ବିହାରରେ ଭିଆଇପି ପାର୍ଟି ମୁଖ୍ୟ ମୁକେଶ ଶାହାନିଙ୍କ ପିତାଙ୍କୁ ନିର୍ମମ ହତ୍ୟା , ତେଜୁଛି ରାଜନୀତି

ବିହାରରେ ଭିଆଇପି ପାର୍ଟି ମୁଖ୍ୟ ମୁକେଶ ଶାହାନିଙ୍କ ପିତାଙ୍କୁ ନିର୍ମମ ହତ୍ୟା। ଏହାକୁ ନେଇ ବିହାରରେ ରାଜନୀତି ତେଜ୍ ହୋଇଛି। ବିହାରରେ ଜଙ୍ଗଲରାଜ ଚାଲିଛି କହି ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ। ବିହାରରେ କୌଣସି ରାଜନେତା ନିଜକୁ ନିରାପଦ ମଣୁନାହାନ୍ତି। ବିହାରରେ ଆଇନଶୃଙ୍ଖଳା ଭଗବାନଙ୍କ ଭରସାରେ ଚାଲିଛି ବୋଲି ଆରୋପ ଲଦିଛନ୍ତି। ସେପଟେ ସରକାର କହିଛନ୍ତି, ତଦନ୍ତ ଲାଗି ଏସଆଇଟି ଗଠନ କରାଯାଇଛି। ବ୍ୟକ୍ତିଗତ ଶତୃତା ନା ଅନ୍ୟ କୌଣସି ବଡ଼ କାରଣରୁ ହତ୍ୟା ହୋଇଛି, ଖୁବ ଶୀଘ୍ର ଘଟଣା ଉପରୁ ପରଦା ହଟିବ। ଅପରାଧୀ ନିସ୍ତାର ପାଇବନି।

ବିହାରରେ ଭିଆଇପି ପାର୍ଟି ମୁଖ୍ୟ ମୁକେଶ ଶାହାନିଙ୍କ ପିତାଙ୍କୁ ମର୍ଡର। ଦରଭଙ୍ଗାରେ ସୋମବାର ବିଳମ୍ୱିତ ରାତିରେ ଜିତନ ଶାହାଙ୍କୁ ଦୁର୍ବୃତ୍ତ ନିର୍ମମ ହତ୍ୟା କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଭିଆଇପି ଦଳର ସଭାପତି ମୁକେଶଙ୍କ ପିତାଙ୍କ ହତ୍ୟାକୁ ନେଇ ବିହାର ରାଜନୀତି ସରଗରମ ହୋଇଛି। ଗଲା ଲୋକସଭା ନିର୍ବାଚନରେ ମୁକେଶ ଶାହାନିଙ୍କ ନେତୃତ୍ୱାଧୀନ ବିକାଶଶୀଳ ଇନଶାନ୍ ପାର୍ଟି ଏପ୍ରିଲ ୫ ତାରିଖରେ ଆରଜେଡି ସହ ମେଣ୍ଟ କରି ତିନୋଟି ଆସନରେ ଲଢ଼ିଥିଲା। ବିହାରରେ ଜଙ୍ଗଲରାଜ ଚାଲିଛି। ଏଠାରେ କୌଣସି ରାଜନେତା ନିରାପଦ ନୁହଁନ୍ତି ବୋଲି ବର୍ଷିଛି ଆରଜେଡି। ବିହାରର ଆଇନଶୃଙ୍ଖଳା ଭଗବାନଙ୍କ ଭରସାରେ ଚାଲିଛି। ପୁରା ଶାସନକଳ ଭୁଷୁଡ଼ିପଡ଼ିଛି। ସ୍ୱାଧୀନ ସାଂସଦ ପପୁ ଯାଦବ କହିଛନ୍ତି, ବିହାରରେ ଲଗାତାର ହତ୍ୟା, ଶିଶୁଙ୍କୁ ଶୋଷଣ, ଅପରାଧିକ ମାମଲା, ପେପର ଲିକ୍ ହେବାରେ ଲାଗିଛି। ବିହାର ପୁରା ଅପରାଧୀଙ୍କ କବଜାରେ ଅଛି। ଏହା କଅଣ ନୀତିଶ ସରକାରଙ୍କ ସୁଶାସନ କି ବୋଲି ପଚାରିଛନ୍ତି ପପୁ। ମାଫିଆ, ଅପରାଧୀ ଓ ନେତାଙ୍କ ମଧୁଚନ୍ଦ୍ରିକାରେ ବିହାର ଶାସନ ଚାଲିଛି। ବିହାରରେ ଅଫିସରରାଜ ଚାଲିଛି। ତ୍ୱରିତ ଟ୍ରାଏଲ ସହ ଦୋଷୀଙ୍କୁ କଡ଼ା ଦଣ୍ଡବିଧାନ ଦାବି କରିଛନ୍ତି ବିରୋଧୀ। ତେଜସ୍ୱୀ ଯାଦବ ବି ଟ୍ୱିଟ୍ କରି ବିହାରରେ ଜଙ୍ଗଲରାଜ ଚାଲିଥିବା କହିଛନ୍ତି।

