ଅଭିଯୁକ୍ତ ଓ ଠକଙ୍କୁ ଧରିବା ବଦଳରେ ଅଭିଯୋଗକାରୀଙ୍କ ପଛରେ ପଡ଼ିଯାଇଥିଲା ପୁଲିସ। କାରଣ ଅଭିଯୁକ୍ତଙ୍କ ସହ ପୁଲିସର ବଡ଼ବଡ଼ିଆଙ୍କ ଲିଂକ୍ ଥିଲା। ବିନା ମାମଲା, ବିନା ଓ୍ୱାରେଣ୍ଟରେ ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କୁ ଅପହରଣ, ଘରୁ ଉଠାଇନେଇ ଡିସିପି ଅଫିସରେ ଦୁଇ ଦିନ କାଳ ଅଟକ ରଖାଗଲା। ଆଉ ଅଭିଯୁକ୍ତଙ୍କ ସହ କମ୍ପ୍ରୋମାଇଜ୍ ଲାଗି ଚାପ ଦେଇ ନିର୍ଯାତନା ଦିଆଗଲା। କ୍ଷମତାର ଦୁରୁପଯୋଗର ଚରମସୀମା ଟପିଯାଇଥିଲା କମିଶନରେଟ ପୁଲିସର। ବହୁ ଚର୍ଚ୍ଚିତ ଲୁମେକ୍ସ ଲୁଟ୍ ପ୍ରସଙ୍ଗରେ ପୀଡ଼ିତା ଓ ତାଙ୍କ ପରିବାରକୁ ଆରମ୍ଭରୁ ଅକଥନୀୟ ନିର୍ଯାତନା ଦିଆଯାଇଥିବାରୁ ନ୍ୟାୟ ଲାଗି ଏବେ ପ୍ରମାଣ ସହ ସବୁ ଫୋରମରେ ଗୁହାରି କରିଛନ୍ତି ଅଭିଯୋଗକାରିଣୀ।
ବଡ଼ ବଡ଼ କମ୍ପାନୀ ସହ ବ୍ୟବସାୟିକ ନେଣଦେଣର ଜାଲି ଦସ୍ତାବିଜ୍ ଦେଖାଇ ନିବେଶ ପାଇଁ ପ୍ରଲୋଭନର ପାଲରେ ପକାଇଥିଲେ ନିଶାରାଣୀ ମହାପାତ୍ରଙ୍କୁ। ରାଜୀବ ଦାସ ଓ ତାଙ୍କ ୪ ସହଯୋଗୀଙ୍କ କାରସାଦି ଧରାପଡ଼ିବା ପରେ ଟଙ୍କା ଫେରସ୍ତ ଲାଗି ଯେବେଠୁ ଆଇନର ଆଶ୍ରୟ ନେବାକୁ ବାହାରିଥିଲେ ନିଶାରାଣୀ। ସେବେଠୁ ଅଭିଯୁକ୍ତଙ୍କ ବାବଦରେ ସମସ୍ତ ପ୍ରମାଣ ପାଇ ବି ଆକ୍ସନ ନେବା ବଦଳରେ ପାଲଟା ଅଭିଯୋଗକାରିଣୀଙ୍କ ପଛରେ ପଡ଼ିଯାଇଥିଲା ପୁଲିସ। କମିଶନରେଟ ପୁଲିସର ତତ୍କାଳୀନ ଡିସିପି ତଥା ଏବେକାର ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ଚାପରେ ପୁରା ମାମଲାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ନିଶାରାଣୀ ମହାପାତ୍ର ଓ ତାଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶ ନାୟକଙ୍କୁ ନାନା ଆଳରେ ନିର୍ଯାତନା ଦେବା ଆରମ୍ଭ ହୋଇଯାଇଥିଲା। ଆରଟିଆଇ ତଥ୍ୟ ବି କହୁଛି, ବ୍ରହ୍ମପୁରରେ ଥିବା ଅଭିଯୁକ୍ତଙ୍କ ଘରେ ପୁଲିସ ରେଡ୍ କରିଥିଲା ଭୋର୍ ୪ଟାରେ। କିନ୍ତୁ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଗଲାନି। ଯେଉଁ ଅଭିଯୁକ୍ତମାନେ ମିଳିମିଶି ସାଢ଼େ ୫କୋଟି ଟଙ୍କାର ଚୂନ ଲଗାଇଥିଲେ ନିଶାରାଣୀଙ୍କୁ। ୧୭ ମାସ ଧରି ଇନଫୋସିଟି ଓ ଏୟାରଫିଲ୍ଡ ଥାନାରେ ଠକେଇର ଦୁଇଟି ମାମଲା ପଡ଼ିରହିଲା। ଅଭିଯୁକ୍ତଙ୍କ ଜାମିନ ବି ଖାରଜ ହୋଇଥିଲା ହାଇକୋର୍ଟରେ। ୧୫ ଦିନ ଭିତରେ ଠୋସ୍ ପଦକ୍ଷେପ ନେବାକୁ ଅଦାଲତଙ୍କ ନିର୍ଦେଶ ସତ୍ତ୍ୱେ ଏହାକୁ କାର୍ଯ୍ୟକାରୀ କରିବାରେ ପୁଲିସ ଅବହେଳା କରିଥିବା ଅଭିଯୋଗ ଉଠିଥିଲା। କିନ୍ତୁ ବିନା ଓ୍ୱାରେଣ୍ଟ, ବିନା କୌଣସି ମାମଲାରେ ପୀଡ଼ିତାଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶ ନାୟକଙ୍କୁ ପୁଲିସ ଡିସେମ୍ୱର ୨ତାରିଖ ବିଳମ୍ୱିତ ରାତି ୩ଟାରେ ଉଠାଇନେଲେ ଘରୁ ବୋଲି ଅଭିଯୋଗ କରିଥିଲେ ପୀଡ଼ିତା ନିଶାରାଣୀ ମହାପାତ୍ର। କେଉଁ କାରଣରୁ ଗିରଫ କଲେ, କେଉଁଠି ରଖିଛନ୍ତି ପ୍ରଜ୍ଞାପ୍ରକାଶଙ୍କୁ ଯେତେ କାକୁତିମିନତି ହେବା ପରେ ବି ପୁଲିସ ସନ୍ତୋଷଜନକ ଉତ୍ତର ଦେଇପାରିଲାନି। ଡିସିପି ଅଫିସରେ ୨ ଦିନ ଧରି ବେଆଇନ ଅଟକ ରଖାଗଲା। ଆଉ ଅଭିଯୁକ୍ତଙ୍କ ସହ କମ୍ପ୍ରମାଇଜ୍ ଲାଗି ଚାପ ପକାଗଲା। ଯେଉଁ ମାମଲା ଇନଫୋସିଟି ଓ ଏୟାରଫିଲ୍ଡ ଥାନାରେ ହୋଇଥିଲା। ଡିସିପି ଅଫିସରେ ଏମିତି ନିର୍ଯାତନା ଦିଆଗଲା ଯେ, ପ୍ରଜ୍ଞାପ୍ରକାଶ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଆଉ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଏମର୍ଜେନ୍ସିରେ ସଂଧ୍ୟା ୬ଟା୪୫ରେ ତୁରନ୍ତ ଚିକିତ୍ସା ଲାଗି ନିଆଯାଇଥିଲା। ଯାହାକି ଆରଟିଆଇ ତଥ୍ୟରେ ଉପଲବ୍ଧ। ସେଇ ୩ ତାରିଖରେ ପୀଡିତାଙ୍କୁ ଡିସିପି ଅଫିସ ଡାକି ରାଜିନାମାରେ ଦସ୍ତଖତ ଲାଗି ବଳପୂର୍ବକ ଚାପ ସୃଷ୍ଟି କରାଗଲା। ଆଉ ବିନା ସର୍ଚ୍ଚ ଓ୍ୱାରେଣ୍ଟରେ ପୀଡିତାଙ୍କ ଘରେ ଦୀର୍ଘ ୮ ଘଣ୍ଟା ଧରି ରେଡ୍ କରିଥିଲା ଇନଫୋସିଟି ପୁଲିସ। ତତ୍କାଳୀନ ଆଇଆଇସି ସମିତା ମିଶ୍ର ଓ ଏସିପି ପ୍ରକାଶ ପାଲ ଏହି ରେଡ୍ କରିଥିଲେ। ପ୍ରଜ୍ଞାପ୍ରକାଶଙ୍କ ପତ୍ନୀ ନା ସାନଭାଇକୁ ଉତ୍ତର ଦେଲେ ପୁଲିସ। ବଡ଼ ବାବୁଙ୍କ ଲାଗି ସବୁ ହେଉଛି କହି ପରୋକ୍ଷରେ ନିଜର ଭାବଭଙ୍ଗୀକୁ ପୁଲିସ ଦର୍ଶାଇଥିଲା।
ବିନା ଦୋଷରେ ସେ କାହିଁକି କଷ୍ଟ ପାଇବେ ବୋଲି ପୀଡ଼ିତା ଯେତେ କାକୁତିମିନତି ହୋଇଥିଲେ ବି ଦୁଇ ପୁଲିସ ଅଧିକାରୀ ଶୁଣିନଥିଲେ। ପାଲଟା ଡିସିପିଙ୍କୁ ଯାଇକି ପଚାର ବୋଲି କହିଥିଲେ। ଯେତେବେଳେ ପୀଡ଼ିତା ତାଙ୍କ ସ୍ୱାମୀଙ୍କୁ ବେଆଇନ ଅଟକ, ନିର୍ଯାତନାର ଆଶଙ୍କା କରି ହାଇକୋର୍ଟରେ ହେବିଏସ କର୍ପସ ଫାଇଲ୍ କଲେ। ଏଥିରେ ଛାନିଆ ହୋଇ ଡିସେମ୍ୱର ୪ ଦିନ ୧୨ଟାରେ ଗିରଫ ବୋଲି ଦେଖାଇଲା ପୁଲିସ। ଆଉ କୋର୍ଟ ଚାଲାଣ କରିଥିଲା। ଏହା ହିଁ ସୂଚାଉଛି, ତତ୍କାଳୀନ ଡିସିପି ତଥା ଏବେକାର ଦ୍ୱୈତନଗରୀ ଅତିରିକ୍ତ ସିପି ଉମାଶଙ୍କର ଦାସ ସବୁ ନିୟମକୁ ଦଳିଚକଟି କେମିତି ନ୍ୟାୟ ଲାଗି ସଂଘର୍ଷ କରୁଥିବା ପୀଡ଼ିତା ଓ ତାଙ୍କ ସ୍ୱାମୀଙ୍କୁ ଅଭିଯୁକ୍ତଙ୍କ ସହ ସଲାସୁତୁରା କରିବାକୁ ବାଧ୍ୟ କରିଥିଲେ ବୋଲି ଚର୍ଚ୍ଚା ହେଉଛି। ଜାତୀୟ ମାନବାଧିକାର ଆୟୋଗ ବି ଏହି ମାମଲାର ସଂଜ୍ଞାନ ନେଇ ଓଡ଼ିଶା ମାନବାଧିକାର କମିଶନଙ୍କୁ ଏହାର ତଦନ୍ତ ଲାଗି ନିର୍ଦେଶ ଦେଇଥିଲେ। ସିସିଟିଭି ଫୁଟେଜ୍, ଆରଟିଆଇ ତଥ୍ୟର ଯାଞ୍ଚ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କ ବୟାନ ରେକର୍ଡ ପ୍ରକ୍ରିୟା ବି ଜାରି ଅଛି। ଏହାରି ଭିତରେ ଏହି ମାମଲାର ଗମ୍ଭୀରତାକୁ ଦେଖି ମହାମହିମ ରାଷ୍ଟ୍ରପତି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଓଡ଼ିଶାର ଗୃହ ସଚିବଙ୍କୁ ଏ ସନ୍ଦର୍ଭରେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ପୀଡ଼ିତା ବି ନ୍ୟାୟ ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଡିଜିପି ଓ୍ୱାଇ.ବି.ଖୁରାନିଆ ଓ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ରଙ୍କ ନିକଟରେ ନ୍ୟାୟ ଲାଗି ଫେରାଦ୍ ହୋଇଛନ୍ତି। ସେଥିଲାଗି ତ ଯେହେତୁ ବରିଷ୍ଠ ଆଇପିଏସଙ୍କ ସଂପୃକ୍ତିର କଥା ଉଠୁଛି। ସେଥିଲାଗି ତୁରନ୍ତ ଏତଲା ରୁଜୁ ସହ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେବାକୁ ଦାବି ହେଉଛି। ଏହା ସହ ସତରେ ଯଦି ପୁଲିସ ଅଧିକାରୀ ମିଳିତ ଭାବେ ପୀଡିତାଙ୍କୁ ଭୟଭୀତ କରାଇବା ସକାଶେ ଏଭଳି ଗଭୀର ଷଡ଼ଯନ୍ତ୍ରରେ ସାମିଲ ଥିଲେ, ତେବେ ନିରପେକ୍ଷ ତଦନ୍ତ ଯାଏ ଏ ସବୁ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ତ୍ୱରିତ ପଦକ୍ଷେପ ନିଆଯିବା ଦରକାର। ଖାକିରେ କଳଙ୍କ ଲାଗିଛି। ଆଉ ଏଭଳି କଳଙ୍କକୁ ପୋଛିବାକୁ ମୋହନ ସରକାର ପ୍ରତିଶୃତିବଦ୍ଧ ବୋଲି କହିସାରିଛନ୍ତି। ଦେଖିବାର କଥା, ଅତୀତରେ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ବିଧାୟକ ଥିଲା ବେଳେ ଥାନାରେ ନାଲିଆଖିର ଶୀକାର ହେବା ଘଟଣାକୁ ସ୍ମରଣ କରି ବାରମ୍ୱାର ଦୋହରାଉଛନ୍ତି। ଆଉ ନିଶାରାଣୀ, ପ୍ରଜ୍ଞାପ୍ରକାଶଙ୍କ ଭଳି ସାଧାରଣ ଲୋକଙ୍କ ପ୍ରତି ପୁଲିସର ଅମାନୁଷିକ ନିର୍ଯାତନା କଥା ନଜରକୁ ଆସିଲା ପରେ ଏ ଦିଗରେ ପଦକ୍ଷେପ ନେବା ଉପରେ ଏବେ ସମସ୍ତଙ୍କ ନଜର।
Naxatra News is now on Whatsapp
Join and get latest news update delivered to you via whatsapp
Join Now