ଗୁଜରାଟରେ ମାତିଛନ୍ତି ନକଲି ଡାକ୍ତର। ନକଲି ଇଡି ଟିମ୍ ରାକେଟ୍। ଆଗ ନକଲି ଡାକ୍ତର ଗ୍ୟାଙ୍ଗଙ୍କ କାରନାମା ଉପରେ ନଜର ପକାଇଦେବା। ଜାଲି ମେଡିକାଲ ଡିଗ୍ରୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଅସୁଲ କରୁଥିବା ୧୪ ଜଣିଆ ନକଲି ଡାକ୍ତର ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ। ସୁରାଟରେ ସକ୍ରିୟ ଥିଲା ଏହି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ପାଖରୁ ପ୍ରାୟ ୧୨ଶହ ନକଲି ଡିଗ୍ରୀର ଡାଟାବେସ୍ ପୁଲିସ ହାତରେ ଲାଗିଚି। ଅଷ୍ଟମ ପାସ୍ କରିଥିବା ପିଲାଙ୍କୁ ବି ଏମାନେ ମେଡିକାଲ ଡିଗ୍ରୀ ପ୍ରମାଣପତ୍ର ଦେଉଥିଲେ। ଏହା ବଦଳରେ ପ୍ରତି ପିଲାଙ୍କଠୁ ୭୦ହଜାର ଟଙ୍କା ନେଉଥିଲେ। ଗୁଜରାଟ ପୁଲିସ ଏଭଳି ଜାଲି ଡିଗ୍ରୀ କିଣିଥିବା ୧୪ ନକଲି ଡାକ୍ତରଙ୍କୁ ବାନ୍ଧିଛି। ବୋର୍ଡ ଅଫ ଇଲେକ୍ଟ୍ରୋ ହୋମିଓପାଥିକ୍ ମେଡିସିନ୍ ଗୁଜରାଟ ଅର୍ଥାତ ବିଇଏଚଏମରୁ ଜାରି ଡିଗ୍ରୀ ପ୍ରମାଣପତ୍ର ଦେଉଥିଲା ଏହି ଗ୍ୟାଙ୍ଗ। ଯେତେବେଳେ କି ଗୁଜରାଟ ସରକାର ଏମିତି କୌଣସି ଡିଗ୍ରୀ ଜାରି କରନ୍ତିନି। ଅଭିଯୁକ୍ତଙ୍କ ପାଖରୁ ଶତାଧିକ ଆବେଦନ, ପ୍ରମାଣପତ୍ର ଓ ଟିକଟ ମିଳିଛି। ଫେକ୍ ସାର୍ଟିଫିକେଟ ଫ୍ୟାକଟ୍ରିର ପୋଲ୍ ତା ହେଲେ ଖୋଲିଲା କେମିତି। ଯେଉଁମାନେ ଟଙ୍କା ଦେଇ ନକଲି ଡାକ୍ତରୀ ପ୍ରମାଣପତ୍ର ହାସଲ କରିଥିଲେ, ଅଧିକାଂଶ ବହୁ କଷ୍ଟରେ ଯୁକ୍ତ ଦୁଇ ପାସ୍ କରିଥିଲେ। ସୁରଟ ନିବାସୀ ରମେଶ ହିଁ ଏହି ରାକେଟର ମୁଖ୍ୟ ମାଷ୍ଟରମାଇଣ୍ଡ।
ପୁଲିସ ପାଣ୍ଡେସରା ଅଞ୍ଚଳର ଅନେକ କ୍ଲିନିକରେ ଚଢ଼ାଉ ପରେ ସାର୍ଟିଫିକେଟ ଯାଞ୍ଚରୁ ଏହି ଗୁମର ପଦାକୁ ଆସିଛି। ବିନା କୌଣସି ପ୍ରଶିକ୍ଷଣରେ ଅଭିଯୁକ୍ତମାନେ ଏଲୋପାଥିକ ଔଷଧ ଦେଉଥିଲେ ରୋଗୀଙ୍କୁ। ଏହି ଗ୍ୟାଙ୍ଗ କ୍ଲିନିକରେ କାମ କରୁଥିବା ଲୋକଙ୍କୁ ଆଗ ଟାର୍ଗେଟ କରୁଥିଲା। ଅଷ୍ଟମରୁ ଦ୍ୱାଦଶ ପାସ୍ କରିଥିବା ପିଲାଙ୍କୁ ଆଗ ପାଲରେ ପକାଉଥିଲା। ଆଉ ନିଜର କ୍ଲିନିକ୍ ଖୋଲିବାକୁ ପ୍ରବର୍ତ୍ତାଇ ଏଥିଲାଗି ଆବଶ୍ୟକ ପ୍ରମାଣପତ୍ର ଯୋଗାଡ଼ କରିଦେବାକୁ ଲୋଭ ଦେଖାଉଥିଲା ରାକେଟ୍। ୬୦ହଜାରରୁ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିଲା। ଆରମ୍ଭରୁ ସେମାନଙ୍କ ଭିତରେ ବିଶ୍ୱାସ ଜନ୍ମାଉଥିଲେ କି, ଅଢ଼େଇ ବର୍ଷ ଯାଏ ତାଲିମ୍ ନେବାକୁ ପଡ଼ିବ। କିନ୍ତୁ ଏହା କେବଳ ଆଇଓ୍ୱାସ୍। କୌଣସି ବ୍ୟକ୍ତି ବି ଏ ବାବଦରେ ତାଲିମ୍ ନେଇନଥିଲେ। ମାଷ୍ଟରମାଇଣ୍ଡ ରମେଶ ସମେତ ଜାଲି ପ୍ରମାଣପତ୍ର ଜରିଆରେ ଡାକ୍ତର ସାଜିଥିବା ୧୪ଜଣଙ୍କୁ ଗିରଫ କରିଛି ପୁଲିସ। ନିଜକୁ ଗୁଜରାଟର ଆୟୁଷ ମନ୍ତ୍ରଣାଳୟର ମାନ୍ୟତାପ୍ରାପ୍ତ ଡାକ୍ତର ଭାବେ ଲୋକଙ୍କୁ ପରିଚୟ ଦେଉଥିଲେ ଏହି ଗ୍ୟାଙ୍ଗ୍।