ସେପଟେ ଶାସକ ଦଳ କହିଛି, ଘଟଣାର ତଦନ୍ତ ଲାଗି ସରକାର ଏସଆଇଟି ଗଠନ କରିଛନ୍ତି। ତଦନ୍ତ କରି ଦୋଷୀଙ୍କୁ ଧରାଯିବ। ବ୍ୟକ୍ତିଗତ ଶତୃତା ନା ଏହା ପଛରେ ଆଉ କୌଣସି ବଡ଼ କାରଣ ରହିଛି, ତାହାର ଛାନଭିନ୍ ହେଉଛି। ଏଭଳି ସମ୍ୱେଦନଶୀଳ ଘଟଣାରେ ରାଜନୀତି ଶୋଭାପାଏନା। ଜଙ୍ଗଲରାଜର ପ୍ରକୃତ ସଂଜ୍ଞା କଅଣ ତାକୁ ବିରୋଧୀଙ୍କୁ କଟାକ୍ଷ କରିଛି ଶାସକ ଦଳ। ଯେତେବେଳେ ଅପରାଧୀ ଅପରାଧ କରି ନେତାଙ୍କ ଘରେ ଆଶ୍ରୟ ନେଉଥିଲେ, ତାକୁ ଜଙ୍ଗଲରାଜ କୁହାଯାଏ। ଅପରାଧୀ ନିସ୍ତାର ପାଇବନି। ସରକାର ଏଭଳି ମାମଲାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି।

ଘଟଣାସ୍ଥଳରେ ପୁଲିସ ତୁରନ୍ତ ପହଞ୍ଚି ଛାନଭିନ୍ କରିଥିଲା। ପ୍ରାଥମିକ ତଦନ୍ତରୁ ଚୋରୀ ଉଦ୍ଦେଶ୍ୟରେ ଘରେ ପଶିଥିଲେ ଦୁର୍ବୃତ୍ତ। ବିରୋଧ ହେବାରୁ ସେଥିଲାଗି ହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ଆକଳନ କରିଛି। ଘରେ କ୍ଷତବିକ୍ଷତ ଶରୀର ପଡ଼ିଥିଲା। ବାପାଙ୍କ ହତ୍ୟା ଖବର ପାଇ ମୁକେଶ ଶାହାନୀ ମୁମ୍ୱାଇରୁ ପାଟଣାକୁ ଫେରିଆସିଥିଲେ। ପୈତୃକ ଘରେ ମୁକେଶଙ୍କ ବାପା ଏକାକୀ ରହୁଥିଲେ। ମୁକେଶଙ୍କ ମାଆଙ୍କର ଆଗରୁ ପରଲୋକ ହୋଇସାରିଛି। ଯଦିଓ ସାଙ୍ଗରେ ରହିବାକୁ ବାରମ୍ୱାର ମୁକେଶ କହୁଥିଲେ, ହେଲେ ଦରଭଙ୍ଗା ଘରେ ରହିବାକୁ ପସନ୍ଦ କରୁଥିଲେ ତାଙ୍କ ବାପା।

ଜିତନଙ୍କ ମର୍ଡରକୁ ନେଇ ବିହାର ରାଜନୀତି ତେଜ୍ ହୋଇଛି। ନୀତିଶ ସରକାର ଏହି ଘଟଣା ଉପରୁ କେତେଶୀଘ୍ର ପରଦା ହଟାଉଛନ୍ତି, ଦେଖିବାର କଥା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *