୍କା ଏମିତି ଉପକରଣରେ ନିବେଶ ହୋଇଥିଲା, ଯାହାକୁ ପରେ ଅନଧିକୃତ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା। ଏମିତି ଟ୍ରାନ୍ସଆକ୍ସନରୁ ପାଣ୍ଠିର କେମିତି ଡାଇଭର୍ଜନ ହୋଇଥିଲା, ସଙ୍କେତ ମିଳିଥିଲା।

କେବଳ ଏତିକି ନୁହେଁ। ରିଲାଏନ୍ସ ଟେଲିକମ ଲିମିଟେଡକୁ ରିଲାଏନ୍ସ କମ୍ୟୁନିକେସନ ଇନଫ୍ରାଷ୍ଟ୍ରକଚର ଜରିଆରେ ଲୋନ୍ ଟଙ୍କା ପଠାଯାଇଥିଲା। ଆଉ ଏହାକୁ ପୁଣି ଆର-କମକୁ ଟ୍ରାନ୍ସଫର କରିଦିଆଯାଇଥିଲା। ଏହି ଫଣ୍ଡକୁ ଆରକମ୍ ଋଣ ପରିଶୋଧରେ ଲଗାଯାଇଥିଲା। ଅଡିଟ୍ ଏ କଥା ବି ଧରିଥିଲା ଯେ, ପୁଞ୍ଜିଗତ ବିନିଯୋଗ ପାଇଁ ବ୍ୟାଙ୍ ଅଫ ବରୋଦା ପକ୍ଷରୁ ମଞ୍ଜୁରୀ ଋଣର ବି ଦୁରୁପଯୋଗ ହୋଇଛି। ଆର-କମ୍ ଜାନୁଆରୀ ୨୦୧୫ରେ ଟେଲିକମ ଇନଫ୍ରାଷ୍ଟ୍ରକଚର ଫାଇନାନ୍ସକୁ ସେୟାର ଆବଣ୍ଟିତ କରି ୧୩ଶହ କୋଟି ଟଙ୍କା ଯୋଗାଡ଼ କରିଥିଲା। କିନ୍ତୁ ଏହି ରାଶିର ସଠିକ ସଦୁପଯୋଗ ବଦଳରେ ଏହାର ବଡ଼ ଭାଗ ମ୍ୟୁଚୁଆଲ ଫଣ୍ଡରେ ନିବେଶ ସହ ଋଣ ପରିଶୋଧରେ ଲଗାଇଥିଲା କମ୍ପାନୀ।

ପୂର୍ବରୁ ରିଲାଏନ୍ସ କମ୍ୟୁନିକେସନ ଇନସଲଭେନ୍ସି ପ୍ରୋସେସରେ ଛନ୍ଦି ହୋଇଛି। ଆଉ ଏବେ କାନାଡ଼ା ବ୍ୟାଙ୍କର ଏହି ନୋଟିସ ଅନୀଲ ଅମ୍ୱାନୀଙ୍କ ସମସ୍ୟାକୁ ବଢ଼ାଇଦେଇଛି। ରିଲାଏନ୍ସ କମ୍ୟୁନିକେସନ, ରିଲାଏନ୍ସ ଇନଫ୍ରାଟେଲ୍ ଓ ରିଲାଏନ୍ସ ଟେଲିକମ୍ ଲିମିଟେଡର ଆକାଉଣ୍ଟକୁ ଫ୍ରଡ୍ ଘୋଷିତ କରିବାକୁ ଯାଉଛି କାନାଡ଼ା ବ୍ୟାଙ୍କ। ତେବେ ରିଲାଏନ୍ସର ଲୋନ୍ ଆକାଉଣ୍ଟ ଫ୍ରଡ୍ ଘୋଷିତ କରିବାରେ ଏହା ହେଉଛି କୌଣସି ବ୍ୟାଙ୍କ ପକ୍ଷରୁ ଚତୁର୍ଥ ପଦକ୍ଷେପ। ଏହା ଆଗରୁ ଡିସେମ୍ୱର ୨୦୨୦ରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ବି ରିଲାଏନ୍ସର ଆକାଉଣ୍ଟକୁ ଫ୍ରଡ୍ ବୋଲି ଘୋଷିତ କରିସାରିଥିଲା। ୨୦୧୮ରେ ଦେବାଳିଆ ହୋଇସାରିଥିବା ରିଲାଏନ୍ସ କମ୍ୟୁନିକେସନ କମ୍ପାନୀ ନିଜର ସ୍ଥିତିକୁ ସଳଖିବାକୁ ଅଣ୍ଟା ଭିଡ଼ିଛି। ଯେହେତୁ କମ୍ପାନୀ ଦେବାଳିଆ ହେବା ପୂର୍ବରୁ ଋଣ ନେଇଥିଲା। ସେଥିଲାଗି କୌଣସି ଲେନଦେନ ଅଥବା କୋର୍ଟକଚେରୀ ମାମଲାରୁ ସୁରକ୍ଷିତ ରହିଛି ବୋଲି କୁହାଯାଉଛି। ସେପଟେ ରିଲାଏନ୍ସ ଏଭଳି ଅଭିଯୋଗକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *