ଅନଲାଇନ୍ ସପିଂ: ଲାଭ ନା କ୍ଷତି…

Spread the love

() ସମୟ ଥିଲା ବେପାରୀ ଗ୍ରାହକଙ୍କ ଘରକୁ ଜିନିଷ ଆଣୁଥିଲେ ଓ ଗ୍ରାହକ ଦାଣ୍ଡ ମୁହଁରେ ଛିଡା ହୋଇ ମନ ଚାହିଁ ଜିନିଷ କିଣୁଥିଲା । ଫେରିବାଲା ଆସିବା ବାଟକୁ ଅପେକ୍ଷା ରହୁଥିଲା । ଅଳ୍ପ ଦାମରେ ଭଳିକି ଭଳି ଜିନିଷ ସହ ନିର୍ଦ୍ଦିଷ୍ଟ ଡାକିବା ଢଙ୍ଗକୁ କାନ ପାତି ରହୁଥିଲେ ଲୋକ । ସୁନାଗହଣା କି ଅନ୍ୟ ଦାମୀ ଜିନିଷ ହେଲେ ଘର ଦେଖି ବ୍ୟବସାୟୀ ପହଞ୍ଚୁଥିଲେ ଏବଂ ଘର ଭିତରେ ବସି ତାର କିଣାକିଣିର ଢାଞ୍ଚା ମଧ୍ୟ କିଛି ଥିଲାବାଲା ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଥିଲା । ଏସବୁ ଏବେ ଆଉ ନାହିଁ ବୋଲି କୁହାଯାଇ ପାରିବନି କିନ୍ତୁ ଏ ଧାରା ବହୁ ଭାବେ ପରିବର୍ତ୍ତନ ହୋଇସାରିଛି । ବିଭିନ୍ନ ବିକଳ୍ପ କିଣାବିକାକୁ ଯୁଗୋପଯୋଗୀ କରିପାରିଛି । ଯଦି ଆଜି ଦିନର କଥା କହିବା ତେବେ ଟେକ୍ନୋଲୋଜିର ବହୁଳ ବ୍ୟବହାର, ସ୍ମାର୍ଟ୍ ଫୋନ୍ ଓ ଇଣ୍ଟରନେଟ ଯୁଗରେ ଅନେକ କିଛି ଘରେ ବସି ହାତପାହାନ୍ତାରେ ଅତି ସ୍ବଳ୍ପ ସମୟ ମଧ୍ୟରେ କରିବା ସମ୍ଭବ ହେଉଛି । ପୂର୍ବରୁ କୌଣସି ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ହେଲେ ନିର୍ଦ୍ଧିଷ୍ଟ ଦୋକାନକୁ ଯିବା ପାଇଁ କିଛି ସମୟ କାଢିବାକୁ ହେଉଥିଲା ଏବଂ ସେହି ସମୟ ମିଳିଲେ ଘରକୁ ଜିନିଷ ଆସି ପାରୁଥିଲା । କିନ୍ତୁ ଏବେ ସେଥିରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ଗ୍ରାହକକୁ ଦୋକାନୀ ପାଖକୁ ବା ବ୍ୟବସାୟୀକୁ ଗ୍ରାହକ ଘରକୁ ଯାଇ କିଣାବିକା କରିବାକୁ ପ୍ରାୟତଃ ପଡ଼ୁନାହିଁ । ଏବେ ଦୋକାନ ନୁହେଁ ବିଭିନ୍ନ ୱେବସାଇଟ ଓ ସପିଂ ଆପ ସ୍ମାର୍ଟ ଫୋନ, ଲାପଟପ୍ ଓ ଡେସ୍କଟପରେ ଡାଉନଲୋଡ୍ କରି ତାରି ମାଧ୍ୟମରେ ମନ ପସନ୍ଦର ସାମଗ୍ରୀ କିଣା ଯାଉଛି । ସକାଳ ପାହାନ୍ତିଆରୁ ଆରମ୍ଭ କରି ରାତି ଅଧ ଯାଏଁ ସେବା ଉପଲବ୍ଧ । ଅନଲାଇନ୍ ଦୋକାନ କୌଣସି ଦିନ କି କେଉଁ ସମୟରେ ବନ୍ଦ ନାହିଁ । ଗୋଟିଏ କ୍ଲିକରେ ଲୁଗାପଟା, ଘରକରଣା ସାଜସରଞ୍ଜାମରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ,ପନିପରିବା ଫଳମୂଳ ଯାଏଁ ସବୁ ମିଳିଯାଉଛି । ଗୋଟିଏ କିଣ କି ମେଞ୍ଚାଏ ସେଥିରେ ତାଙ୍କର କିଛି ସମସ୍ୟା ନାହିଁ । ବିଭିନ୍ନ ବର୍ଗର ଲୋକଙ୍କ ପକେଟକୁ ସୁହାଇଲା ଭଳି ଦାମ୍ ରେ । ଅଫର, ଡିସକାଉଣ୍ଟ୍ ଓ କୁପନ ଭଳି ଲୋଭନୀୟ ଟ୍ୟାଗ୍ ସହ ଅନଲାଇନରେ କିଣାବିକା ହେଉଛି । ଯେଉଁଠି ବିକିବା ବାଲା କିଣିଲା ବାଲାକୁ ଦେଖିବାର ଅବକାଶ ନାହିଁ । କିନ୍ତୁ କିଣାବିକା ସମ୍ପର୍କିତ ତଥ୍ୟ ଭର୍ଚ୍ୟୁଆଲରେ ଦିଆନିଆ ଆଧାରରେ ହିଁ ହେଉଛି ।

() ଅବଶ୍ୟ ପ୍ରଥମେ ଏ ଧାରା କେବଳ ବଡ ସହରର ଅତି ବ୍ୟସ୍ତ ବର୍ଗଙ୍କ ପାଇଁ ଏକ ମାଧ୍ୟମ ଥିଲା । ପରେ ମାର୍କେଟିଂ ଷ୍ଟ୍ରାଟେଜୀ ଛୋଟ ସହରର ଯୁବ ବର୍ଗ ଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏଁ ସମସ୍ତଙ୍କୁ ନିଜ ସହ ଯୋଡ଼ିବାରେ ସମର୍ଥ ହେଲାଣି । ଅନ୍ୟ ଉପରେ ନିର୍ଭର ନକରି କେବଳ ହାତରେ ଧରିଥିବା ଫୋନରେ ଅର୍ଡର ଆଉ ନିର୍ଦ୍ଧାରିତ ସମୟରେ ଡେଲିଭରି ପର୍ସନଙ୍କ ଦ୍ବାରା ଘର ଦୁଆର ମୁହଁରେ ଜିନିଷ ପହଞ୍ଚୁଛି । ହୁଏତ ଏହା କିଛି ଲୋକଙ୍କ ପାଇଁ ଆଧୁନିକତା ଦେଖାଇବାର ଟ୍ରେଣ୍ଡ ହୋଇ ଥାଇପାରେ କିନ୍ତୁ କିଛି ଲୋକଙ୍କ ପାଇଁ ଆବଶ୍ୟକତା ହୋଇଛି । ଏ ଆବଶ୍ୟକତା କଥାଟି ଆମକୁ ବେଶୀ ବୁଝାଇ ଦେଇଥିଲା ମହାମାରୀ ପାଇଁ ତାଲାବନ୍ଦ ହୋଇଥିବା ସମୟ । ଯେହେତୁ ଘରୁ ବାହାରିବା ମନା ଥିଲା ତେଣୁ ଅନଲାଇନ୍ ସପିଂ ଉପରେ ନିର୍ଭରଶୀଳତା ବଢିଲା । ସେ ଧାରା ଏବେ ଅନେକଙ୍କ ପାଇଁ ସ୍ବାଭାବିକ ହୋଇ ସାରିଛି । ଲୋକ ମଧ୍ୟ କରୋନା ପରବର୍ତ୍ତୀ ସମୟରେ ଆଉ ବେଶୀ ଗହଳିରେ ଯାଇ କିଣାକିଣି ପାଇଁ ପସନ୍ଦ କରୁନାହାଁନ୍ତି । ଯାହା ସମସ୍ୟାରେ ପଡ଼ି କରୁଥିଲେ ତାହା ପରିବର୍ତ୍ତିତ ସମୟର ଆବଶ୍ୟକତା ପାଲଟି ଯାଇଛି ।

() ଏହା କେବଳ ଆମ ଦେଶର କଥା ନୁହେଁ ପୁରା ବିଶ୍ୱରେ ଏହି ଧାରା ଦେଖିବାକୁ ମିଳିଛି । ତେବେ ଏହାର ଭଲ ଦିଗ ଗଣାଇଲା ବେଳେ ଅନେକ ଏଭଳି କଥା ରହିଛି ଯାହାକୁ ବିଚାର କରିବା ନିତ୍ୟାନ୍ତ ଆବଶ୍ୟକ । ଯେମିତି କି ଅନଲାଇନ୍ ସପିଂ ଟ୍ରେଣ୍ଡ ରିଟେଲ ମାର୍କେଟକୁ ପ୍ରଭାବିତ କରିଛି । ଛୋଟ ବଡ ଦୋକାନ ଓ ମଲର ଆର୍ଥୀକ ସ୍ଥିତି ଏବଂ ତା ଦ୍ବାରା ନିଯୁକ୍ତି ପାଇଥିବା ଲୋକଙ୍କ ରୋଜଗାର ଅନେକାଂଶରେ ପ୍ରଭାବିତ ହୋଇଛି। ଯଦି କରୋନା କାଳକୁ ମନେ ପକାଇବା ତେବେ ଜାଣି ପାରିବା ଯେ ଲକଡାଉନ୍ ପରର କିଛି ମାସ ମଧ୍ୟରେ ୬୪% ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ସପିଂ ବୃଦ୍ଧି ପାଇଥିଲା । ଯାହା ତାଲାବନ୍ଦ ବେଳେ ମାତ୍ର ୪୬% ଥିଲା । ଏବଂ ପରବର୍ତ୍ତୀ ପରିସ୍ଥିତିରେ ୭୨% ରୁ ଊର୍ଦ୍ଧ୍ୱ ଗ୍ରାହକ ଏଭଳି ଦୋକାନ ବାଛିଲେ ଯେଉଁଠି ଘରେ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା ଥିଲା । ଏବଂ ମହାମାରୀର କୋପ କମିବା ପରେ ଦୋକାନ ବଜାର ଖୋଲିଲା କିନ୍ତୁ କିଛି ଗ୍ରାହକ ଆଉ ଦୋକାନ ଯାଇ ଜିନିଷ କିଣିବାର ପୁରୁଣା ବ୍ୟବସ୍ଥାକୁ ଫେରିବାକୁ ଚାହିଁଲେନି । ଏପରିକି ଘର ପାଖର କିରାନା ଦୋକାନ ଠାରୁ ଅନଲାଇନ୍ ଗ୍ରୋସୋରୀ ଉପରେ ବେଶୀ ନିର୍ଭର କଲେ । କାହିଁକି ଏମିତି କରୁଛନ୍ତି ସେ ପାଇଁ ତାଙ୍କ ପାଖେ ବଳିଷ୍ଠ ଯୁକ୍ତି ଥାଏ । ଭଲ ଜିନିଷ, ଶସ୍ତା ଦର, ଘରେ ଥାଇ ସବୁ ମିଳିଯାଉଛି, ପୁଅ ରାଜ୍ୟ ବାହାରେ କିନ୍ତୁ ଆମକୁ ଠିକଣା ସମୟରେ ଆବଶ୍ୟକୀୟ ଜିନିଷ ସେ ଅନଲାଇନ ମାଧ୍ୟମରେ ପଠାଇ ଦେଉଛି ଇତ୍ୟାଦି ଇତ୍ୟାଦି ।

() ଆମେ ସମସ୍ତେ କିଣୁଛୁ ଏବଂ ଆଖପାଖରେ ଦେଖୁଛୁ ଯେ ଅନଲାଇନ୍ କିଣାକିଣି ପ୍ରତି ଆଗ୍ରହ ବଢୁଛି। ଅନଲାଇନ୍ ସପିଂକୁ ଆଧୁନିକ ଚଳଣିର ଅଂଶ କରାଯାଇଛି । ଦେଶରେ ଡିଜିଟାଲ ମାର୍କେଟର ବ୍ୟବସାୟ ସମୟ ସହ ବଢୁଛି। ବିଶ୍ବସ୍ତରରେ ମଧ୍ୟ ଡିଜିଟାଲ୍ ମାର୍କେଟିଂ କ୍ଷୀପ୍ର ଗତିରେ ଦୌଡ଼ୁଛି । ୨୦୧୪ ରେ ୧୪ ବିଲିୟନ୍ ଆମେରିକୀୟ ଡଲାର ଥିଲା ବ୍ୟବସାୟ । ଯାହା ୨୦୨୦ରେ ୬୪ ବିଲିୟନ୍ ଡଲାରରେ ପହଞ୍ଚିଥିଲା । ୨୦୨୧ ଅକ୍ଟୋବର ସୁଦ୍ଧା ୮୦ ବିଲିୟନ୍ ଡଲାର ଅତିକ୍ରମ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଗ୍ରାଫ୍ ଉପରମୁହାଁ ରହିଛି । କୁହାଯାଉଛି ୨୦୨୫-୨୭ ମଧ୍ୟରେ ୨ଶହ ବିଲିୟନ୍ ଡଲାର ଛୁଇଁବା ସମ୍ଭାବନା ରହିଛି । ଯଦି ଆମ ଦେଶ କଥା କହିବା ତେବେ, ୨୦୧୯ରେ ୧୩ କୋଟି ଥିଲେ ଅନଲାଇନ୍ ଉପଭୋକ୍ତା । ୨୦୨୦ରେ ୧୫ କୋଟି, ୨୦୨୧ରେ ୧୯ କୋଟି ହୋଇଥିଲା ଏବଂ ୨୦୨୨ରେ ସଂଖ୍ୟା ଆହୁରି ବଢୁଛି । ପର୍ବପର୍ବାଣୀ ସମୟରେ ଭାରତୀୟ ସାଧାରଣତଃ ଅନଲାଇନ୍ ଅଫର୍ ପ୍ରତି ବେଶୀ ଆକୃଷ୍ଟ ହୃଅନ୍ତି । ତେଣୁ ସେ ସମୟରେ ସାମଗ୍ରୀ କିଣା ତୁଳନାତ୍ମକ ଭାବେ ବଢିଯାଏ । ଏମିତି ସମୟରେ ହିଁ ସାଇବର ଅପରାଧୀ ସକ୍ରିୟ ଥାନ୍ତି ଉପଭୋକ୍ତାଙ୍କୁ ଫସାଇବା ପାଇଁ ।ତେଣୁ ସଚେତନତା ନରହିଲେ ସମସ୍ୟା ବଢିବା ଥୟ । ଏକଥା ସତ ଯେ ବର୍ଦ୍ଧିତ ଅନଲାଇନ୍ କାରବାର ରିଟେଲ୍ ବଜାରକୁ ପ୍ରଭାବିତ କରିଛି । ଦୋକାନ, ବଜାର, ମଲରେ କିଣାବିକା ଆଗ ଭଳି ହେଉନି । ରିଟେଲରେ କାମ କରୁଥିବା ମାନବସମ୍ବଳ ରୋଜଗାର ହରାଉଛନ୍ତି । ତାର ପ୍ରକୃଷ୍ଟ ଉଦରହରଣ ହେଉଛି, ଯେତେବେଳେ କରୋନାର ୨ୟ ଲହର ଆସିଲା ସେତେବେଳେ ଦେଶରେ ୩ହଜାର କୋଟି ଟଙ୍କାର କ୍ଷତି ସହିଥିଲା ରିଟେଲ୍ ବଜାର ଏବଂ ମଲ୍ ରେ ନିଯୁକ୍ତ ୧ଲକ୍ଷ ପିଲା ବେରୋଜଗାର ହୋଇଥିଲେ ।

() ଏହାଦ୍ବାରା ଏମିତି ନୁହେଁ ଯେ ଠକାମିର ଶିକାର ହୋଇନି ଉପଭୋକ୍ତା । କିନ୍ତୁ ତାହା ହିଁ ପରିବର୍ତ୍ତିତ ସମୟର ନୂଆ ବିକଳ୍ପ ବୋଲି ଧରି ନେଇଛନ୍ତି ଲୋକ । ଅବଶ୍ୟ କିଛି ପ୍ରଶ୍ନ ସବୁ ବେଳେ ଉଠିଛି । ପ୍ରକୃତରେ ଅନଲାଇନ୍ ମାର୍କେଟ ପ୍ରତି ଲୋକଙ୍କ ଅଗ୍ରହ ବଢିବା ପଛର କାରଣ କ’ଣ । ଅନଲାଇନ୍ ସପିଂ ସୁରକ୍ଷିତ କି ନୁହେଁ । ଇ-ମାର୍କେଟିଂର ଲାଭ କେତେ କ୍ଷତି କେତେ ? ବିଭିନ୍ନ ସାମଗ୍ରୀର ଫେକ୍ ରିଭ୍ୟୁ ଆମକୁ କିଣାକିଣି ପାଇଁ ପ୍ରଲୋଭିତ କରୁଛି କି? ଅନଲାଇନ୍ ସପିଂ ଆଉ ସର୍ଫି ଅର୍ଥ ଅପଚୟର କାରଣ ହେଉଛି କି? ନିଜକୁ ସମୟ ଉପଯୋଗୀ ଦେଖାଇବା ପାଇଁ ଆମେ ଏଭଳି ଅନଲାଇନ୍ ସପିଂର ଗ୍ରାହକ ହେଉଛୁ କି? ନା ରିଟେଲ୍ ମାର୍କେଟ ଠାରୁ ଅନଲାଇନ୍ ମାର୍କେଟରେ ସାମଗ୍ରୀର ବହୁଳତା,ଶସ୍ତା ଦର ଲୋକଙ୍କୁ ରିଟେଲ ଦୋକାନ ଠାରୁ ଦୂରେଇ ଦେଉଛି । ଏ ତମାମ ପ୍ରଶ୍ନ ବହୁବାର ଉଠିଛି ଆଉ କିଛି ଲୋକ ନିଜ ନିଜ ସ୍ତରରେ ତାର ଉତ୍ତର ଖୋଜିଛନ୍ତି । କିଛି ନିଜ ଅନୁଭୂତିରୁ ଆଉ କିଛି ଅନ୍ୟମାନଙ୍କ ଅନୁଭୂତି ଦେଖି ଜାଣିଛନ୍ତି ।

() ଯେତେବେଳେ କିଣାକିଣି କଥା କହୁଛୁ, ସେଠି ଏ ପ୍ରସଙ୍ଗ ବି ଗୁରୁତ୍ୱ ରଖେ ଯେ, ମହାମାରୀ ପରେ ଅନେକ ପରିବାର ଆର୍ଥୀକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି । ଲୋକଙ୍କ କ୍ରୟ ଓ ବ୍ୟୟ ଶକ୍ତି କମିଯାଇଛି । ସେଥିରେ ଲୋକ ଅନଲାଇନ୍ ବା ରିଟେଲ୍ ସପିଂ କେତେ ବା କରୁଛନ୍ତି । କିନ୍ତୁ ବାସ୍ତବତା ହେଉଛି ଲୋକ ଗ୍ରୋସୋରୀ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଲୁଗାପଟା ଏସବୁ କିଣୁଛନ୍ତି । କିଛି ନିହାତି ଆବଶ୍ୟକ ସାମଗ୍ରୀ ନ କିଣିଲେ ଚଳି ହେବନାହିଁ । ଦରଦାମ ବଢିଛି ତେଣୁ କମ୍ କିଣୁଛନ୍ତି କିନ୍ତୁ କିଣାବିକା ଚାଲିଛି । ରନ୍ଧା ଖାଦ୍ୟରୁ ଆରମ୍ଭ କରି ମେଡିସିନ ଭଳି ଅତି ଜରୁରୀ କଥା ମଧ୍ୟ ଘରେ ଆଣି ଦେଇ ଯାଉଛନ୍ତି ଲୋକ । ତେଣୁ ଆବଶ୍ୟକ ବେଳେ ସେବା ପାଇ ବିଶ୍ୱାସନୀୟତା ବଢିଛି । ତେବେ ଏ ସବୁ ସ୍ମାର୍ଟ କାରବାର କରିବା ବେଳେ ଯଦି ଆମେ ଉପଯୁକ୍ତ ଭାବେ ଅନଲାଇନ୍ ସପିଂ ସମ୍ପର୍କରେ ଜ୍ଞାନ ନରଖି କିଣାବିକା କରୁଛୁ ତେବେ କେବଳ ସାମଗ୍ରୀରେ ଠକାମି ସହୁନୁ ବରଂ ଅର୍ଥ ମଧ୍ୟ ନଷ୍ଟ ହେଉଛି । ମାନସିକ ଭାବେ ଚାପଗ୍ରସ୍ତ ହେଉଛୁ ।  କାରଣ ଗୋଟେ ଅଦୃଶ୍ୟ ଦୋକାନ ଆଉ ଦୋକାନୀ ଠାରୁ ତୁରନ୍ତ ସେବା ଚାହୁଁଛୁ । ଏପରିକି ଡିଜିଟାଲ ଲିଟେରାସୀ ବିନା ଆମେ ନିଜର ବ୍ୟକ୍ତିଗତ ତଥ୍ୟ ଦେଇ ସାଇବର ଅପରାଧର ଶିକାର ହେଉଛୁ । ଅନେକ ସମୟରେ କିଣିବା ବେଳେ ଯେତେ ଉତ୍ସାହ ଭରି ଦେବା ଭଳି କଥା ସପିଂ ଆପ୍ ମାନେ ଦେଖାଇଥାନ୍ତି । ପସନ୍ଦ ନହେଲେ ଫେରସ୍ତ ବେଳକୁ ମଧ୍ୟ ସେତିକି ନାକେଦମ୍ ହେବାକୁ ପଡ଼େ । ବାଛିଥିବେ ଗୋଟିଏ, ଘରେ ପହଞ୍ଚିବ ଆଉ ଗୋଟିଏ । ଏପରିକି ଚିତ୍ର ଦେଖି ସାମଗ୍ରୀଟିକୁ ଆମେ ଯେମିତି ମନେ ମନେ ଭାବି ନେଇଥାଉ । ବାସ୍ତବରେ ଜିନିଷଟି ସେଭଳି ନଥାଏ । ଯେହେତୁ ନା ଦୋକାନ ଦେଖିଛୁ ନା ଦୋକାନୀକୁ ତେଣୁ ଅନଲାଇନ ସପିଂ ପାଇଁ ଥିବା ପ୍ରୋସେସ୍ ମୁତାବକ ଫେରସ୍ତ ନକରି ପାରିଲେ ସେମିତି ଅବ୍ୟବହୃତ ହୋଇ ଘରେ ପଡ଼ି ରହିବା ସାର ହୁଏ । ଯେମିତି ଖବର ଶୁଣିଥିବେ ଲେଟେଷ୍ଟ ମଡେଲର ମୋବାଇଲ ବଦଳରେ ପହଞ୍ଚିଲା ଲୁଗାସଫା ସାବୁନ । ସେପଟେ ଯଦି ଆଗରୁ ଅର୍ଥ ପୈଠ କରିଥିବେ ତେବେ ଆହୁରି ସମସ୍ୟା । ସେମିତି ବେଳେ ବେଳେ ଅବିଶ୍ୱସନୀୟ ଡିଲ୍ ଏବଂ ଫେକ୍ ସାଇଟ୍ ସାଇବର ଅପରାଧୀଙ୍କର ଜାଲ ହୋଇଥାଏ ଯେଉଁଠି ସତର୍କ ନରହିଲେ ଶିକାର ହେବା ଥୟ । ଏଭଳି ସମୟରେ ଆବଶ୍ୟକତା ଦେଖି ବ୍ୟବସ୍ଥା କରିବା ଉଚିତ ।

() ଅନ୍ୟପଟେ ବଜାରଘାଟକୁ କିଣିବାକୁ ଗଲେ କିଛି ଜିନିଷକୁ ଦେଖି ଚାହିଁ କିଣା ତ ହୁଏ ତା ସହ ଏହା ଆମକୁ ସମାଜର ବିଭିନ୍ନ ବର୍ଗ ତାର ଋଚି ଓ ତାଙ୍କ ବ୍ୟବହାର ସମ୍ପର୍କରେ ମଧ୍ୟ ସୂଚନା ଦିଏ । ତେଣୁ ଭର୍ଚ୍ୟୁଆଲ ଠାରୁ ରିଅଲ ମାର୍କେଟିଂର ମଜା କିଛି ନିଆରା ସେ କଥା ସହ ଆପଣ ସହମତ ହେବେ ନିଶ୍ଚୟଁ । ବିକଳ୍ପ ଅଛି ବାଛିବା ଲୋକ ଆପଣ । କିନ୍ତୁ ଉପଭୋକ୍ତା ହିସାବରେ ନିଜର ଅଧିକାର ସମ୍ପର୍କରେ ସଚେତନ ହୋଇ ଖରିଦାରୀ କରନ୍ତୁ ଏବଂ ଠକାମିରୁ ବଞ୍ଚନ୍ତୁ । ଯଦି କିଛି ଜାଣିବାକୁ ଚାହୁଁଛନ୍ତି ତେବେ ସେ କ୍ଷେତ୍ରରେ ଅଭିଜ୍ଞ ଲୋକଙ୍କ ପରାମର୍ଶ ନିଅନ୍ତୁ । ଆପଣଙ୍କ କଷ୍ଟ ଅର୍ଜିତ ଧନର ସୁବିନିଯୋଗ କରନ୍ତୁ । କିନ୍ତୁ ଏସବୁଠାରୁ ବଡ କଥା ମିତବ୍ୟୟି ହୁଅନ୍ତୁ । ଅଯଥା ଖରିଦ୍ କରି ଆଲମୀରା ଭରିବା ବା ଘରେ ଆଣି ଠୁଳ କରି ନଷ୍ଟ କରିବା ନା ପକେଟ୍ ପାଇଁ ଭଲ ନା ଆମ ପରିବେଶ ପାଇଁ ଭଲ ।  

ସୁପ୍ରିୟା ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ

Leave a Reply

Your email address will not be published. Required fields are marked *