ବିଜ୍ଞାନ ଓ ପ୍ରଯୁକ୍ତିବ୍ୟବସାୟ

ଟ୍ୱିଟରର ନୂଆ ମାଲିକାନା, ଭାରତ ଉପରେ ପକାଇବ ପ୍ରଭାବ!

ସାରା ବିଶ୍ୱ ସହ ଯୋଡି ହେବାର ମାଧ୍ୟମ ଟ୍ୱିଟରର ଏବେ ବଦଳିଛି ମାଲିକାନା । ପବ୍ଲିକ କମ୍ପାନୀରୁ ପ୍ରାଇଭେଟ ହେବାକୁ ଯାଉଛି ଟ୍ୱିଟର । ଆମେରିକୀୟ ବିଲିୟନେୟାର ଏଲନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ଭାରତ ଉପରେ ତାର କି ପ୍ରଭାବ ରହିବ । ସ୍ବାଧୀନ ଅଭିବ୍ୟକ୍ତି ନାମ ରେ କିଛି ଲୋକଙ୍କ ପ୍ରଗତି ଆଉ କିଛି ଲୋକଙ୍କ ଦୁର୍ଗତି ଆଣିବ କି ଏ ପ୍ଲାଟଫର୍ମ ତାକୁ ନେଇ ଆରମ୍ଭ ହୋଇଛି ତର୍କବିତର୍କ ।

ଅନେକ ସମୟରେ ଭାରତ ଉପରେ ଟ୍ୱିଟରର ଉଭୟ ନକରାତ୍ମକ ଓ ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଭାରତ ସୋସିଆଲ ମିଡିଆ କମ୍ପାନୀ ଗୁଡିକ ପାଇଁ ମଧ୍ୟ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଟ୍ୱିଟର ପାଇଁ ଭାରତ ମାର୍କେଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆରେ ୨.୩୬ କୋଟି ଟ୍ୱିଟର ବ୍ୟବହାରାକାରୀ ଅଛନ୍ତି । ଟ୍ୱିଟର ମାଲିକାନା ପରିବର୍ତ୍ତନ ପରେ ଏଲନଙ୍କ ସ୍ୱାଧିନ ଅଭିବ୍ୟକ୍ତି ବୟାନକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଏନେଇ ସେ ଟ୍ୱିଟ କରି କହିଛନ୍ତି  କିଏ କେଉଁ ସୋସିଆଲ ମିଡିଆ କମ୍ପାନୀ କିଣୁଛି ତାହା ଜରୁରୀ ନୁହେଁ । କିନ୍ତୁ ସେମାନେ କଣ କରିବେ ଓ କିପରି କରିବେ ତାହା ଗୁରୁତ୍ୱପୂର୍ଣ୍ଣ । ଯଦି ଟ୍ୱିଟର ଭାରତର ବାକ୍‌ ସ୍ୱାଧିନତା ଉପରେ କିଛି ପ୍ରଭାବ ପକାଏ କିମ୍ୱା ଏହାର ବିପରୀତ ଘୃଣାର ବକ୍ତବ୍ୟ ଏବଂ ଅପବ୍ୟବହାରକୁ ଅନୁମତି ଦିଏ ତେବେ ଏହା ଉପରେ ଆଇଟି କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି କଂଗ୍ରେସ ନେତା । ସେପଟେ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଏକ ଭିନ୍ନ ମାଧ୍ୟମରେ ମସ୍କଙ୍କ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଭାରତରେ ଖୁବ୍‌ ଶୀଘ୍ର ମସ୍କଙ୍କ ଇଲେକଟ୍ରୋନିକ ଚାରିଚକିଆ ଗାଡି ଟେସ୍‌ଲାକୁ ବଜାରରେ ଅନୁମତି ଦିଆଯିବା ନେଇ ଘୋଷଣା କରିଛନ୍ତି ।

ପୂର୍ବରୁ ମଧ୍ୟ ଭାରତରେ ଟ୍ୱିଟରର ପ୍ରଭାବ ଦେଖିବାକୁ ମିଳିଛି । କେତେବେଳେ ଟ୍ୱିଟର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସପକ୍ଷରେ ଥିବା ବେଳେ ଆଉ କେତେବେଳେ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ । ଭାରତର ଉପରାଷ୍ଟ୍ରପତିଙ୍କ ଭେରିଫାୟାଡ୍‌ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଅନଭେରିଫାୟାଡ କରିଦେଇଥିଲା ଟ୍ୱିଟର । ଯେଉଁଥିପାଇଁ ସମାଲୋଚନାର ଶିକାର ହୋଇଥିଲା ଟ୍ୱିଟର ।  ଏପରିକି ଭାରତରେ ଏହାକୁ ବ୍ୟାନ କରିବାକୁ ନାରା ମଧ୍ୟ ଉଠିଥିଲା । ବିଜେପି ନେତା ଏହାକୁ ସମ୍ୱିଧାନ ଉପରେ ଆକ୍ରମଣ ବୋଲି ମଧ୍ୟ କହିଥିଲେ । ସେହିଭଳି ପୂର୍ବତନ ଆଇଟି ମନ୍ତ୍ରୀଙ୍କ ଆକାଉଣ୍ଟକୁ ମଧ୍ୟ ଏକ ଘଣ୍ଟା ପାଇଁ ବ୍ଲକ କରିଦେଇଥିଲା ଟ୍ୱିଟର । ଏବଂ  ଆମେରିକାର ଡିଜିଟାଲ ମିଲେନିୟମ କପି ରାଇଟ୍‌ ଆକ୍ଟ ପାଇଁ ବ୍ଲକ ହୋଇଛି ବୋଲି ସଫେଇ ଦେଇଥିଲା ଟ୍ୱିଟର ।  ଯାହାକୁ ନେଇ ଭାରତରେ ବିବାଦ ଦେଖାଯାଇଥିଲା । ଚାଷୀ ଆନ୍ଦୋଳନ ବେଳେ ମଧ୍ୟ ଭାରତରେ ଟ୍ବିଟରର ପ୍ରଭାବ ଦେଖିବାକୁ ମିଳିଥିଲା ।  ହିଂସାକୁ ଉସ୍‌କାଇବା ଅଭିଯୋଗରେ ୨୦୦ରୁ ଉର୍ଦ୍ଧ୍ୱ ଆକାଉଣ୍ଟକୁ ବ୍ଲକ କରିଥିଲା ଟ୍ୱିଟର । ଏହି ଆକାଉଣ୍ଟ ଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କିଶାନଙ୍କ ନରସଂହାର ହାସ୍‌ଟାଗ୍‌ ଚାଲୁଥିଲା । ପରେ ପରେ ଏହି ଆକାଉଣ୍ଟକୁ ପୁନଃରାମ୍ଭ କରିଥିଲା ଟ୍ୱିଟର । ଯାହା ପାଇଁ ଟ୍ୱିଟରକୁ ଉତ୍ତରଦାୟୀ ହେବାକୁ ପଡିଥିଲା । ଅଗଷ୍ଟ ୨୦୨୧ରେ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ମଧ୍ୟ ବ୍ଲକ୍‌ କରିଥିଲା ଟ୍ୱିଟର । ଏଥିସହ ଆହୁରି ୫ ହଜାର କଂଗ୍ରେସ ନେତାଙ୍କ ଆକାଉଣ୍ଟ ବ୍ଲକ ହୋଇଛି ବୋଲି ଅଭିଯୋଗ ମଧ୍ୟ ଆସିଥିଲା । ଲୋକତନ୍ତ୍ର ଉପରେ ଆକ୍ରମଣ ବୋଲି କହିଥିଲେ ରାହୁଲ ଗାନ୍ଧୀ ।

ତେବେ ଏହାରି ମଧ୍ୟରେ ବଦଳିଛି ଟ୍ୱିଟରର ମାଲିକାନା ଓ ଏଥିସହ ବଦଳିବାକୁ ଯାଉଛି ଟ୍ୱିଟର ଫିଚର୍ସ । ଟ୍ୱିଟରରେ ଆସିବ ଏଡିଟ୍‌ ଅପସନ୍‌ । ମାଲିକାନା ବଦଳିବା ପରେ ଭାରତରେ ଏହାର ଆଭିମୁଖ୍ୟ କଣ ରହିବ ତାହା ଏବେବି ସନ୍ଦେହ ଘେରରେ ।

Related Articles

Leave a Reply

Your email address will not be published.

Back to top button