ବିନା ଜମି ମାଲିକରେ ବିକ୍ରି ହେଉଛି ଜମି

Spread the love

ଯାଜପୁର: ଜମି ମାଲିକ ବିଦେଶରେ ଥିବା ବେଳେ ତାଙ୍କ ନାମରେ ଥିବା ଜମି ବିକ୍ରି ହୋଇଗଲା । ମାଲିକଙ୍କ ଅନୁପସ୍ଥିତିରେ ଏଭଳି ଏକ ଜମି ବିକ୍ରିବଟା କାର୍ଯ୍ୟ ବିନା କୌଣସି ଦ୍ବିଧାରେ ସବରେଜିଷ୍ଟର କାର୍ଯ୍ୟାଳୟରେ ହିଁ ହୋଇଛି । ଜମି ଖର୍ଦ୍ଦି ବିକ୍ରି କାର୍ଯ୍ୟ କ୍ରେତା ଏବଂ ବିକ୍ରେତାଙ୍କ ଉପସ୍ଥିତିରେ ହେବାର ବିଧିବ୍ୟବସ୍ଥା ଥିବା ବେଳେ ଯାଜପୁର ରୋଡ଼ ସବରେଜିଷ୍ଟର କାର୍ଯ୍ୟାଳୟରେ କିନ୍ତୁ ମାଲିକଙ୍କ ଅନୁପସ୍ଥିତିରେ ଏ କାରବାର ସମ୍ଭବ ହୋଇପାରିଛି । ଯାଜପୁର ରୋଡ଼ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବାପରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ବିଦେଶରେ ଜମି ମାଲିକ । ହେଲେ ମାଲିକଙ୍କ ସ୍ଥିତିବାନ ଜମି ବିକିଦେଲେ ଦଲାଲ । ଅସଲି ଫଟୋ ଓ ନକଲି ଦସ୍ତଖତରେ ହୋଇଗଲା ବିକ୍ରି କବଲା । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଅଞ୍ଚଳରୁ ଦେଖିବାକୁ ମିଳିଛି ଏଭଳି ଏକ ଜମି ଦୁର୍ନୀତି ମାମଲା। ବିଦେଶରେ ରହୁଥିବା ଦୀପକ କୁମାର ଦାସ ଗତ ୨୦୧୨ ମସିହାରେ ବ୍ୟାସନଗର ତହସିଲ ଅଧିନ ଭିକିପୁର ମୌଜାରେ ୧୪ ଗୁଣ୍ଠ ୩ ଡିସିମିଲ ଜମି କିଣିଥିଲେ । ତେବେ ଦୀପକ ବିଦେଶରେ ଥିବା ବେଳେ ଏହି ମୌଜାରେ ଥିବା ଉକ୍ତ ଜମି ୨୦୨୨ ଜାନୁଆରୀ ୩ ତାରିଖରେ ବିକ୍ରି ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ । ତେବେ ତାଙ୍କ ଅନୁପସ୍ଥିତି ଓ ଅଜାଣତରେ ଜମି କିପରି ବିକ୍ରି ହେଲା, ସେ ନେଇ ଦୀପକ ଖୋଳତାଡ଼ ଆରମ୍ଭ କରିଥିଲେ । ପରେ ସେ ଏ ସଂକ୍ରାନ୍ତରେ କେନ୍ଦ୍ରାଞ୍ଚଳ ଆରଡିସି, ଯାଜପୁର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଭାଗଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏହାର କୌଣସି ସୁଫଳ ମିଳିଲା ନାହିଁ । ବିଦେଶରୁ ଫେରି ପ୍ରଶାସନ ଠାରୁ କୌଣସି ନ୍ୟାୟ ନପାଇବାରୁ ପରିଶେଷରେ ଯାଜପୁର ରୋଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି ଦୀପକ। କ୍ରେତା, ବିକ୍ରେତା ଓ ଦଲାଲଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି ।

ଦୀପକ ସମସ୍ତ ଦସ୍ତାବିଜ ସହିତ ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ । ସେ ବିଦେଶରେ ଥିବା ସମୟରେ ତାଙ୍କର ଜାଲ ଦସ୍ତଖତ କରାଯାଇ ୧୪ ଗୁଣ୍ଠ ୩ ଡିସିମିଲ ଜମିକୁ ଭିକିପୁର ଗ୍ରାମର ବଳରାମ ଜେନା ଓ ରମ୍ପାସ ଗ୍ରାମର ବିରଞ୍ଚିଶଙ୍କର ପତିଙ୍କୁ ବିକ୍ରି କରିଦିଆଯାଇଛି । ସବରେଜିଷ୍ଟର କାର୍ଯ୍ୟାଳୟର କିଛି ଅସାଧୁ ଅଧିକାରୀ ଓ ଦଲାଲଙ୍କ ଦ୍ବାରା ଜମିକୁ ଚଞ୍ଚକତା ପୂର୍ବକ ଏପରି ବିକ୍ରି କରାଯାଇଥିବା ଏବଂ ଏହାପଛରେ ବଡ଼ ରାକେଟ କାର୍ଯ୍ୟ କରୁଥିବା ଦୀପକ କହିଛନ୍ତି । ତେବେ ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଏଥିସହିତ ତାଙ୍କ ଜମି ତାଙ୍କ ନାମକୁ ଫେରାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଛନ୍ତି । ସେପଟେ ଏ ସମ୍ପର୍କରେ ପୋଲିସ୍ କିମ୍ବା ସମ୍ପୃକ୍ତ ସବରେଜିଷ୍ଟର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି । ବରଂ ଏ ସଂକ୍ରାନ୍ତରେ ସବରେଜିଷ୍ଟରଙ୍କୁ ପ୍ରଶ୍ନ କରିବାରୁ ସେ ବିଚଳିତ ହୋଇ ଏଣେତେଣେ ଧାଇଁ ଥିଲେ । ଏବଂ ସବୁ କାର୍ଯ୍ୟ ଠିକରେ ହୋଇଥିବା ସେ କହିଥିଲେ ।

ସବରେଜିଷ୍ଟର କାର୍ଯ୍ୟାଳୟରେ ଜମିମାଲିକଙ୍କ ଅନୁପସ୍ଥିତିରେ ଜମି ବିକ୍ରି ହେବା ଘଟଣା କାର୍ଯ୍ୟାଳୟର ଜାଲିଆତି କାର୍ଯ୍ୟକୁ ପଦାରେ ପକାଇଛି । ତେବେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *