ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା ; କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ !

ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା ତେଜିବାରେ ଲାଗିଲାଣି। ଏହା ଏବେ ରାଜନୈତିକ ମୁଦ୍ଦା ହେବାକୁ ବସିଲାଣି। ମାମଲା ଜାତୀୟ ମାନବାଧିକାର ଆୟୋଗରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ୍ ହୋଇଛି ଓଡ଼ିଶା ସଚିବାଳୟ ସେବା ସଂଘ। ସଂପୃକ୍ତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ଜୋର୍ ଧରିଛି। ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି। ଛାତ୍ର କଂଗ୍ରେସ ରାଜଭବନ ଆଗରେ ପ୍ରତିବାଦ କରିଛି। ବିଜେପି କହିଛି, ତଦନ୍ତ ଚାଲିଛି। ଯିଏ ଦୋଷୀ ଆଇନ ଅନୁସାରେ ଦଣ୍ଡିତ ହେବ।

ତେଜିଲା ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା। ଘଟଣାର ୪ ଦିନ ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି।  ମାମଲା ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ବି ପହଞ୍ଚିଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୁରୀ ରାଜଭବନ ଦାୟିତ୍ୱରେ ଥିବା ଏଏସଓ ବୈକୁଣ୍ଠଙ୍କୁ କୁଆଡ଼େ ରାଜ୍ୟପାଳଙ୍କ ପୁଅ ଲଳିତ ଓ ତାଙ୍କ ୫ ସହଯୋଗୀ ପିଟିଥିଲେ। ଦାମୀ ଗାଡ଼ି ବଦଳରେ ଏକ ଆମ୍ୱାସାଡର କାହିଁକି ପଠାଇଲ କହି ରୁମ୍ ଭିତରକୁ ଡାକି ବାଡ଼େଇବାରୁ ଏଥିରେ ଆହତ ହୋଇଥିଲେ ବୈକୁଣ୍ଠ! ଘଟଣା ବାବଦରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ୮ ତାରିଖରେ ମୌଖିକ ଭାବେ ଜଣାଇବା ସହ ୧୦ ତାରିଖରେ ଇ-ମେଲ୍ ଯୋଗେ ଅଭିଯୋଗପତ୍ର ପଠାଇଥିଲେ। ସଚିବ କୌଣସି ଆକ୍ସନ ନ ନେବାରୁ ବୈକୁଣ୍ଠ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ବି ଜାତୀୟ ମାନବାଧିକାର ଆୟୋଗଙ୍କ ପାଖକୁ ଯାଇଛି। ଆକ୍ରମଣକାରୀଙ୍କ ଉପରେ ଆକ୍ସନ ସହ ପୀଡ଼ିତଙ୍କୁ ସୁରକ୍ଷା ଦେବାକୁ ଦାବି ହୋଇଛି। ବୈକୁଣ୍ଠଙ୍କ ପତ୍ନୀ ବି କାର୍ଯ୍ୟାନୁଷ୍ଠାନ ସହ ସ୍ୱାମୀଙ୍କ ସୁରକ୍ଷା ଦାବି କରିଛନ୍ତି। ଏଏସଓ ସଂଘ ବି ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି।

ସେପଟେ ଏହି ଘଟଣାକୁ ନେଇ ରାଜନୀତି ବି ତେଜିଲାଣି। ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ରାଜଭବନ ଘେରାଉ କରିଥିଲା। ରାଜଭବନ ଯାଉଥିବା ବେଳେ ଅଧା ବାଟରେ ଅଟକାଇଥିଲା ପୁଲିସ। ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ତୁରନ୍ତ ଆକ୍ସନ ନ ହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ। ୩୦୭ ଦଫାରେ ଗିରଫ କରାଯାଉ। ବିଜେପି ଶାସନରେ ଥିବାରୁ ଗିରଫ କରାଯାଉନି। ବିଧାନସଭାରେ କଥା ଉଠିବ ବୋଲି କହିଲାଣି କଂଗ୍ରେସ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି। ପୂର୍ବ ସରକାରରେ ଦୃଷ୍ଟାନ୍ତମୂଳକ ଆକ୍ସନ ହେଉଥିଲା। ଛୋଟ କର୍ମଚାରୀ ହୋଇଥାଇପାରନ୍ତି, କିନ୍ତୁ ଏ କଥା ଛୋଟିଆ ନୁହେଁ। ବିଜେପି କହିଛି, ତଦନ୍ତ ଚାଲିଛି। ଯିଏ ଦୋଷୀ ନିସ୍ତାର ପାଇବନି। ଏହାକୁ ନେଇ ବିରୋଧୀ ତୁଛା ରାଜନୀତି କରୁଛନ୍ତି। ମୋହନ ସରକାର ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ଯଥେଷ୍ଟ ଯତ୍ନବାନ୍।

ସେପଟେ ପୁରୀ ଜିଲ୍ଲାପାଳ ଓ ଏସପି ଯଥାସମ୍ଭବ ଏହି ଘଟଣାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ନା ଜିଲ୍ଲାପାଳ ନା ଏସପି। କେହି ବି ଗଣମାଧ୍ୟମରେ ଏ ନେଇ ମୁହଁ ଖୋଲିବାକୁ ଅନିଛା ପ୍ରକାଶ କରିଛନ୍ତି। ଦେଖିବାର କଥା ଆଗକୁ ଏ ମାମଲା କି ମୋଡ଼ ନେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *