କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଫେବୃଆରି ୯ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ତାପୂର୍ବରୁ ୨ ତାରିଖରେ ଆରମ୍ଭ ହେବ ଅନଲାଇନ ଟିକେଟ ବିକ୍ରି । ଅନଲାଇନରେ ୪ହଜାର ଟିକଟ ବିକ୍ରି ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଫେବୃଆରୀ ୫ ପରଠାରୁ ୩ ଦିନ ଧରି ଅଫଲାଇନରେ ଅର୍ଥାତ ଷ୍ଟାଡିୟମ କାଉଣ୍ଟରରେ ଟିକେଟ କିଣିବେ ଦର୍ଶକ। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନିକିଆ ମ୍ୟାଚ ପାଇଁ ଟିକେଟ କିଣିଥିଲେ। ଓସିଏ ସଦସ୍ୟ ଏବଂ ସେକ୍ରେଟାରୀ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଆଲୋଚନା କରି ଫେରିଛନ୍ତି । ଦୀର୍ଘ ଦିନ ବ୍ୟବଧାନରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ । ଦର୍ଶକଙ୍କ କରତାଳିରେ ପୁଣି କମ୍ପିବ କଟକ ।୯ ତାରିଖ ୧ଟା ୩୦ରେ ଆରମ୍ଭ ହେବ ମୁକାବିଲା । ଗ୍ୟାଲେରୀ ନମ୍ୱର ୧ର ଟିକେଟ ୧୨୦୦ ଟଙ୍କା ଥିବା ବେଳେ ଗ୍ୟାଲେରୀ ନମ୍ୱର ୨ ପାଇଁ ୧୦୦୦ ଟଙ୍କା ରହିଛି । ୩ ନମ୍ୱର ପାଇଁ ୧୨ଶହ, ୪ ନମ୍ୱର ପାଇଁ୧ହଜାର, ୫ ନମ୍ୱର ପାଇଁ ୧୫ଶହ ଟଙ୍କା ରହିଛି । ସେହିଭଳି ୬ନମ୍ୱର ପାଇଁ ୧୨ଶହ ଟଙ୍କା, ୭ ନମ୍ୱର ପାଇଁ ୮ଶହ ଟଙ୍କା ଦେଇ ଟିକେଟ କିଣିବାକୁ ହେବ। ସ୍ପେଶାଲ ଏନକ୍ଲୋଜର ୭ହଜାର ଟଙ୍କା, ଏସି ବକ୍ସ ୯ ହଜାର ଟଙ୍କା, କର୍ପୋରେଟ ବକ୍ସ ୨୦ହଜାର ଏବଂ ନ୍ୟୁ ପ୍ୟାଭେଲିୟନ ୧୦ହଜାର ଟଙ୍କା ରହିଛି। ଗତ ମ୍ୟାଚ ଅପେକ୍ଷା ଏଥର ଟିକେଟ ଦର ବେଶ ଅଧିକ ରହିବାକୁ ନେଇ ଦର୍ଶକ ନିରାଶ ହୋଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now