ଓଡ଼ିଶା

ବେଆଇନ ଚିଙ୍ଗୁଡ଼ି ଘେରି ଉଜୁଡୁଛି ଚାଷୀଙ୍କ ଜୀବିକା

()  ଗାଁ ଠୁଁ ସହର ଏବେ ଲାଭାନ୍ୱିତ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସେହିଭଳି ଏକ ଚାଷ ଚିଙ୍ଗୁଡ଼ି ଚାଷ । ଯାହାକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି ଆଜିର ଚାଷୀ । ହେଲେ ଚିଙ୍ଗୁଡ଼ି ଚାଷ ହେବା ଦ୍ୱାରା ଅନ୍ୟାନ୍ୟ ଚାଷ ପ୍ରଭାବିତ ବା ଉଜୁଡ଼ି ଯାଉଥିବା ଦେଖିବାକୁ ମିଳିଛି । ଚିଙ୍ଗୁଡ଼ି ଚାଷ ହେବା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି ମୁଖ୍ୟତଃ ସାରଦ ଧାନ, ଡାଳୁଅ ଧାନ, ମୁଗ, ବିରି, ସୂର୍ଯ୍ୟମୁଖୀ, ଆଳୁ, ପନିପରିବା, ବାଦାମ ଓ ଆହୁରି ଅନେକ ଚାଷ । ଏହି ଚିଙ୍ଗୁଡ଼ି ଚାଷପାଇଁ ବ୍ୟବହୃତ ରସାୟନିକ ପଦାର୍ଥ ଗୁଡ଼ିକ ଜଳରେ ମିଶି ନଦୀ ଓ ନାଳର ମଧୁର ଜଳକୁ ନଷ୍ଟ କରି ଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବେଆଇନ ଚିଙ୍ଗୁଡ଼ି ଘେରି ଲାଗି ଉଜୁଡିବାକୁ ବସିଛି ଚାଷୀଙ୍କ ଜୀବିକା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ହାଟସାହି, ଅବଦଲପୁର, ନମତରା, ଦେଉଳତରା ଓ ସିହୋପଡ଼ା ପଞ୍ଚାୟତର ଚାଷୀ ଦୁର୍ଦ୍ଦଶାରେ ପଡ଼ିଲେଣି। ବିଶେଷ କରି ବୈତରଣୀକୁ ସଂଯୋଗ କରୁଥିବା ଦନ୍ତିଆପାଟ, ଲୁଣିଆ, ବରଗଡ଼ିଆ, ଖୋପରାଡିଆ, ବାଇଶମାଣିଆ ଓ ଗଗନାପାଟ ଆଦି ନାଳର ପାଣିକୁ ଚାଷୀ ବ୍ୟବହାର କରୁଛନ୍ତି। କିନ୍ତୁ ଗଢ଼ିଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରିରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥଗୁଡ଼ିକ ଜଳରେ ମିଶୁଛି।

ଏହି ଜଳକୁ ଜମିରେ ବ୍ୟବହାର ହେଉଥିବାରୁ ଫସଲ ନଷ୍ଟ ହେବା ସହ ଜମିର ଉର୍ବରତା କମୁଛି। ମାଟି ନାଲିରଙ୍ଗର ପଟୁ ମାଟି ପରି ଦିଶୁଛି । ଫସଲ ଗୁଡ଼ିକ ନଷ୍ଟ ହେବା ଫଳରେ ବର୍ଷକର ଦାନା ଉଜୁଡ଼ି ଯାଉଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ଏ ବାବଦରେ ଅନେକଥର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି।

ଏହାକୁ ନେଇ ହାଟସାହି ପଂଚାୟତର ଚାଷୀମାନେ ମେଳି ବାନ୍ଧିଥିବା ଜଣାପଡ଼ିଛି । ରାସାୟନିକ ଯୁକ୍ତ ଜଳ ପ୍ରଭାବରୁ ଡାଳୁଅ ଧାନ ଗଛ ଗୁଡ଼ିକ ନଷ୍ଟ ହେବା ସହ ଆଳୁ ଗଛ, ସୂର୍ଯ୍ୟମୁଖୀ ଗଛ ମରି ଜାଳ ସଦୃଶ ଦେଖାଯାଉଛି । ସେହିପରି ମୁଗ, ବିରି, ବାଦମ ଚାଷ ଉଜୁଡ଼ି ଯିବାକୁ ବସିଲାଣି । ହାତ ଗଣତି ଅଳ୍ପ ଚାଷି ଚିଙ୍ଗୁଡ଼ି ଚାଷକରି ମାଲାମାଲ ହେଉଥିବା ବେଳେ, ଚାଷକରି ଜୀବିକା ନିର୍ବାହ କରୁଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚାଷୀମାନେ କହିଛନ୍ତି । ତେବେ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଛନ୍ତି ତହସିଲଦାର। ଆଉ ଯଦି ଚାଷୀଙ୍କର କ୍ଷୟକ୍ଷତି ହୋଇଥିବ, ତେବେ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ।  

ଚିଙ୍ଗୁଡ଼ି ଘେରିଗୁଡ଼ିକୁ ଉଚ୍ଚେଦ ଦାବି ଯୋର ଧରିଥିବା ବେଳେ, କ୍ଷୟକ୍ଷତିର ଆକଳନ କରି ପ୍ରଶାସନ କେତେଦୂର ଚାଷୀଙ୍କ ଦୁଃଖ ବୁଝୁଛି, ତାହା ଚାଷୀକୂଳ ଅନେଇ ବସିଛି ।

Leave a Reply

Your email address will not be published.

Back to top button