ବିଚାରପତିଙ୍କ ଘରେ ପୁଳା ପୁଳା ଟଙ୍କା- ରାଜ୍ୟସଭାରେ ଶୁଭିଲା ସ୍ୱର

ଦିଲ୍ଲୀର ହାଇକୋର୍ଟ ବିଚାରପତିଙ୍କ ଘରୁ ବିପୁଳ ନଗଦ ଅର୍ଥ ମିଳିବା ପରେ ଏହାକୁ ନେଇ ଚାରିଆଡ଼େ ହଇଚଇ। ରାଜ୍ୟସଭାରେ ବି ଏହାର ସ୍ୱର ଶୁଭିଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ କହିଛନ୍ତି, ଏହି ପ୍ରସଙ୍ଗରେ ବ୍ୟବସ୍ଥିତ ଚର୍ଚ୍ଚା ଲାଗି ସେ ବ୍ୟବସ୍ଥା କରିବେ। କଂଗ୍ରେସ ସାଂସଦ ଜୟରାମ ରମେଶ ଏ ପ୍ରସଙ୍ଗ ଉଠାଇ ଏହାର ନ୍ୟାୟିକ ଜବାବଦେହୀ ଉପରେ ସଭାପତିଙ୍କଠୁ ଜବାବ ମାଗିଥିଲେ। ଏହା ସମସ୍ତଙ୍କୁ ଚକିତ କରିଛି। ଜଣେ ବିଚାରପତିଙ୍କ ଘରୁ ଏତେ ପରିମାଣର ଟଙ୍କା କୁଆଡ଼ୁ ଆସିଲା। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ତୁରନ୍ତ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଏହାକୁ ନିଜ ଆଡ଼ୁ ସଂଜ୍ଞାନ ନେଇ ତଦନ୍ତ ବି ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଜଷ୍ଟିସ ବର୍ମାଙ୍କ ସରକାରୀ ବଙ୍ଗଳାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ବେଳେ ସହର ବାହାରେ ଥିଲେ ଜଷ୍ଟିସ ବର୍ମା। ପରିବାର ଲୋକଙ୍କ ଫୋନ କଲ ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ବଙ୍ଗଳା ଭିତରେ ବିପୁଳ ମାତ୍ରାରେ ଟଙ୍କା ବିଡ଼ା ଦେଖିବାକୁ ମିଳିଥିଲା। ଏ ଖବର ଉଚ୍ଚ କର୍ତ୍ତୃପକ୍ଷଙ୍କ କାନକୁ ଗଲା ପରେ ସୁପ୍ରିମକୋର୍ଟ ଯାଏ କଥା ପହଞ୍ଚିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଏ ଖବର ମିଳିବା ପରେ ତୁରନ୍ତ କଲେଜିୟମ ବୈଠକ ଡାକି ଜଷ୍ଟିସ୍ ବର୍ମାଙ୍କୁ ବଦଳି କରିଛନ୍ତି। ଦୀର୍ଘ ସମୟ ଧରି ଓକିଲାତି ପରେ ୨୦୦୬ରୁ ଲଗାତାର ପଦୋନ୍ନତି ପାଇଆସୁଛନ୍ତି ବର୍ମା। ଅକ୍ଚୋବର ୧୩, ୨୦୧୪ରୁ ଆହ୍ଲାବାଦ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ କାମ ଆରମ୍ଭ କରିଥିଲେ। ଦୁଇ ବର୍ଷ ଭିତରେ ଫେବୃଆରୀ ୧, ୨୦୧୬ରେ ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ମିଳିଥିଲା। ଆଉ ଅକ୍ଟୋବର ୧୧, ୨୦୨୧ରୁ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିଲେ। ଏ ମାମଲାରେ ବରିଷ୍ଠ ଓକିଲ ଅରୁଣ ଭାରଦ୍ୱାଜ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ ଆଗରେ କହିଛନ୍ତି ଯେ, ଏ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ, ସେଥିଲାଗି ପ୍ରଶାସନିକ ସ୍ତରରେ କଡ଼ା ପଦକ୍ଷେପ ନେବା ଜରୁରୀ। ନ୍ୟାୟପାଳିକାର ଭାବମୂର୍ତ୍ତି ଉପରେ ଏହା ଆଞ୍ଚ ଆଣୁଛି। ଏ ଖବର ସାର୍ବଜନୀକ ପରେ ଶୁକ୍ରବାର ଜଷ୍ଟିସ ବର୍ମାଙ୍କ ଖଣ୍ଡପୀଠରେ ସମସ୍ତ ଶୁଣାଣୀ ବନ୍ଦ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *