ପ୍ରେମର ପିଚ୍ରେ ପଲିଟିକାଲ ବୋଲ୍ଡ ହେଲେ କ୍ରିକେଟର। ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି କ୍ରିକେଟର ରିଙ୍କୁ ସିଂ। ସମାଜବାଦୀ ଦଳର ସାଂସଦ ପ୍ରିୟା ସରୋଜଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ରିଙ୍କୁ। ସରୋଜଙ୍କ ସହ ରିଙ୍କୁଙ୍କ ନିର୍ବନ୍ଧ ସରିଛି! କେବଳ ବିବାହ ବାକି। କ୍ରିକେଟରଙ୍କ ସହ ନେତ୍ରୀଙ୍କ ଯୋଡ଼ିକୁ ନେଇ ଉଭୟଙ୍କ ଫ୍ୟାନ୍ସ ବେଶ୍ ଖୁସି ଜାହିର କରିଛନ୍ତି। ଏହି ବିବାହ ଲାଗି କୁଆଡ଼େ କ୍ରିକେଟର ସୂର୍ଯ୍ୟ ଯାଦବ ମଧ୍ୟସ୍ଥି ସାଜିଥିବା ଚର୍ଚ୍ଚା ହେଉଛି। କମ୍ ବୟସରେ ରିଙ୍କୁ ଯେମିତି କ୍ରିକେଟ ଜଗତରେ ନିଜର ଜାଦୁକରୀ ଦେଖାଇଛନ୍ତି। ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସାଜିଛନ୍ତି ରିଙ୍କୁ। ସେହିଭଳି ମାତ୍ର ୨୫ ବର୍ଷ ବୟସରେ ସପା ଟିକଟରେ ମଛଲିସହର ଆସନରୁ ଲୋକସଭା ଯାଇଛନ୍ତି ପ୍ରିୟା। ଆଇନ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲା ବେଳେ କମ୍ ବୟସରେ ପଲିଟିକ୍ସରେ ଏଣ୍ଟ୍ରି ମାରି ସାଂସଦ ହୋଇଛନ୍ତି ପ୍ରିୟା। ପ୍ରିୟାଙ୍କ ବାପା ତୁଫାନୀ ସରୋଜ ତିନି ଥରର ସାଂସଦ ଅଟନ୍ତି। ତେବେ ଏଭଳି ନିର୍ବନ୍ଧ ଖବରକୁ ଖଣ୍ଡନ କରିଛନ୍ତି ପ୍ରିୟାଙ୍କ ବାପା। ଉଭୟ ପରିବାରରେ କଥାବାର୍ତ୍ତା ଚାଲିଛି। କିନ୍ତୁ କୌଣସି କଥା ଚୂଡ଼ାନ୍ତ ହୋଇନି। ତେବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେତେବେଳେ ଖବର ଆସିଲା ଯେ, ରିଙ୍କୁଙ୍କ ପରିବାର ପ୍ରିୟାଙ୍କ ବଡ଼ ଭିଣୋଇ ଯିଏ ଆଲିଗଡ଼ରେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ଅଛନ୍ତି, ତାଙ୍କ ପାଖକୁ ଯାଇ ପ୍ରସ୍ତାବ କଥା ପକାଇଥିଲେ। ହେଲେ ଏଭଳି ବିବାହ ପ୍ରସ୍ତାବ ଖବରକୁ ନା ରିଙ୍କୁଙ୍କ ପରିବାର ନା ପ୍ରିୟାଙ୍କ ପରିବାର ପକ୍ଷରୁ ପୁଷ୍ଟି କରାଯାଇଛି। ମାତ୍ର ୨୭ ବର୍ଷ ବୟସରେ ଆଇପିଏଲରେ ଖେଳିବା ଦିନଠୁ ନିଜର ଚମତ୍କାର ପ୍ରଦର୍ଶନ ଲାଗି ଘରେ ଘରେ ପରିଚିତି ପାଇଥିଲେ ରିଙ୍କୁ। ବାମହାତୀ ବ୍ୟାଟ୍ସମ୍ୟାନ ରିଙ୍କୁ ୩୦ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୧୬୫.୧୪ ହାରରେ ୫୦୭ ରନ୍ କରିଛନ୍ତି। ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଲାଗି ଖେଳି ୨୦୨୩ରେ ୫ଟି କ୍ରମାଗତ ଛକା ମାରି ହେଡଲାଇନ୍ସ ସାଜିଥିଲେ ରିଙ୍କୁ। ଯେତେବେଳେ ରିଙ୍କୁ ନିଜର ଇଂଲଣ୍ଡ ସିରିଜ ଲାଗି ଫୋକସ୍ କରୁଛନ୍ତି ସେତେବେଳେ ପ୍ରିୟା ନିଜର ସଂସଦୀୟ କ୍ଷେତ୍ରର ଦାୟିତ୍ୱକୁ ନେଇ ଯତ୍ନବାନ ଅଛନ୍ତି। ଆଉ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ଏହି ଦୁଇ ଯୁବ ଚେହେରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚା ହୁଏ। ଏବେ ପରସ୍ପରର ଜୀବନସାଥୀ ସାଜିବେ କି ନାହିଁ, ତାକୁ ନେଇ ଲୋକଙ୍କ ଭିତରେ ଉତ୍ସୁକତା ଲାଗିରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now