ହାରିଗଲେ ଅଙ୍କିତା: ଜାରି ହେଲା ୧୪୪

Spread the love

ରାଞ୍ଚି: ୬ ଦିନ ଧରି ମରଣ ସହ ଜୁଝିବା ପରେ ଶେଷରେ ଆଖି ବୁଜିଲା ଅଙ୍କିତା। ଏକତରଫା ପ୍ରେମର କରୁଣ ପରିଣତି ଭୋଗିଲେ ଅଭାଗିନୀ। ନିର୍ଦ୍ଦୟ ଶାହାରୁଖ ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲା।

ଝାଡ଼ଖଣ୍ଡର ଡୁମକା ଜିଲ୍ଲାରେ ଏକତରଫା ପ୍ରେମର କରୁଣ ପରିଣତି ଅଗଷ୍ଟ ୨୩ ତାରିଖରେ ଦେଖିବାକୁ ମିଳିଥିଲା। ପ୍ରେମର ବିଫଳ ହେବା ପରେ ପେଟ୍ରୋଲ ଢାଳି ଜାଳିଦେଇଥିଲା ଉନ୍ମତ୍ତ ପ୍ରେମିକ। ଆଉ ୬ ଦିନ ଧରି ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ଅଗଷ୍ଟ ୨୮ ବିଳମ୍ୱିତ ରାତିରେ ସବୁଦିନ ଲାଗି ଆଖି ବୁଜି ଦେଇଛନ୍ତି ଅଙ୍କିତା।

ଅଭିଯୁକ୍ତ ଶାହାରୁଖ ଅଗଷ୍ଟ ୨୩ରେ ଝରକା ପାଖରେ ଅଙ୍କିତା ଶୋଇଥିଲା ବେଳେ ପ୍ରତିଶୋଧ ପରାୟଣ ସାଜି ପେଟ୍ରୋଲ ତାଙ୍କ ଦେହରେ ଛାଟିଦେଇଥିଲା। ଆଉ ପରେ ନିଆଁ ଲଗାଇ ଫେରାର୍ ହୋଇଯାଇଥିଲା। ପୁଲିସ ସେହି ଦିନ ହିଁ ଶାହାରୁଖକୁ ଗିରଫ କରିଥିଲା।

ବିଡ଼ମ୍ୱନାର କଥା ଥିଲା କି, ଏଭଳି ନାରକୀୟକାଣ୍ଡ ଭିଆଇବା ପରେ ବି ସାମାନ୍ୟ ଅନୁଶୋଚନା ନଥିଲା ତା ମନରେ। ଗିରଫ ବେଳେ ହସୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଉ ଏହି ଭିଡିଓକୁ ଦେଖି ଲୋକଙ୍କ ଭିତରେ ନିଆଁ ଲାଗିଥିଲା ଯେମିତି। ଜଷ୍ଟିସ୍ ଫର୍ ଅଙ୍କିତା ନାଁରେ ଅଭିଯାନକୁ ଜୋରଦାର କରିଛନ୍ତି ଲୋକେ।

ନିଆଁରେ ୯୫ ପ୍ରତିଶତ ପୋଡ଼ି ଅଙ୍କିତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିଲା। ମୃତ୍ୟୁ ପୂର୍ବରୁ ଅଙ୍କିତାଙ୍କର ଜମାନବନ୍ଦୀ ପ୍ରମାଣ ଦେଉଥିଲା, କେତେ ନୃଶଂସ ଥିଲା ଶାହାରୁଖ ହୁସେନ୍। ତାହାର ଏକତରଫା ପ୍ରେମ ଭିକ୍ଷା, ବାଟରେ ଘାଟରେ ହଇରାଣ ହରକତ କରିବା ନେଇ ଅତିଷ୍ଠ ହୋଇପଡ଼ିଥିଲେ ଅଙ୍କିତା।

ଅଙ୍କିତାଙ୍କ ଏଭଳି ଅବସ୍ଥା କରିଥିବା ଅଭିଯୁକ୍ତ ବିରୁଦ୍ଧରେ ଅନେକ ହିନ୍ଦୁ ସଂଗଠନ ପ୍ରତିବାଦ ରାଲି, ବିକ୍ଷୋଭ କରିଛନ୍ତି। ହତ୍ୟାକାରୀକୁ ଫାଶୀ ଦେବାକୁ ଦାବି ହୋଇଛି। ଫାଷ୍ଟଟ୍ରାକ୍ କୋର୍ଟରେ ତ୍ୱରିତ ଶୁଣାଣୀ କରି ଏଭଳି ନରପିଶାଚକୁ ଫାଶୀ ଖୁଣ୍ଟରେ ଝୁଲାଇଦେବାକୁ ଦାବି ତେଜିଛି। ସୋମବାର ସକାଳେ ଅଙ୍କିତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅଙ୍କିତାଙ୍କ ମୃତ୍ୟୁ ପରେ  କୌଣସି ଅପ୍ରୀତିକର କି ସାମ୍ପ୍ରଦାୟିକ ଉତ୍ତେଜନାମୂଳକ ସ୍ଥିତି କାଳେ ଉପୁଜିବ, ତାକୁ ଲକ୍ଷ୍ୟ ରଖି ପ୍ରଶାସନ ୧୪୪ ଧାରା ଲଗାଇଥିଲା।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *