ପରିବାରର ୫ଜଣଙ୍କୁ ଗଳାକାଟି ହତ୍ୟା। ପରିବାରର ୩ଟି ଛୁଆଙ୍କ ସମେତ ୫ଜଣଙ୍କୁ ନିର୍ମମ ହତ୍ୟା ଘଟଣା ମିରଟ ସହରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ୩ଟି ଝିଅଙ୍କ ଶବକୁ ଅଖାରେ ବାନ୍ଧି ଖଟ ତଳେ ଥିବା ବେଡ୍ ବକ୍ସରେ ପକାଇଥିଲେ ଦୁର୍ବୃତ୍ତ। ବାପା ମାଆଙ୍କ ଶବ ଉପରେ ଚାଦର ଘୋଡ଼ାଯାଇଥିଲା। ଗୋଡ଼କୁ ବେଡସିଟରେ ବନ୍ଧା ହୋଇଥିଲା। ସମସ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଛି। ଗଳାରେ ଧାରୁଆ ଅସ୍ତ୍ରର ଚିହ୍ନ ମିଳିଛି। ଘରର ଗେଟ୍ ବାହାରେ ତାଲା ଲାଗିଥିଲା। ସମ୍ପର୍କୀୟ ଓ ଭାଇ ସକାଳୁ ଫୋନ୍ କରିବାରୁ କେହି ଉଠାଇନଥିଲେ। ପଡ଼ୋଶୀ ବି ପରିବାରର କାହାକୁ ଦେଖିବାକୁ ପାଉନଥିଲେ। ଏ ପୁରା ମାମଲା ଲିସାଡ଼ି ଗେଟ୍ ଅଞ୍ଚଳରେ ସୋହେଲ ଗାର୍ଡେନ ଏରିଆରେ ହୋଇଛି। ମୃତକ ହେଲେ ମୋଇନ୍, ତାଙ୍କ ପତ୍ନୀ ଆସମା ଓ ୩ ଝିଅ ଆଫସା, ଅଜିଜା ଓ ଅଦିବା। ଅଦିବାର ବୟସ ୧ ବର୍ଷ ହୋଇଥିଲା ବେଳେ ଅଜିତା ୪ ବର୍ଷର ଓ ଆଫସା ଥିଲା ୮ ବର୍ଷର। ମୋଇନି ମିସ୍ତ୍ରୀ ଭାବେ କାମ କରୁଥିଲେ। ଆସମା ଥିଲେ ତାଙ୍କର ତୃତୀୟ ପତ୍ନୀ। ପୁଲିସ ଫରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ପ୍ରାରମ୍ଭରୁ ହତ୍ୟା ପଛରେ ମୋଇନର ଭାଇର ହାତ ଥିବା ସନ୍ଦେହ କରୁଛି ପୁଲିସ। ମୋଇନର ଭାଇକୁ ପୁଲିସ ହେପାଜତକୁ ନେଇଛି। ଏହା ସହ ଜଣେ ନକଲି ଡାକ୍ତର ବି ପୁଲିସ ରାଡାରରେ ରହିଛି। ମୋଇନ କୁଆଡ଼େ ସଂପୃକ୍ତ ଡାକ୍ତରଠୁ ଔଷଧ କିଣିଥିଲେ। ମୋଇନ ଭଡ଼ା ଘରେ ରହୁଥିଲେ। ତେବେ ଘରୁ କୌଣସି ଦୁର୍ଗନ୍ଧ ଆସିନଥିଲା। ଅନୁମାନ ଲଗାଯାଉଛି ଯେ, ହତ୍ୟାକୁ ବେଶୀ ସମୟ ହୋଇନି। ତେବେ ପୁରା ମାମଲା ପଦାକୁ ସେତେବେଳେ ଆସିଥିଲା। ଯେତେବେଳେ ମୋଇନର ଭାଇ ସଲିମ ନିଜ ପତ୍ନୀ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ଘରର କବାଟ ବାହାରୁ ବନ୍ଦ ଥିଲା। ସଲିମ କହିଛନ୍ତି, ସେ ତାଙ୍କ ପତ୍ନୀଙ୍କୁ ନେଇ ହସ୍ପିଟାଲ ଯାଇଥିଲା। ଡାକ୍ତରଙ୍କୁ ଦେଖାଇ ମୋଇନର ଘରେ ପହଞ୍ଚିଥିଲା। ବାହାରୁ ତାଲା ପଡ଼ିଥିଲା। ଯେତେ ଡାକିଲେ ବି କେହି ନ ଶୁଣିବାରୁ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲେ ସଲିମ୍। ଘରେ ପଶି ଦେଖିଥିଲେ ଯେ, ସବୁ ସାମାନ ଏପଟସେପଟ ହୋଇ ପଡ଼ିଛି। ଭାଇ ଓ ଭାଉଜର ଶବ ତଳେ ପଡିଥିଲା। ପଡ଼ୋଶୀଙ୍କ କହିବା କଥା, ମୋଇନର ଛୋଟ ଝିଅର ଦେହ ସବୁବେଳେ ଖରାପ ରହୁଥିଲା। ଘରକୁ ଜଣେ ମୌଲବୀର ଯିବାଆସିବା ଲାଗିଥିଲା।
ପୁରା ପରିବାରର ଖାଦ୍ୟରେ କୌଣସି ନିଶା ଔଷଧ ଦିଆଯାଇଥିବାର ଅନୁମାନ କରିଛି ପୁଲିସ। ବେହୋସ ହେବା ପରେ ହିଁ ସମସ୍ତଙ୍କୁ ହତ୍ୟା କରାଯାଇଛି। ସେଥିଲାଗି କାହାର ଚିତ୍କାର ବି କେହି ଶୁଣିବାକୁ ପାଇଲେନି। ହତ୍ୟାକାରୀ ଏକାଧିକ ବ୍ୟକ୍ତି ଥିଲେ। ଯେଉଁମାନେ ପରିବାରରୁ ଖାସ୍ ପରିଚିତି ଥିବେ। ଘରେ ପ୍ରାୟ ୨ରୁ ୩ ଘଣ୍ଟା ରହିବା ପରେ ମର୍ଡର କରିଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ମୃତ୍ୟୁ ପଛର ପ୍ରକୃତ କାରଣ। ପାରିବାରିକ ବିବାଦ ତଥା ପୁରୁଣା ଶତୃତାରୁ ଏହି ହତ୍ୟା ହୋଇଥିବା ଅନୁମାନ କରିଛି ପୁଲିସ। ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ଧରିବ ବୋଲି କହିଛି ପୁଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now