୩ ସାଇବର ଲୁଟେରା ଗିରଫ

ନବରଙ୍ଗପୁର ଥାନା ପୋଲିସକୁ ବଡ ସଫଳତା। ସାଇବର ଲୁଟେରାଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ। ଜାମତାରା ଲୁଟେରା ଗ୍ୟାଙ୍ଗ ଷ୍ଟାଇଲରେ ଲୁଟ କରୁଥିଲେ ଲୁଟେରା। ବିଭିନ୍ନ ମୋବାଇଲରୁ ମେସଜ ଓ ଫୋନ୍ କଲ୍ କରି ଲୋକଙ୍କୁ ଠକି ୟୁପିଆଇ ମାଧ୍ୟମରେ ଟଙ୍କା ଲୁଟୁଥିଲେ ଅଭିଯୁକ୍ତ। ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ରଞ୍ଜିତ କୁମାର ନାମକ ଜଣେ ବ୍ୟକ୍ତି ଏଭଳି ଠକାମିର ଶିକାର ହୋଇ ନବରଙ୍ଗପୁର ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତମାନଙ୍କ ମୋବାଇଲକୁ ଟ୍ରାକିଂ କରି ସୋମାନଙ୍କ ପାଖରେ ପହଞ୍ଚିଥିଲା। ଏହି ଘଟଣାରେ ନୟାଗଡ ଜିଲ୍ଲାରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ଅମୀୟ କୁମାର ପ୍ରଧାନ, ସୋରଡାର କାର୍ତ୍ତିକ ରାଉତରାୟ ଏବଂ ଶିଖରପୁର ଅଞ୍ଚଳର ଶ୍ରୀଧର ବରାଡ଼ ବୋଲି ଜଣାପଡିଛି। ଅଭିଯୁକ୍ତମାନଙ୍କ ଠାରୁ ୧୧ ଟି ସିମ କାର୍ଡ, ୬ ଟି ମୋବାଇଲ ଫୋନ, ୩ ଟି ଏଟିଏମ କାର୍ଡ, ଗୋଟିଏ ପାନ କାର୍ଡ, ୩ ଟି ଆଧାର କାର୍ଡ, ୫୨୦୦ ଟଙ୍କା, ଜବତ ହୋଇଛି । ସେପଟେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୋଲିସ।