ନବ ଦାସଙ୍କ ହତ୍ୟାକାରୀ ଗୋପାଳ ପାଗଳ ନୁହେଁ

Spread the love

() ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ପାଗଳ ନୁହେଁ । ଏସସିବିର ମାନସିକ ରୋଗ ବିଶେଷଜ୍ଞଙ୍କ ପ୍ୟାନେଲ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ ଅଛି। ତେଣୁ ଗୋପାଳକୁ ନିମହାନ୍ସ ନେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ଆଉ ପୁଣିଥରେ ସୁସ୍ଥ ଗୋପାଳକୁ ମାନସିକ ଅସୁସ୍ଥ ବୋଲି କହିବାର ପ୍ରୟାସ ସରକାର କାହିଁକି କରୁଛନ୍ତି ବୋଲି ବିଜେପି ପ୍ରଶ୍ନ ପଚାରି ଶାସକ ଦଳକୁ କାଠଗଡ଼ାକୁ ଟାଣିଛି। ନବ ଦାସଙ୍କ ହତ୍ୟା ଷଡଯନ୍ତ୍ରକାରୀ ହିଁ ଗୋପାଳକୁ ପାଗଳ ସଜାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ଦଳ। ସମାନ ଅଭିଯୋଗ ରେ କଂଗ୍ରେସ ବି ବର୍ଷିଛି । ଯାହାର ଜବାବ ରଖିଛି ଶାସକ ଦଳ ।

ଗୋପାଳକୁ କିଏ ସଜାଉଛି ପାଗଳ? ପାଗଳ ସଜାଇବା ପଛରେ ଅଛି କି ଷଡ଼ଯନ୍ତ୍ର? ଯଦି ସେ ମାନସିକ ଭାବେ ଅସୁସ୍ଥ ତେବେ ନିମହାନ୍ସ ନେବାକୁ କାହିଁକି ଅନୁମତି ଦେଲେନି କୋର୍ଟ? ଏସବୁ ପ୍ରଶ୍ନକୁ ନେଇ ପୁଣି ଥରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ । ସବୁଠାରୁ ବଡ କଥା ହେଲା ନବ ଦାସଙ୍କ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ଗଣମାଧ୍ୟମରେ ଗୋପାଳ ସ୍ତ୍ରୀଙ୍କ ପ୍ରତିକ୍ରିୟା ଓ ତାର ଠିକ୍ ପରେ ପରେ ଡାକ୍ତରଙ୍କ ବୟାନକୁ ନେଇ ଯେଉଁ ସନ୍ଦେହ ଥିଲା ତାହା ସତ ବୋଲି ଅଧିକ ବଳିଷ୍ଠ ହେଉଛି । ଅନ୍ୟପଟେ ଯଦି ଗୋପାଳ ମାନସିକ ରୋଗୀ ନୁହଁନ୍ତି ତେବେ କାହିଁକି ସେମାନେ ଏମିତି ପ୍ରତିକ୍ରିୟା ରଖିଥିଲେ । ଏଭଳି କହିବା ପାଇଁ ତାଙ୍କୁ କେଉଁଠୁ ନିର୍ଦ୍ଦେଶ ଥିଲା କି? ହତ୍ୟା କରିବେ ଆଉ ଦଣ୍ଡ ପାଇବାରୁ ମୁକୁଳିଯିବେ ସେଥିପାଇଁ ଏ ବାଟ କିଏ ବତାଇଥିଲା କି? ଏ ବୁଦ୍ଧି ହତ୍ୟା ଷଡ଼ଯନ୍ତ୍ରର କାର୍ପଟଦାର କି?ଏ ତମାମ ପ୍ରସଙ୍ଗକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ନବଙ୍କ ହତ୍ୟା ଷଡ଼ଯନ୍ତ୍ର ଯେଭଳି ସତ ଗୋପାଳକୁ ପାଗଳ ସଜାଇବାର ଷଡ଼ଯନ୍ତ୍ର ମଧ୍ୟ ସେତିକି ସତ ବୋଲି ଅଭିଯୋଗ କରିଛନ୍ତି ।

ଏପଟେ ବିରୋଧିଙ୍କୁ କଡା ଜବାବ ଦେଇଛି ଶାସକ ଦଳ । ବିରୋଧି ବାରମ୍ୱାର ସରକାର ଗୋପାଳକୁ ପାଗଳ ସଜାଇବାକୁ ଚେଷ୍ଟା କରୁଥିବା ଆରୋପ କରୁଥିଲେ । ଯାହା ଏବେ ଭୁଲ ପ୍ରମାଣିତ ହୋଇଛି । କିନ୍ତୁ କୋର୍ଟ ପ୍ରମାଣ କରି ଦେଲା ଯେ ଗୋପାଳ ପାଗଳ ନୁହେଁ । ତଦନ୍ତ ପ୍ରକ୍ରିୟାର ଆବଶ୍ୟକତା ଅନୁଯାୟୀ ପୁଲିସ ତା କାମ କରୁଛି ।  

ସେପଟେ ଗୋପାଳ ପାଗଳ ନୁହେଁ ସ୍ପଷ୍ଟ ହେଇ ସାରିଛି । ସେ ସୁସ୍ଥ ମସ୍ତିଷ୍କରେ ହତ୍ୟା ଷଡଯନ୍ତ୍ର କରି ହତ୍ୟାକାଣ୍ଡ ଘଟାଇଛି । ତେଣୁ ବର୍ତ୍ତମାନ ପାରିପାର୍ଶ୍ୱକ ସ୍ଥିତି ଓ ତଥ୍ୟ

ପ୍ରମାଣ ଭିତ୍ତି କରି ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ।

ତେବେ ନବ ଦାସ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଓ ବିଜେଡି  ମଧ୍ୟରେ କଥା କଟାକଟି ଜାରି ରହିଛି । ଏହାରି ଭିତରେ ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟୁଇଟର ୱାର ରାଜ୍ୟ ରଜନୀତିକୁ ଉଷ୍ଣ କରିଛି ।

ସ୍ୱରୁପା ମହାପାତ୍ର ଓ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *