ନିଜେ ବିବାହିତ। କିନ୍ତୁ ଜଣେ ଛାତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଯୌନଶୋଷଣ କଲେ। ଏଭଳି ସଙ୍ଗୀନ ଆରୋପ ଆସିବା ପରେ ବିବାଦରେ ଛନ୍ଦି ହୋଇଛନ୍ତି କାନପୁର ଏସିପି। କାନପୁର ଆଇଆଇଟି ଛାତ୍ରୀଙ୍କ ସହ ଏଭଳି କରିଥିବା ଏସିପିଙ୍କୁ ତୁରନ୍ତ ପୁଲିସ ହେଡକ୍ୱାର୍ଟରକୁ ବଦଳି କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଏ ନେଇ ଏସଆଇଟିକୁ ଯାଞ୍ଚ ନିର୍ଦେଶ ଦିଆଯାଇଛି। ଆଉ ଏସିପି ବିବାହିତ ହୋଇ ତାଙ୍କ ସହ ଏଭଳି ଛଳନା କରିଥିବା କଥା ଜାଣିବା ପରେ ଡିପ୍ରେସନକୁ ଚାଲିଯାଇଛନ୍ତି ପୀଡ଼ିତା ଛାତ୍ରୀ। କାନପୁର ଏସିପି ମୋହସିନ୍ ଖାନଙ୍କ ଉପରେ ଆସିଛି ପ୍ରେମରୁ ପ୍ରତାରଣା ଓ ଦୁଷ୍କର୍ମର ସଙ୍ଗୀନ ଅଭିଯୋଗ।
ମୋହସିନଙ୍କୁ ଲକ୍ଷ୍ନୌସ୍ଥିତ ପୁଲିସ ହେଡକ୍ୱାର୍ଟରକୁ ବଦଳି କରିଦିଆଯାଇଛି। ଜୁଲାଇ ୨୦୨୪ରେ ମୋହସିନ୍ ଆଇଆଇଟି କାନପୁରରୁ ସାଇବର କ୍ରାଇମ୍ ଇନଭେଷ୍ଟିଗେସନ ଆଣ୍ଡ୍ ସାଇବର କ୍ରିମିନୋଲୋଜିରୁ ପିଏଚଡି ଆରମ୍ଭ କରିଥିଲେ। ପଢ଼ା ବେଳେ ସେଠାରେ ପିଏଚଡି କରୁଥିବା ପଶ୍ଚିମବଙ୍ଗର ଯୁବତୀ ସହ ମୋହସିନଙ୍କ ପରିଚୟ ହୋଇଥିଲା। ବିବାହିତ ସତ୍ତ୍ୱେ ନିଜକୁ ଅବିବାହିତ କହି ଯୁବତୀଙ୍କ ସହ ନିକଟତର ହେବାକୁ ଲାଗିଥିଲେ ମୋହସିନ୍। ବିବାହ କରିବି କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ପରେ ବିବାହିତ ଜାଣିବା ପରେ ଏଭଳି ସମ୍ପର୍କକୁ ବିରୋଧ କରିଥିଲେ ପୀଡ଼ିତା। ସେପଟେ ମୋହସିନଙ୍କ ପତ୍ନୀ ବି ମାର୍ଚ୍ଚ ମାସରୁ ଗର୍ଭବତୀ ଅଛନ୍ତି। ତା ସତ୍ତ୍ୱେ ବି ପରିବାର ଚାପରେ ପତ୍ନୀଙ୍କ ସହ ସମ୍ୱନ୍ଧ ରଖିଛି ବୋଲି ଆଉ ଏକ ମିଛ କାହାଣୀ ଶୁଣାଇଥିଲେ ଏସିପି। ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କ ସହ ବିବାହ କରିବେ ବୋଲି ପୁଣି ମିଛ ଆଶ୍ୱାସନା ଦେଇଥିଲେ ମୋହସିନ୍। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ କେମିତି ଅଛି ଜାଣିବା ପାଇଁ ଛାତ୍ରୀ ଜଣକ ମୋହସିନଙ୍କ ପତ୍ନୀଙ୍କୁ ଦୁଇ ଦିନ ତଳେ ଫୋନ୍ କରି ଜାଣିବାକୁ ଚାହିଁଥିଲେ। ବୈବାହିକ ଜୀବନ ଭଲରେ ଚାଲିଥିବା ଶୁଣିବା ପରେ କେମିତି ଛାଡ଼ପତ୍ର ସମ୍ଭବ ବୋଲି ଏସିପିଙ୍କୁ ପଚାରିବାରୁ ଯୁବତୀଙ୍କ ଚରିତ୍ରକୁ ନେଇ ଆକ୍ଷେପ କରିଥିଲେ ମୋହସିନ୍। ଏ ସମ୍ପର୍କରେ ଆଇଆଇଟି କର୍ତ୍ତୃପକ୍ଷଙ୍କ ପାଖରେ ଆଗ ଫେରାଦ୍ ହୋଇଥିଲେ ପୀଡ଼ିତା। ଗୁରୁବାର କଲ୍ୟାଣପୁର ଥାନାରେ ଏସିପିଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ଆଇଆଇଟି ନିର୍ଦେଶକ ବି କହିଛନ୍ତି, ଯାଞ୍ଚରେ ସହଯୋଗ କରୁଛୁ। ଛାତ୍ରୀଙ୍କ ଏଭଳି କଠିନ ସମୟରେ ସମସ୍ତ ପ୍ରକାର ସହଯୋଗ ଦେବାକୁ ଆଇଆଇଟି ପ୍ରତିବଦ୍ଧ।
ମାଜିଷ୍ଟ୍ରେଟଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ ହେବ। କାରଣ ପୀଡ଼ିତା ଗମ୍ଭୀର ମାନସିକ ଚାପରେ ଅଛନ୍ତି। ସୁସ୍ଥ ହେବା ପରେ ବୟାନ ରେକର୍ଡ ହେବ। ଏସିପିଙ୍କ ବିରୁଦ୍ଧରେ ଏତଲା ଦେଇ ୪ଟି ଦାବି ରଖିଛନ୍ତି ଛାତ୍ରୀ ଜଣକ। ବଳାତ୍କାର, ଧୋକା, ମାନହାନି ହୋଇଛି। ତାଙ୍କୁ ସୁରକ୍ଷା ଦିଆଯାଉ। ଅଭିଯୁକ୍ତ ଓ ତାଙ୍କର ସହଯୋଗୀଙ୍କୁ ଆଇଆଇଟିରେ ଏଣ୍ଟ୍ରିକୁ ବାରଣ କରାଯାଉ। ନିରପେକ୍ଷ ତଦନ୍ତ କରି ଦୃଷ୍ଟାନ୍ତମୂଳକ ଆକ୍ସନ ସହ ପୀଡ଼ିତାଙ୍କ ପରିଚୟ ଗୋପନ ରଖାଯାଉ। ମୋହସିନଙ୍କୁ ଚଳିତ ବର୍ଷ ଡିଜିପି ସିଲଭର ମେଡାଲରେ ପୁରଷ୍କୃତ କରିଥିଲେ। ୨୦୧୩ ବ୍ୟାଚର ପିପିଏସ ଅଫିସର ଅଟନ୍ତି ମୋହସିନ୍।
Naxatra News is now on Whatsapp
Join and get latest news update delivered to you via whatsapp
Join Now