ସେପଟେ ଧରାପଡ଼ିଛନ୍ତି ନକଲି ଇଡି ଟିମ୍। ଟିମ୍ର ୧୨ ଜଣଙ୍କୁ ଗିରଫ କରିଛି କଚ୍ଛ ପୁଲିସ। ଜଣେ ସୁନା ବ୍ୟବସାୟୀଙ୍କ ଦୋକାନରେ ରେଡ୍ ମାରୁଥିଲେ ଏହି ନକଲି ଟିମ୍। ନିଜକୁ ଇଡି ଅଧିକାରୀର ପରିଚୟ ଦେଇ ରେଡ୍ ବେଳେ ଧରା ପଡ଼ିଛନ୍ତି। ଏହି ଗ୍ୟାଙ୍ଗରେ ଅହମଦାବାଦ, ଗାନ୍ଧୀଧାନ ଓ ଭୁଜର ଲୋକ ଅଛନ୍ତି। ଯେଉଁମାନେ ନକଲି ଇଡି ଅଧିକାରୀ ସାଜି ସହରର ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ। ସଂପୃକ୍ତ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଅହମଦାବାଦ, ଭୁଜରେ ରେଡ୍ କରିବା ପରେ ଗାନ୍ଧୀଧାମରେ ପରବର୍ତ୍ତୀ ରେଡ୍ କରିବାକୁ ବାହାରିଥିଲେ। କିନ୍ତୁ ରେଡ୍ ବେଳେ ଏମାନଙ୍କ ହାବଭାବ ସନ୍ଦେହଜନକ ହେବାରୁ ସଂପୃକ୍ତ ବ୍ୟବସାୟୀ ଥାନାକୁ ଅବଗତ କରାଇଥିଲେ। ଆଉ ପୁଲିସ ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଥିଲା। ଜେରା ପରେ ଅନ୍ୟ ୧୦ ଜଣଙ୍କୁ ଧରିଛି ପୁଲିସ। ଏ ସନ୍ଦର୍ଭରେ ବିଧିବଦ୍ଧ ଏତଲା ହୋଇ ଛାନଭିନ ଜାରି ରଖିଛି ପୁଲିସ। ଜଣେ ମହିଳାଙ୍କ ସମେତ ୧୨ଜଣିଆ ଗ୍ୟାଙ୍ଗକୁ ଧରିଛି ପୁଲିସ। ବଡ଼ ବଡ଼ ବ୍ୟବସାୟୀଙ୍କୁ ଧମକ ଦେଇ ରେଡ୍ର ଭୟ ଦେଖାଉଥିଲେ। ଲକ୍ଷ ଲକ୍ଷ ଟଙ୍କା ଅସୁଲି କରୁଥିଲେ। ନିକଟରେ ଯେଉଁ ବ୍ୟବସାୟୀଙ୍କ ଗହଣା ଦୋକାନରେ ରେଡ୍ କରିଥିଲେ, ତାଙ୍କଠୁ ପ୍ରାୟ ୨୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାର ଅଳଙ୍କାର ନେଇ ଗାଏବ ହୋଇଯାଇଥିଲେ। ନକଲି ଇଡି ଅଧିକାରୀ ମାତିଛନ୍ତି କହି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଆମ୍ ଆଦମୀ ଦଳ। ବିଜେପି ଶାସିତ ରାଜ୍ୟ ନକଲି ମଡେଲର ସୂତ୍ରଧର ସାଜିଛି କହି ଆକ୍ଷେପ ଲଦିଛି ଆପ୍। ଗୁଜରାଟରେ ଏହା ପୂର୍ବରୁ ପିଏମଓର ନକଲି ଅଧିକାରୀ, ବିଚାରପତି, କୋର୍ଟ, ସ୍କୁଲ, ଶିକ୍ଷକର ନଜିର ପଦାକୁ ଆସିସାରିଛି। ଏବେ ନକଲି ଇଡି ଟିମ୍ ବି ସକ୍ରିୟ ଥିଲେ।ମୋଦି ଓ ଶାହାଙ୍କ ରାଜ୍ୟରେ ଏତେ ବଡ଼ ଫ୍ରଡ୍ କେମିତି ହେଉଛି ବୋଲି ପଚାରିଛି। ୨୦୧୩ରେ ଫିଲ୍ମ ସ୍ପେଶିଆଲ-୨୬ରେ ଯେମିତି ନକଲି ଆୟକର ଅଧିକାରୀ ସାଜି ଅଭିନେତା ଅକ୍ଷୟ କୁମାର, ଅନୁପମ ଖେରଙ୍କ ସମେତ ଅନ୍ୟ କଳାକାର ବେପାରୀଙ୍କୁ ଚୂନ ଲଗାଇଥିଲେ। ଗୁଜରାଟରେ ଅନୁରୂପ ସ୍ପେଶିଆଲ-୧୨ ଥିଲା ବୋଲି ସବୁଠି ଚର୍ଚ୍ଚା।
Naxatra News is now on Whatsapp
Join and get latest news update delivered to you via whatsapp
Join Now